ଜୟପୁର: କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଦେଖାଦେଇଛି ଡାକ୍ତର ମରୁଡ଼ି। ଉଚ୍ଚଶିକ୍ଷା ପଢ଼ିବା ପାଇଁ  ୧୫ଜଣ ଗଲେଣି। ଆଉ ୫ଜଣ ଯିବା ପ୍ରସ୍ତୁତିରେ ରହିଛନ୍ତି। ଏମାନଙ୍କର ଆଉ ଦିନେ ଦୁଇ ଦିନ ମଧ୍ୟରେ ତାଲିକା ବାହାରିବା ପ‌ରେ ଏଠାରୁ ଚାଳିଯିବେ।  ୧୩୧ଜଣ ଡାକ୍ତର ରହିବା ସ୍ଥାନରେ ଡିଏମଓ ଓ ସୁପରିଟେଣ୍ଡଣ୍ଟ ଆଦିଙ୍କୁ ମିଶାଇ ଏବେ ରହିଛନ୍ତି ୪୨ଜଣ।

Advertisment

ସୂଚନା ଅନୁଯାୟୀ, ଗତ ୨୦୧୮ମସିହା‌ରେ କୋରାପୁଟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଜୟପୁର–ବୋରିଗୁମ୍ମା ଜାତୀୟ ରାଜପଥର ଫୁଲବାଢ଼ ଠାରେ ନୂଆରେ ନିର୍ମାଣ କରାଯାଇଥିବା ମାତୃ ଓଶିଶୁ କଲ୍ୟାଣ ୱାର୍ଡକୁ ସ୍ଥାନାନ୍ତର ହୋଇଥିଲା। ଅଂଚଳବାସୀ ଉପଯୁକ୍ତ ସ୍ବସ୍ଥ୍ୟସେବା ପାଇବେ। ଧାର୍ଯ୍ୟସଂଖ୍ୟକ ବିଶେଷଞ ଡାକ୍ତର ଏଠାରେ ନିଯୁକ୍ତ ହେବା ସହ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପାଇବେ ବୋଲି ଆଶା କରିଥିଲେ। ତେବେ ତାହା ଏ ପର୍ଯ୍ୟନ୍ତ ହୋଇ ପାରିନି। ଅପରପକ୍ଷରେ ଜିଲ୍ଲାମୁଖ୍ୟଚିକିତ୍ସାଳୟରେ ଯେଉଁ ଧାର୍ଯ୍ୟ ସଂଖ୍ୟକ ଫାରା ମେଡିକାଲ ଷ୍ଟାଫ , ଏମବିବିଏସ୍ ଡାକ୍ତର ଏବଂ ବିଶେଷଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନସିୟାନ, ଆଟେଣ୍ଡାଣ୍ଟ , ଫାର୍ମଶିଷ୍ଟ ଭଳି ପଦବି ବି ପୁରଣ ହୋଇ ପାରିନଥିଲା।  ଯଦିଓ  ପ୍ରସୁତି ଓ ସ୍ତ୍ରୀ ବିଶେଷଞ, ଭେଷଜ, ସର୍ଜରୀ, ଚକ୍ଷୁ ଆଦି ବିଶେଷଞ ରହିଥିଲେ ହେଁ ରେଡିଓଲୋଜୀ, କାର୍ଡିଆକ୍, ନ୍ୟୁରୋଲୋଜି ଭଳି ବହୁ ଜରୁରୀ ବିଶେଷଞ ପଦବୀ ଖାଲି ପଡ଼ିଛି। ଡିଏଚଏଚରେ ବିଶେଷଞ ଓ ସାଧାରଣ ଡାକ୍ତର ମିଶାଇ ୧୩୧ଟି ପଦବୀ ରାଜ୍ୟସରକାର ଧାର୍ଯ୍ୟ କରିଛନ୍ତି।

ଉପଖଣ୍ଡ ଡାକ୍ତରଖାନା ଜୟପୁରରେ ଥିବା ସମୟରେ ଡାକ୍ତର ଓ ବିଶେଷଞ ଡାକ୍ତର ଅଭାବ ଲାଗି ରହିଥିବା ବେଳେ ଡିଏଚଏଚ ହେବା ପରେ ତାହା ଦୁର ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ବି ହୋଇ ପାରିନି। ବହୁ କଷ୍ଟମଷ୍ଟରେ ୫୭କୁ ଡାକ୍ତର ସଂଖ୍ୟା ପହଚିଂଥିବା ବେଳେ ୧୫ଜଣ ଉଚ୍ଚଶିକ୍ଷା ପଢ଼ିବାକୁ ଯିବା ପରେ ପୁଣି ଯଥାପୁର୍ବଂକୁ ତଥା ପରଂ ଅବସ୍ଥାକୁ ପଳାଇ ଆସିଛି।  ଡିଏଚଏଚରେ ୨୦୨୧-୨୨ମସିହାରେ ବର୍ହିବିଭାଗକୁ ୧ଲକ୍ଷ ୭୬ହଜାର ୪୯୧ଜଣ ରୋଗୀ ଆସିଥିବା ବେଳେ ଅନ୍ତଃ ବିଭାଗରେ ୨୫ହଜାର ୪୪୨ଜଣ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ। ୨୦୨୨-୨୩ମସିହାରେ ୨ଲକ୍ଷ ୨୯ହଜାର ୧୬୩ଜଣ ବର୍ହିବିଭାଗ ଓ ୩୨ହଜାର ୧୭ଜଣ ଅନ୍ତଃବିଭାଗରେ ରହି ଚିକିତ୍ସାଧୀନ ହୋଇଥିଲେ। ୨୦୨୧-୨୨ମସିହାରେ ୬୩୮୨ଜଣ ଓ ୨୦୨୨-୨୩ମସିହାରେ ୬୦୯୪ଜଣ ରୋଗୀଙ୍କୁ କୋରାପୁଟ , ବିଶାଖାପାଟଣା, ବ୍ରହ୍ମପୁର ଆଦି ସ୍ଥାନକୁ ରେଫରାଲ କରାଯାଇଛି।

ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଧାର୍ଯ୍ୟ ସଂଖ୍ୟକ ଡାକ୍ତର ନଥିବାରୁ ବହୁ ରୋଗୀ ଏବେ ଘରୋଇ ନର୍ସିଂ ହୋମ, କ୍ଲିନିକ୍, ଡାକ୍ତରଖାନା ଆଦି ଉପରେ ନିର୍ଭର ହେବାକୁ ବାଧ୍ୟ ହେଉଛନ୍ତି। ଏପରିସ୍ଥିତିରେ ଗତ କିଛି ଦିନ ମଧ୍ୟରେ ସହରରେ ଖୋଲିଥିବା ଏକ ଘରୋଇ ଡାକ୍ତରଖାନାରେ ଦିନକୁଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉଚ୍ଚଶିକ୍ଷା ପଢ଼ିବା ପାଇଁ ୧୫ଜଣ ଡାକ୍ତର ଯାଇଛନ୍ତି, ପାରିପାର୍ଶ୍ବିକ ଡାକ୍ତରଖାନାରୁ ଡାକ୍ତର ଆଣି ଡିଏଚଏଚ୍ ଚାଳିଛି ବୋଲି କହିଛନ୍ତି ଡିଏମଓ ଡ.ଆରଏନ୍ ମିଶ୍ର। ସେଭଳି ଆଉଟସୋର୍ସିଂରେ ୨୬ଜଣ ଷ୍ଟାଫନର୍ସ ଏହାରି ମଧ୍ୟରେ ଯୋଗ ଦେଇଥିବା କହିଛନ୍ତି ଡିଏମଓ। ଲୋକ ପ୍ରତିନିଧି ଓ ସରକାର, ପ୍ରଶାସନ ଆଦି ଦୃଷ୍ଟି ଦେଇ ଖାଲିପଡ଼ିଥିବା  ବିଶେଷଞ ଡାକ୍ତର ଓ କର୍ମଚାରୀ ପୁରଣ କରି ଉପଯୁକ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।