ଏଣିକି ନୂଆ ଢାଞ୍ଚାରେ ଡାକ୍ତରୀ ପାଠପଢ଼ା : ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସହ ଯୋଡିହେବ ଏଥିକ୍ସ

କଟକ : କେମିତି ରହିବା କଥା ଡାକ୍ତର-ରୋଗୀ ସଂପର୍କ? ଜଣେ ଡାକ୍ତର କିପରି ଭାବରେ ତିଆରି କରିବ ତାର କ୍ୟାରିଅର? ଡାକ୍ତରୀ ଶିକ୍ଷା ଶେଷ ପରେ ରୋଗୀଙ୍କୁ କିଭଳି ଚିକିତ୍ସା କରିବେ? ଏଥିପାଇଁ ଏଣିକି ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ କମ୍ପିଟେନ୍ସି ବେଷ୍ଟ ମେଡିକାଲ ଏଜୁକେସନ୍‌, ଫାଉଣ୍ଡେସନ୍‌ କୋର୍ସ, ଇଲେକ୍ଟିଭ୍‌, ଇଣ୍ଟିଗ୍ରେସନ୍‌ ଓ ଏଟ୍‌କମ୍ ଆଦି ବିଷୟ ଉପରେ ପାଠ ପଢ଼ାଯିବ। ଅର୍ଥାତ୍‌ ଏମ୍‌ବିବିଏସ୍‌ରେ ନାମ ଲେଖାଇବାକୁ ଆଶା ରଖିଥିବା ଛାତ୍ରଛାତ୍ରୀ ଆଉ ପୂର୍ବଭଳି ପୁରୁଣା ଢାଞ୍ଚାରେ ଡାକ୍ତରୀ ପାଠ ପଢିବେ ନାିହଁ। ଆସନ୍ତା ଅଗଷ୍ଟରୁ ନାମ ଲେଖାଇବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଏହି ନୂଆ ବ୍ୟବସ୍ଥାରେ ପାଠ ପଢାଯିବ। ପାଠ୍ୟକ୍ରମ ବଦଳିବ ନାହିଁ। ପୂର୍ବରୁ ଯେମିତି ରହିଥିଲା ସେଭଳି ରହିବ, କେବଳ ନୂଆ ପାଠ୍ୟକ୍ରମ ଯୋଡ଼ାଯିବ। ଏପରିକି, କେତେକ କ୍ଷେତ୍ରରେ ପ୍ରଥମ ବର୍ଷରେ ପଢ଼ୁଥିବା ବିଷୟ ୨ୟ ବର୍ଷରେ ମଧ୍ୟ ପଢିବାର ବ୍ୟବସ୍ଥା ବି କରାଯାଇଛି। ତା’ସହିତ ନୈତିକ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯିବ ବୋଲି ଏସ୍‌ସିବି ଡିନ୍‌ ତଥା ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି କହିଛନ୍ତି। ଖାସ୍‌ ଏଥି ନିମନ୍ତେ ନୂଆ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ସ˚କ୍ରାନ୍ତରେ ଛତିଶଗଡ଼, ଝାଡ଼ଖଣ୍ତ, ରାୟପୁର, ପଶ୍ଚିମବଙ୍ଗ ଓ ଓଡ଼ିଶାର ପ୍ରାୟ ୨୩ଟି ମେଡିକାଲ କଲେଜର ୧୧୦ଜଣ ବରିଷ୍ଠ ଡାକ୍ତରଙ୍କୁ ଏସ୍‌ସିବି ମେଡିକାଲ କଲେଜରେ ତାଲିମ ଦିଆଯିବାର ଯୋଜନା ହୋଇଛି।

ତେବେ ଏହି ନୂଆ ପାଠ୍ୟକ୍ରମ ଗୁଡ଼ିକ ମଧ୍ୟରେ ରହିଛି କମ୍ପିଟେନ୍ସି ବେଷ୍ଟ ମେଡିକାଲ ଏଜୁକେସନ୍‌ (ସିବିଏମ୍‌ଇ)। ପୂର୍ବରୁ ଏମ୍‌ବିବିଏସ୍‌ରେ ନାମଲେଖା ପରେ ପିଲାଙ୍କୁ ସିଧାସଲଖ ଶ୍ରେଣୀ ଗୃହରେ ପାଠ ପଢାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ନୂଆ ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ପ୍ରଥମେ ୱାର୍ଡ ବୁଲିବେ। ୱାର୍ଡରେ ବୁଲି ରୋଗୀ ଦେଖିବେ। କେମିତି ରୋଗୀଙ୍କୁ ଚିକିତ୍ସା କରାଯାଉଛି, ସେ ସଂପର୍କରେ ବରିଷ୍ଠ ଡାକ୍ତରଙ୍କ ପାଖରୁ ଶିକ୍ଷା ଗ୍ରହଣ କରିବେ। ସେହିପରି ଫାଉଣ୍ଡେସନ୍‌ କୋର୍ସ ଜରିଆରେ ପିଲାଙ୍କୁ ଅଧିକ ପ୍ରାକ୍ଟିକାଲ୍‌ ସୁଯୋଗ ଦିଆଯିବାର ବ୍ୟବସ୍ଥା ରହିବ। ଫଳରେ ପିଲାଙ୍କୁ ମୋଟା ବହି ଧରି ବର୍ଷତମାମ କୋର୍ସ ସାରିବା ପାଇଁ ଯେଉଁ କସରତ୍ କରିବାକୁ ପଡ଼ୁଥିଲା, ସେଥିରୁ ମୁକ୍ତି ମିଳିବ। ଅର୍ଥାତ୍‌ ଡାକ୍ତରୀ ଶିକ୍ଷା ସାରିବା ପରେ ଯଦି କୌଣସି ଗ୍ରାମୀଣ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ମିଳେ, ତେବେ ସଂପୃକ୍ତ ଡାକ୍ତର ରୋଗୀ ଚିକିତ୍ସା କରିବାରେ ଯେପରି ଅସୁବିଧାର ସମ୍ମୁଖୀନ ହେବ ନାହିଁ।

ଇଲେକ୍ଟିଭ୍‌ ବିଷୟ ବି ନୂଆ ପାଠ୍ୟକ୍ରମରେ ଯୋଡ଼ା ଯାଇଛି। ଯଦି ଜଣେ ଛାତ୍ର କିମ୍ବା ଛାତ୍ରୀଙ୍କ ଗୀତ, ନାଚ, ବକ୍ତୃତା, ଖେଳ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ଆଗ୍ରହ ରହିଛି, ତେବେ ସେହି କଳାର ବିକାଶ ପାଇଁ ମଧ୍ୟ ମେଡିକାଲ କର୍ତ୍ତୃପକ୍ଷ ପଦ‌କ୍ଷେପ ନେଇପାରିବେ। ଅର୍ଥାତ୍‌ ତୃତୀୟ ସେମିଷ୍ଟାର ପରେ ସେମାନେ ରୁଚି ରଖୁଥିବା କ୍ଷେତ୍ର ପ୍ରତି ଗୁରୁତ୍ବ ଦିଆଯିବ ଓ ସେମାନଙ୍କୁ ଅଧିକ ତାଲିମ୍‌ ପାଇଁ ବିଭିନ୍ନ ଇନଷ୍ଟିଚ୍ୟୁଟ୍‌କୁ ପଠାଯିବ। ଅନ୍ୟପକ୍ଷରେ ଇଣ୍ଟିଗ୍ରେସନ୍‌ ମାଧ୍ୟମରେ ଆଉ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବିଷୟକୁ ବାରମ୍ବାର ପଢ଼ାଯିବ ନାହିଁ। ଉଦାହରଣ ସ୍ବରୂପ ଯଦି ଆପେଣ୍ଡିସାଇଟ୍‌ସ୍‌ ସଂପର୍କରେ ପଢାଯାଉଛି ତେବେ ତାର ଲକ୍ଷଣ, କାରଣ , ନିରାକରଣ ଓ ଅସ୍ତ୍ରୋପଚାର ପର୍ଯ୍ୟନ୍ତ ସବୁ ପ୍ରକାର ପାଠ ସେହି ଗୋଟିଏ ସମୟ ଭିତରେ ହିଁ ସରିବ। କାରଣ ରୋଗ ଚିହ୍ନଟଠାରୁ ଅସ୍ତ୍ରୋପଚାର ପର୍ଯ୍ୟନ୍ତ ଯେଉଁ ଯେଉଁ ବିଭାଗର ଡାକ୍ତରଙ୍କଠାରୁ ସେମାନେ ଶିକ୍ଷା ଗ୍ରହଣ କରିବା କଥା ସବୁ ବିଭାଗ ଏକକାଳୀନ ଭାବେ ସେହି ପାଠକୁ ସାରିବେ ଓ ସେହି ରୋଗ ଉପରେ ସାମଗ୍ରୀକ ଭାବେ ସେମାନେ ଶିକ୍ଷା ଦେବେ।

ଅନୁରୂପ ଭାବେ ଡାକ୍ତରଙ୍କ ଆଚରଣ, ଉଚ୍ଚରଣ ଓ ବ୍ୟବହାରକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠେ। ଏଣୁ ପ୍ରଥମ ଥର ପାଇଁ ମେଡିକାଲ ପାଠ୍ୟକ୍ରମରେ ନୈତିକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିସହ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଜଣେ ଡାକ୍ତର କଣ କର୍ତ୍ତବ୍ୟ ରହିଛି, ରୋଗୀ ପ୍ରତି ତାର ଭାବନା କଣ ହେବା ଦରକାର, ରୋଗୀ ସହ କିପରି କଥାବାର୍ତ୍ତା କରାଯିବ? ଆଚରଣ ଓ ଉଚ୍ଚାରଣ ତଥା ବିଭିନ୍ନ ସମ୍ବେନଦଶୀଳ ରୋଗୀଙ୍କୁ କିପରି ଭାବରେ ଗୁରୁତ୍ବ ଦିଆଯିବ ସେସବୁ ସଂପର୍କରେ ମଧ୍ୟ ଏମ୍‌ବିବିଏସ୍‌ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ଏହାକୁ ଏଟକମ୍‌ କୁହାଯାଇଥାଏ ବୋଲି ଡାକ୍ତର ଶ୍ରୀକାନ୍ତ ପଣ୍ତା ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଭଳି ନୂତନ ପାଠ୍ୟକ୍ରମ ଏମ୍‌ବିବିଏସ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣର ବିକାଶ ପାଇଁ ଯେଉଁ ତାଲିମ୍‌ ଦେବାର ବ୍ୟବସ୍ଥା ନୂଆ ପାଠ୍ୟକ୍ରମରେ ରହିଛି , ତା ପୂର୍ବରୁ କେବେ ନଥିଲା। କେବଳ ଇଞ୍ଜିନିୟରଙ୍ଗ ପିଲା ଏହାର ସୁବିଧା ପାଉଥିଲେ ବୋଲି ଡାକ୍ତର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର