୫ବର୍ଷ ପାଇଁ ବଣ୍ଡ ସାଇନ କରିବେ ଆୟୁର୍ବେଦିକ ଡାକ୍ତର ଓ ଷ୍ଟାଫନର୍ସ
ଷ୍ଟାଫନର୍ସ ଓ ଆୟୁର୍ବେଦିକ ଡାକ୍ତରଙ୍କ ପାଠ୍ୟକ୍ରମ ମୋଡାଲିଟି ଅନୁମୋଦିତ
ଭୁବନେଶ୍ୱର : ଗୋଷ୍ଠୀ ସ୍ୱାସ୍ଥ୍ୟ ଚିକିତ୍ସକଭାବେ କାର୍ଯ୍ୟ କରିବା ପାଇଁ ଷ୍ଟାଫନର୍ସ ଓ ଆୟୁର୍ବେଦିକ ଡାକ୍ତରଙ୍କ ପାଇଁ ସ୍ୱଳ୍ପକାଳୀନ ପାଠ୍ୟକ୍ରମ ମୋଡାଲିଟି ଅନୁମୋଦିତ ହୋଇଛି। ଇଗ୍ନୋ ଜରିଆରେ ୬ମାସର ପାଠ୍ୟକ୍ରମ ସହିତ ପ୍ରାକ୍ଟିକାଲ ସଂପୂର୍ଣ୍ଣ କରିବାକୁ ହେବ। ପ୍ରାଥିମକ ପର୍ଯ୍ୟାୟରେ କାର୍ଯ୍ୟ କରୁଥିବା ଷ୍ଟାଫନର୍ସମାନେ ଏହି ପାଠ୍ୟକ୍ରମ ପାଇଁ ରାଜି ନ ହେବା ଓ ନିର୍ଧାରିତ ମାନଦଣ୍ଡ ପୂରଣ ନ କରାଯିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଜାତୀୟ ସ୍ୱାସ୍ଥ୍ୟ ମିସନ ଅଧୀନରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ଷ୍ଟାଫନର୍ସଙ୍କୁ ଏହି ପାଠ୍ୟକ୍ରମ ପାଇଁ ଚୟନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଯୋଗ୍ୟ ବିବେଚିତ କିମ୍ବା ଆଗ୍ରହୀ ନିୟମିତ ଷ୍ଟାଫନର୍ସଙ୍କ ସମେତ ଚୁକ୍ତିଭିତ୍ତିକ ଷ୍ଟାଫନର୍ସଙ୍କୁ ଏହି ପାଠ୍ୟକ୍ରମ ପାଇଁ ପଠାଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାସହ ବିଭିନ୍ନ ସ୍ୱାସ୍ଥ୍ୟାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ ଆୟୁର୍ବେଦିକ ଡାକ୍ତରଙ୍କୁ ଏହି ପାଠ୍ୟକ୍ରମ ପାଇଁ ପଠାଯିବ। ଏହି ପାଠ୍ୟକ୍ରମ ସଂପୂର୍ଣ୍ଣ କରିବା ପରେ ଯେଉଁ ପ୍ରାଥିମକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଆଦୌ ଡାକ୍ତର ନାହାନ୍ତି ବା ନିଯୁକ୍ତ ହୋଇ ଦୀର୍ଘଦିନ ଧରି ଅନୁପସ୍ଥିତ ରହିଛନ୍ତି, ସେସବୁ ସ୍ଥାନରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଭାବେ ନିଯୁକ୍ତ ଦିଆଯିବ। ତାଲିମପ୍ରାପ୍ତ ଷ୍ଟାଫନର୍ସମାନଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡ଼ିକରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଭାବେ ମୁତୟନ କରାଯିବ। ଏହି ନିଯୁକ୍ତିପ୍ରାପ୍ତ ଆୟୁର୍ବେଦିକ ଡାକ୍ତର ଓ ଷ୍ଟାଫନର୍ସଙ୍କୁ ସେସବୁ ସ୍ଥାନରେ କାର୍ଯ୍ୟ କରିବା ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଞ୍ଜୁର ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବ। ଏହି ତାଲିମ ପରେ ଚୁକ୍ତିଭିତ୍ତିକ ଆୟୁର୍ବେଦିକ ଡାକ୍ତର ଓ ଷ୍ଟାଫନର୍ସମାନେ ଅତିକମ୍ରେ ୫ବର୍ଷ କାର୍ଯ୍ୟ କରିବା ପାଇଁ ବଣ୍ଡ ସାଇନ୍ କରିବାକୁ ପଡ଼ିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।