କନ୍ଧମାଳରେ ହେବ ମେଡ଼ିକାଲ କଲେଜ, ଶ୍ରେୟ ନେବାକୁ ସଂଗଠନ, ରାଜନୈତିକ ଦଳଙ୍କ ପ୍ରତିଯୋଗିତା

ସୋସିଆଲ୍‌ ମିଡ଼ିଆରେ ବିଜେଡି-ବିଜେପି ମୁହାଁମୁହିଁ 

ଫୁଲବାଣୀ: କନ୍ଧମାଳରେ ହେବ ମେଡିକାଲ କଲେଜ। ଏଥି ନିମନ୍ତେ କ୍ୟାବିନେଟ ମୋହର ବାଜିଥିବା ବେଳେ ଟଙ୍କା ବି ଅନୁମୋଦନ ହୋଇଛି। ଏହାକୁ ନେଇ ସମଗ୍ର କନ୍ଧମାଳରେ ଖସିର ଲହରୀ ଖେଳିଯାଇଛି। ତିଲକପଡ଼ା ଠାରେ ୩୦୦ ଏକର ଜାଗାରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ। ଏଥି ନିମନ୍ତେ ୩୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆଉ ୩ ବର୍ଷ ମଧ୍ୟରେ କାମ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥି ନିମନ୍ତେ ସାଂସଦଠାରୁ ବିଧାୟକ ଏବଂ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି। ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କନ୍ଧମାଳବାସୀଙ୍କ ବହୁ ଦିନର ସ୍ବପ୍ନ ପୁରଣ ହୋଇଥିବାରୁ ଜିଲ୍ଲାପାଳ ଡା.ବୃନ୍ଦା ଡି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଯଦିଓ ଦୀର୍ଘବର୍ଷ ହେଲା କୁଇ ସମାଜ ସମନ୍ବୟ ସମିତି କନ୍ଧମାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଛି। ହେଲେ ପରବର୍ତ୍ତୀ ସମୟରେ ଦାବି କରି ଆସୁଥିବା କିଛି ସଂଗଠନ ମଧ୍ୟରେ ଶ୍ରେୟ ନେବାକୁ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। କିଏ ମିଠା ବାଣ୍ଟି ଖୁସି ମନାଉଛି ତ, ଆଉ କିଏ କୃତଜ୍ଞତା ଜଣାଇବାକୁ ନବୀନ ନିବାସକୁ ଯିବାକୁ ସଜବାଜ ହେଲେଣି। ଆଉ କିଛି ସଂଗଠନ ସୋସିଆଲ ମିଡିଆରେ କୃତଜ୍ଞତା ଜଣାଇବାକୁ ପଛରେ ପଡିନାହିଁ। ହେଲେ ସବୁଠାରୁ ମଜା କଥା ହେଲା ମେଡିକାଲ କଲେଜକୁ ନେଇ ବିଜେଡି ଓ ବିଜେପି ସୋସିଆଲ ମିଡିଆରେ ମୁହାଁମୁହିଁ ଅବସ୍ଥାକୁ ଆସିଲେଣି। ଗତକାଲିଠାରୁ ବିଜେଡି ନେତା ଓ କାର୍ଯ୍ୟକର୍ତ୍ତା ନିଜର ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀଙ୍କ କୃତଜ୍ଞତା ଦେବା ଆରମ୍ଭ କରି ଦେଇଛନ୍ତି। ଆଉ କିଛି ଜିଲ୍ଲାପାଳଙ୍କୁ ଶ୍ରେୟ ଦେବାକୁ ପଛାଇନାହାନ୍ତି। ଏହାକୁ ସହଜରେ ଗ୍ରହଣ କରି ପାରି ନାହିଁ ବିଜେପି। ମେଡିକାଲ କଲେଜ ପାଇଁ ମଂଜୁର ୩୮୦ କୋଟି ଟଙ୍କା ମଧ୍ୟରୁ କେନ୍ଦ୍ରର ୮୫ ପ୍ରତିଶତ। ଆଉ ରାଜ୍ୟର ମାତ୍ର ୧୫ ପ୍ରତିଶତ। ବିଜେଡି ନେତାମାନେ ଏହାକୁ ନେଇ କେବଳ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେବା ହୀନ ରାଜନୀତି ପରିଚୟ ବୋଲି କହିଛନ୍ତି ବିଜେପିର ବରିଷ୍ଠ ନେତା ଭଗବାନ ମହାନ୍ତି। ମେଡ଼ିକାଲ କଲେଜ ପାଇଁ କନ୍ଧମାଳବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ କୃତଜ୍ଞତା ଜଣାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ହେଲେ ମେଡିକାଲ କଲେଜ ପାଇଁ ବିଜେପି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଉଛି ବୋଲି ସେ କହିଛନ୍ତି।

କନ୍ଧମାଳରେ ଡାକ୍ତର ଓ କର୍ମଚାରୀ ଅଭାବରୁ ଚିକିତ୍ସା ସେବାରେ ଉନ୍ନତି ଆସି ପାରୁ ନାହିଁ। ଯାହା ଫଳରେ ‌ରୋଗୀମାନଙ୍କୁ କଟକ, ଭୁବନେଶ୍ବର ଓ ବ୍ରହ୍ମପୁରକୁ ରେଫର କରିବାକୁ ପଡ଼ିଥାଏ। ତେଣୁ ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦୀର୍ଘ ୨୩ ବର୍ଷ ହେଲା କୁଇ ସମାଜ ସମନ୍ବୟ ସମିତି ପକ୍ଷରୁ ଦାବି ହୋଇ ଆସୁଅଛି। ଏଥିସହ କିଛି ବର୍ଷ ହେଲା ମିଳିତ ନାଗରିକ କମିଟି, କନ୍ଧମାଳର ପିପୁଲସ୍‌ ଫୋରମ, ଜାଗ୍ରତ କନ୍ଧମାଳ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା। ସେ ଯାହା ହେଉ ମେଡିକାଲ କଲେଜ ପ୍ରତିଷ୍ଠା ହେବା ନିଶ୍ଚିତ ହୋଇଥିବାରୁ ଏଥିରୁ କନ୍ଧମାଳବାସୀ ଉନ୍ନତମାନର ସ୍ବାସ୍ଥ୍ୟସେବା ପାଇବା ଏକ ପ୍ରକାର ପକ୍କା ହୋଇଯାଇଛି।

ସମ୍ବନ୍ଧିତ ଖବର