ଜୁନ୍‌ ୨୦ରୁ ମେଡିକାଲ୍‌ କାଉନସେଲିଂ, ଏଥର ତିନିଟି ପର୍ଯ୍ୟାୟରେ ହେବ ନାମ ଲେଖା

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ଏବଂ ବେସରକାରୀ ମେଡିକାଲ କଲେଜରେ ଥିବା ଏମ୍‌ବିବିଏସ୍ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆସନ୍ତା ୨୦ତାରିଖରୁ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ଆଜି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁ ୧୯ହଜାର ଛାତ୍ରଛାତ୍ରୀ ନିଟ୍‌ରେ ରୢାଙ୍କ ପାଇଛନ୍ତି ସେମାନେ ଏହି କାଉନେସଲିଂ ପ୍ରକ୍ରିୟାରେ ସାମିଲ୍ ହୋଇପାରିବେ।

ଓଜେଇଇ ବିଜ୍ଞପ୍ତି ଅନୁଯାୟୀ, ଜୁନ୍ ୨୦ରୁ ୨୫ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ ଏବଂ ପଞ୍ଜୀକରଣ ହେବ। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ତାଲିକା ଜୁନ୍ ୨୬ରେ ପ୍ରକାଶ ପାଇବ। ଜୁନ୍ ୨୬ରୁ ୨୯ତାରିଖ ପର୍ଯ୍ୟନ୍ତ ନୋଡାଲ ସେଣ୍ଟରରେ ଡକୁମେଣ୍ଟ ଯାଞ୍ଚ ହେବ। ଜୁନ୍ ୨୬ ଓ ୨୭ତାରିଖରେ ଶାରୀରିକ ଅକ୍ଷମ ଛାତ୍ରଛାତ୍ରୀଙ୍କର ମେଡିକାଲ ବୋର୍ଡ ବସିବ। ଜୁଲାଇ ୧ରେ ରାଜ୍ୟ ମେରିଟ୍‌ ଲିଷ୍ଟ୍ ପ୍ରକାଶ ପାଇବ। ଜୁଲାଇ ୧ ଓ ୨ତାରିଖରେ ଚଏସ୍ ଫିଲିଂ ଓ ଲକିଂ ହେବ। ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟ ପ୍ରୋଭିଜନାଲ୍ ସିଟ୍‌ ଆବଣ୍ଟନ ‌ହେବ। ଜୁଲାଇ ୫ରୁ ୯ ପର୍ଯ୍ୟନ୍ତ ଗଣ୍ଡମୁଣ୍ଡାସ୍ଥିତ ଓଜେଇଇ ସେଲ୍‌ରେ ପ୍ରୋଭିଜନାଲ ନାମ ଲେଖା ହେବ। ଜୁଲାଇ ୧୨ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ସେମାନଙ୍କୁ ମିଳିଥିବା କଲେଜରେ ଯୋଗଦେବାକୁ ହେବ। ଜୁଲାଇ ୨୪ରେ ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଏବଂ ସର୍ବଭାରତୀୟ ସ୍ତରରେ ନାମ ଲେଖା ପରେ ରାଜ୍ୟ କୋଟାକୁ ଫେରିଥିବା ସିଟ୍‌ ତାଲିକା ପ୍ରକାଶ ପାଇବ। ଜୁଲାଇ ୨୪ ଓ ୨୫ରେ ବାକି ସିଟ୍ ପାଇଁ ଚଏସ୍ ଫିଲିଂ ଏବଂ ଚଏସ୍ ଲକିଂ ହେବ। ଜୁଲାଇ ୨୬ରେ ଦ୍ବିତୀୟ ପର୍ଯ୍ୟାୟ ‌ପ୍ରୋଭିଜନାଲ ସିଟ୍‌ ଆବଣ୍ଟନ ହେବ। ଦ୍ବିତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ନାମଲେଖା ଜୁଲାଇ ୨୭ରୁ ୩୦ତାରିଖ ପର୍ଯ୍ୟନ୍ତ ହେବ। ଜୁଲାଇ ୩୧ରେ ସମସ୍ତ ପ୍ରତ୍ୟାହାର ପାଇଁ ସୁଯୋଗ ‌ଦିଆଯିବ। ଅଗଷ୍ଟ ୩ରେ ଛାତ୍ରଛାତ୍ରୀ ସେମାନଙ୍କୁ ମିଳିଥିବା କଲେଜରେ ରିପୋର୍ଟିଂ କରିବେ। ଏହା ପରେ ଯଦି ସିଟ୍ ଖାଲି ପଡ଼ିଲା ତେବେ ଅଗଷ୍ଟ ୪ରୁ ୮ତାରିଖ ପର୍ଯ୍ୟନ୍ତ ସ୍ପଟ୍‌ କାଉନସେଲିଂ ହେବ। ଅଗଷ୍ଟ ୧୨ତାରିଖ ସୁଦ୍ଧା ଆବଣ୍ଟନ ହୋଇଥିବା କଲେଜରେ ଛାତ୍ରଛାତ୍ରୀ ଯୋଗଦେବେ। ସମସ୍ତ ଘରୋଇ କଲେଜରେ ଅଗଷ୍ଟ ୧୮ସୁଦ୍ଧା ଯୋଗଦେବାକୁ ଶେଷ ତାରିଖ ରଖାଯାଇଛି।

ସମ୍ବନ୍ଧିତ ଖବର