ଖୋଲିବ ମେଡିକାଲ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ

ଡିଏମ୍‌ଇଟିଙ୍କୁ ଚିଠି ଲେଖି‌ଲେ ଏସିଏସ୍‌
ଅନଲାଇନ୍‌ରେ ଚାଲିବ ଥିଓରି, ୫୦% କ୍ଷମତାରେ ପ୍ରାକ୍ଟିକାଲ
କୋଭିଡ୍‌ ପଜିଟିଭ୍ ହେଲେ ପରୀକ୍ଷା ମନା
ଅଭିଭାବକଙ୍କ ଲିଖିତ ଅନୁମତି ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ବର : ରାଜ୍ୟରେ ଖୋଲିବ ମେଡିକାଲ କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ। କଡ଼ା କୋଭିଡ୍‌ ନିୟମ ଅନୁପାଳନରେ ମେଡିକାଲ କଲେଜ ସମେତ ନର୍ସିଂ, ଫାର୍ମାସି, ଫିଜିଓଥେରାପି, ଅକ୍ୟୁପେସନାଲ ଥେରାପି, ଜନସ୍ବାସ୍ଥ୍ୟ ଓ ଅନ୍ୟ ପାରାମେଡିକାଲ/ଆଲାଏଡ ମେଡିକାଲ ସାଇନ୍ସ ପାଠ୍ୟକ୍ରମକୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଡିଏମ୍‌ଇଟିଙ୍କୁ ଚିଠି ଲେଖିଛନ୍ତି। ତେଣୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ କରୋନାର ଦ୍ବିତୀୟ ଲହର ସଂକ୍ରମଣ ହ୍ରାସ ପାଉଛି। ତେଣୁ ମେଡିକାଲ କଲେଜ ସମେତ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ‌ଥିଓରି କ୍ଲାସ ଅନଲାଇନ୍‌ରେ ଜାରି ରହିବ। ମାତ୍ର ପ୍ରାକ୍ଟିକାଲ/କ୍ଲିନିକାଲ କ୍ଲାସ୍ ଓ ପରୀକ୍ଷାକୁ ୫୦ ପ୍ରତିଶତ କ୍ଷମତା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ ହେବ। ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ସେମାନଙ୍କ ଅଭିଭାବକଙ୍କ ଲିଖିତ ଅନୁମତି ପ୍ରଦାନ କରିବେ‌। ପ୍ରାକ୍ଟିକାଲ ହଲ୍‌/କ୍ଲିନିକାଲ ୱାର୍ଡରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ଲକ୍ଷଣର ଯାଞ୍ଚ କରାଯିବା ସହିତ କ୍ୟାମ୍ପସରେ ମାସ୍କ, ହାତ ଧୋଇବା, ସାନିଟାଇଜର, ସାମାଜିକ ଦୂରତା ଓ ଗହଳିଠାରୁ ଦୂରେଇ ରହିବା ଜରୁରୀ। ପ୍ରାକ୍ଟିକାଲ ବ୍ୟାଚ୍ ପାଇଁ ସଂପୂର୍ଣ୍ଣ ଟିକା ନେଇଥିବା/ଗୋଟିଏ ଡୋଜ୍ ନେଇଥିବା ଛାତ୍ରଛାତ୍ରୀଙ୍କୁ ଅଲଗା ଅଲଗା ବ୍ୟାଚ୍‌ରେ ରଖିବା ଲାଗି କୁହାଯାଇଛି। ଏହାସହ ସ୍ଥାନୀୟ ସ୍ବାସ୍ଥ୍ୟ କର୍ତୃପକ୍ଷଙ୍କ ସହାୟତାରେ ଛାତ୍ରଛାତ୍ରୀ ଓ କଲେଜର କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ଡ୍ରାଇଭ କରିବା ଲାଗି କୁହାଯାଇଛି।

ଗୋଟିଏ ଡୋଜ୍ ଟିକା/ଆଦୌ ଟିକା ନେଇ ନ ଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲରେ ଅଲଗା ବ୍ଲକ୍‌ରେ ରହିବେ। ସେମାନଙ୍କୁ ଲାଇବ୍ରେରିରେ ପ୍ରବେଶର ଅନୁମତି ଦିଆଯିବ ନାହିଁ। ଖାଇବା ସ୍ଥାନକୁ ଅଲଗା କରାଯିବ। ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ନିୟମିତ ସ୍କ୍ରିନିଂ ସହିତ କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେଲେ ସେମାନଙ୍କୁ ସଙ୍ଗରୋଧରେ ରଖିବା ଲାଗି ବ୍ୟବସ୍ଥା କରାଯିବ। କ୍ୟାମ୍ପସ ପରିସରରେ ସାମାଜିକ/ଧାର୍ମିକ/କ୍ରୀଡ଼ା କାର୍ଯ୍ୟକଳାପକୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ବେ‌ଳେ ପ୍ରଶାସନିକ ବ୍ଲକ୍/କାର୍ଯ୍ୟାଳୟ ସରକାରୀ ଗାଇଡଲାଇନ୍‌ ଅନୁଯାୟୀ ଖୋଲା ରହିବ। କୋଭିଡ୍‌ ପଜିଟିଭ୍ ଚିହ୍ନଟ ହେଉଥିବା ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ମିଳିବ ନାହିଁ। ସେମାନଙ୍କୁ ବାର୍ଷିକ/ସପ୍ଲିମେଣ୍ଟାରିରେ ପରୀକ୍ଷା ଦେବା ଲାଗି ଅନୁମତି ଦିଆଯିବ। ମାତ୍ର କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‌ରେ ଡ୍ରପଆଉଟ୍‌ ବୋଲି ଲେଖାଯିବ ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର