କଟକ: ଏସ୍ସିବି ମେଡିକାଲ କଲେଜରେ ‘ସାଇନାପ୍ସ’-୨୦୨୪ ଉଦ୍ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଏହାକୁ ଉଦ୍ଘାଟନ କରି ‘ସାଇନାପ୍ସ’ ସମସ୍ତଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରି ଗୁଣବତ୍ତା ଓ ବନ୍ଧୁତ୍ବ ସ୍ଥାପନର ମାଧ୍ୟମ ହେବ ବୋଲି କହିଥିଲେ। ରାଜ୍ୟରେ ଡାକ୍ତର ଓ ପାରାମେଡିକାଲ୍ କର୍ମଚାରୀଙ୍କର ଘୋର ଅଭାବ ରହିଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିବା ସହ ଆଗାମୀ ୫ ବର୍ଷରେ ସବୁ ଜିଲ୍ଲାରେ ମେଡିକାଲ କଲେଜ ଖୋଲାଯିବ ବୋଲି କହିଥିଲେ। ଆଗକୁ ତାଳଚେର ଓ ଫୁଲବାଣୀରେ ମେଡିକାଲ କଲେଜ ଖୋଲାଯିବ ବୋଲି ସୂଚନା ଦେବା ସହ ଏହାଫଳରେ ରାଜ୍ୟରେ ଡାକ୍ତର ଅଭାବ ରହିବନି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ।
ଅଣ୍ଡର ଗ୍ରାଜୁଏଟ୍ ଛାତ୍ରସଂସଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଯୋଗଦେଇ କହିଥିଲେ ଯେ ଆଉ ୧୨ବର୍ଷ ପରେ ୨୦୩୬ ମସିହାରେ ରାଜ୍ୟକୁ ଶହେ ବର୍ଷ ପୂରିବ। ସମସ୍ତେ ଶହେ ବର୍ଷର ଓଡ଼ିଶାକୁ ଯେଉଁ ସ୍ତରରେ ଦେଖିବାକୁ ଚାହୁଁଛନ୍ତି ତାହା ଦେଖିବେ ବୋଲି ସେ କହିଥିଲେ। ଅତିଥି ଭାବେ ଅତିରିକ୍ତ ଡିଏମ୍ଇଟି ପ୍ରଫେସର ଡାକ୍ତର ଉମାକାନ୍ତ ଶତପଥୀ, ଏସ୍ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ଛାତ୍ର ସଂସଦର ଉପଦେଷ୍ଟା ପ୍ରଫେସର ଡାକ୍ତର ଦେବ ପ୍ରସାଦ ମହାନ୍ତି, ଛାତ୍ର ସଂସଦର ସଭାପତି ପ୍ରମଥ କୁମାର ଶତପଥୀ, ସମ୍ପାଦକ ସୌଭାଗ୍ୟ ରଞ୍ଜନ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।
ସୂଚନାଯୋଗ୍ୟ, ୨୩ରୁ ଆରମ୍ଭ ହୋଇଥିବା ‘ସାଇନାପ୍ସ-୨୦୨୪’ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ରାଜ୍ୟର ୧୫ଟି ମେଡିକାଲ୍ କଲେଜର ୪ହଜାର ଡାକ୍ତର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଏହି ଅବସରରେ ସେମାନଙ୍କ ଗୁଣବତ୍ତା ବୃଦ୍ଧି କରିବା ତଥା ଅନ୍ତର୍ନିହିତ ଦକ୍ଷତାର ବିକାଶ ପାଇଁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ। ପ୍ରତି ତିନି ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମକୁ ଏଥର ଏସ୍ସିବି ଆୟୋଜନ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/LslTL6xpc2kE6GoXUpPW.jpg)