ଏସ୍ସିବି ପ୍ରଥମ ପସନ୍ଦ, ଦ୍ବିତୀୟରେ ଏମ୍କେସିଜି, ତୃତୀୟରେ ଭିଏସ୍ଏସ୍
ଓଡ଼ିଶାରେ ପଢ଼ିବାକୁ ୧୦ ହଜାର ର୍ୟାଙ୍କ ଭିତରର ୨୫୧ ପିଲା ଆଗ୍ରହୀ
ଭୁବନେଶ୍ୱର, (କେଶବ ପାଣି) : ନିଟ୍ରେ ଭଲ ରୢାଙ୍କ ମିଳିଛି। ତା’ପରେ ରାଜ୍ୟ ବାହାରକୁ ଏମ୍ବିବିଏସ୍ ଓ ବିଡିଏସ୍ ପଢ଼ିବା ପାଇଁ ଯିବାକୁ ଚାହୁଁନାହାନ୍ତି ଛାତ୍ରଛାତ୍ରୀ। ସର୍ବଭାରତୀୟ କୋଟା(ଏଆଇକ୍ୟୁ)ରେ ସିଟ୍ ପାଇବା ଲାଗି ସେମାନଙ୍କ ପାଖରେ ଯୋଗ୍ୟତା ରହିଛି। ତଥାପି ଅଭିଭାବକ ପିଲାଙ୍କୁ ଛାଡ଼ିବାକୁ ମନ ବଳାଉ ନାହାନ୍ତି। ପରିଣାମସ୍ବରୂପ ଓଡ଼ିଶାରେ ଥିବା ମେଡିକାଲ କଲେଜଗୁଡ଼ିକରେ ପଢ଼ିବା ଲାଗି ଭଲ ରୢାଙ୍କର ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଛନ୍ତି। ଏମିତିକି ନିଟ୍ର ୧୦ ହଜାର ରୢାଙ୍କ ମଧ୍ୟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୫୧ ଜଣ ଓଡ଼ିଆ ଏସ୍ସିବି ଓ ଏମ୍କେସିଜି ମେଡିକାଲ କଲେଜରେ ପଢ଼ିବାକୁ ପଞ୍ଜୀକରଣ କରିଛନ୍ତି। ଯେତେବେଳେ କି ସର୍ବଭାରତୀୟ କୋଟାରେ ସିଟ୍ ପାଇବା ଲାଗି ସେମାନଙ୍କର ଯୋଗ୍ୟତା ରହିଛି। ଓଜେଇଇ ପକ୍ଷରୁ ପ୍ରଥମ ରାଉଣ୍ଡ ମେରିଟ୍ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
ଦେଶରେ ମୋଟ ୨୭୨ଟି ସରକାରୀ ଓ ୨୬୦ଟି ଘରୋଇ(ଡିମ୍ଡ ବିଶ୍ବବିଦ୍ୟାଳୟକୁ ମିଶାଇ) ଏମ୍ବିବିଏସ୍ ମେଡିକାଲ କଲେଜ ରହିଛି। ଯେଉଁଥିରେ ଯଥାକ୍ରମେ ୪୧ ହଜାର ୩୮୮ ଓ ୩୫ ହଜାର ୫୪୦ ସିଟ୍ ରହିଛି। ସେହିପରି ୫୦ଟି ସରକାରୀ ବିଡିଏସ୍ କଲେଜରେ ୩୫୧୩ ସିଟ୍ ଥିବା ବେଳେ ୨୬୩ଟି ଘରୋଇ ବିଡିଏସ୍ କଲେଜରେ ୨୩ ହଜାର ୨୬୦ଟି ସିଟ୍ ଅଛି। ଏହାବ୍ୟତୀତ ୧୫ଟି ଏମ୍ସରେ ୧୨୦୫ ଓ ଜିପମର୍ରେ ୨୦୦ ଏମ୍ବିବିଏସ୍ ସିଟ୍ ରହିଛି। ମୋଟ ଉପରେ ଦେଶରେ ୫୪୯ଟି ଏମ୍ବିବିଏସ୍ କଲେଜରେ ୭୮ ହଜାର ୩୩୩ ସିଟ୍ ରହିଥିବା ବେଳେ ୩୧୩ଟି ବିଡିଏସ୍ କଲେଜରେ ୨୬ ହଜାର ୭୭୩ଟି ସିଟ୍ ରହିଛି। ସରକାରୀ ଓ ଘରୋଇ ମେଡିକାଲ କଲେଜର ୧୫ ପ୍ରତିଶତ ସିଟ୍ ଏଆଇକ୍ୟୁ ପାଇଁ ସଂରକ୍ଷିତ ରହିଥାଏ। ଅର୍ଥାତ୍ ଭଲ ରୢାଙ୍କ ପାଇଥିବା ଦେଶର ଯେକୌଣସି ରାଜ୍ୟର ଛାତ୍ରଛାତ୍ରୀ ଏଆଇକ୍ୟୁ ମାଧ୍ୟମରେ ନାମ ଲେଖାଇପାରିବେ।
ଯଦି ସିଟ୍ ସଂଖ୍ୟା ହିସାବକୁ ନିଆଯାଏ ତେବେ ପାଖାପାଖି ୧୫ ହଜାର ଏମ୍ବିବିଏସ୍ ଓ ବିଡିଏସ୍ ସିଟ୍ ସର୍ବଭାରତୀୟ କୋଟାରେ ପୂରଣ ହେଉଛି। ନିଟ୍ରେ ଭଲ ରୢାଙ୍କ ପାଇଥିବା ତଥା ୧୫ ହଜାର ରୢାଙ୍କ ମଧ୍ୟରେ ଥିବା ଛାତ୍ରଛାତ୍ରୀ ଏଥିପାଇଁ ଯୋଗ୍ୟତା ଅର୍ଜନ କରିବା ଏକପ୍ରକାର ଥୟ। ସବୁ ପିଲା ଯେହେତୁ ଏଆଇକ୍ୟୁ କୋଟାରେ ସାମିଲ ହେବାକୁ ପସନ୍ଦ କରନ୍ତି ନାହିଁ ତେଣୁ ନିଟ୍ରେ ୫୦ ହଜାର ପର୍ଯ୍ୟନ୍ତ ରୢାଙ୍କ ହାସଲ କରିଥିବା ଛାତ୍ରଛାତ୍ରୀ ବି ରାଜ୍ୟ ବାହାରର ମେଡିକାଲ କଲେଜରେ ସିଟ୍ ପାଇଥାନ୍ତି। ତେବେ ଏଥର କରୋନା ଏମିତି ପ୍ରଭାବ ପକାଇଛି ଯେ ଓଡ଼ିଶାର ଛାତ୍ରଛାତ୍ରୀ ରାଜ୍ୟ ବାହାରେ ଶିକ୍ଷା ଗ୍ରହଣ ପାଇଁ ଯିବାକୁ ଚାହୁଁନାହାନ୍ତି। ଅଭିଭାବକ ବି ସେମାନଙ୍କ ପିଲାଙ୍କୁ ବାହାରକୁ ଛାଡ଼ିବାକୁ ମନ ବଳାଉ ନାହାନ୍ତି। ଯେଉଁଥିପାଇଁ ୧୦ ହଜାର ରୢାଙ୍କ ମଧ୍ୟରେ ଥିବା ଓଡ଼ିଶାର ୨୫୧ ଓ ୧୫ ହଜାର ରୢାଙ୍କ ମଧ୍ୟରେ ଥିବା ୪୪୭ ଜଣ ନିଟ୍ ରୢାଙ୍କଧାରୀ ଛାତ୍ରଛାତ୍ରୀ ଓଡ଼ିଶାରେ ପଢ଼ିବାକୁ ଓଜେଇଇରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କର ପ୍ରଥମ ପସନ୍ଦ ଏସ୍ସିବି ମେଡିକାଲ କଲେଜ ରହିଛି। ଏହା ତଳକୁ ବ୍ରହ୍ମପୁରସ୍ଥିତ ଏମ୍କେସିଜି ମେଡିକାଲ କଲେଜ ଓ ବୁର୍ଲା ଭିଏସ୍ଏସ୍ ମେଡିକାଲ କଲେଜ ରହିଛି।
ଭଲ ରୢାଙ୍କ ପାଇଥିଲେ ମଧ୍ୟ ଛାତ୍ରଛାତ୍ରୀ ରାଜ୍ୟ ବାହାରକୁ ଯାଉ ନ ଥିବାରୁ ତାହାର ସିଧାସଳଖ ପ୍ରଭାବ ଓଡ଼ିଶାର ଅନ୍ୟ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି। ବହୁ ଛାତ୍ରଛାତ୍ରୀ ସିଟ୍ ପାଇବାରୁ ବଞ୍ଚିତ ହୋଇଛନ୍ତି। ପ୍ରଥମ ରାଉଣ୍ଡ ସିଟ୍ ଆଲଟ୍ମେଣ୍ଟରେ ପ୍ରାୟ ୪୦ ହଜାର ପର୍ଯ୍ୟନ୍ତ ରୢାଙ୍କଧାରୀ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି। ଯେତେବେଳେ କି ଗତବର୍ଷ ପ୍ରଥମ ରାଉଣ୍ଡରେ ୬୦ ହଜାର ପର୍ଯ୍ୟନ୍ତ ରୢାଙ୍କଧାରୀ ଛାତ୍ରଛାତ୍ରୀ ସିଟ୍ ପାଇଥିଲେ। କେବଳ ଯେ ଓଡ଼ିଶାରେ ଏଭଳି ସ୍ଥିତି ହୋଇଛି ତାହା ନୁହେଁ। ଦେଶରେ ବି ସମାନ ଅବସ୍ଥା। ଏବେ ସୁଦ୍ଧା ଓଡ଼ିଶାର ସରକାରୀ ମେଡିକାଲ କଲେଜର ଏଆଇକ୍ୟୁ ସିଟ୍ ପୂରଣ ହୋଇ ନାହିଁ। ଦ୍ବିତୀୟ ରାଉଣ୍ଡ ସୁଦ୍ଧା ଏସ୍ସିବିରେ ୧୨ଟି ସିଟ୍ ଖାଲିଥିବା ବେଳେ ଏମ୍କେସିଜିରେ ୨୨, ବୁର୍ଲାରେ ୧୯, ବଲାଙ୍ଗୀର, କୋରାପୁଟ ଓ ବାଲେଶ୍ବର ମେଡିକାଲ କଲେଜରେ ୧୨ଟି ଲେଖାଏ ସିଟ୍, ବାରିପଦା ମେଡିକାଲ କଲେଜରେ ୧୧ ସିଟ୍ ଖାଲି ରହିଛି।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ନୀଳକଣ୍ଠ ପାଣିଗ୍ରାହୀ କହିଛନ୍ତି ଯେ କରୋନା ପାଇଁ ଭଲ ରୢାଙ୍କ ପାଇଥିଲେ ମଧ୍ୟ ଓଡ଼ିଶାର ଛାତ୍ରଛାତ୍ରୀ ବାହାରକୁ ଯିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଏମ୍ବିବିଏସ୍ ପାଠ୍ୟକ୍ରମ ଲାଗି ଏମ୍ସ ଓ ଜିପମର୍ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ଥାଏ। ଏହାବାଦ୍ ଅନ୍ୟ ମେଡିକାଲ କଲେଜରେ ପଢ଼ିବାକୁ ଛାତ୍ରଛାତ୍ରୀ ଆଗ୍ରହ ଦେଖାଇଥାନ୍ତି। ଏଥର ଟପ୍ ରୢାଙ୍କର ପିଲାମାନେ ଦିଲ୍ଲୀ ଏମ୍ସ ସମେତ ଜିପମର୍ରେ ପଢ଼ିବାକୁ ଚାହିଁଛନ୍ତି। ଯେଉଁମାନଙ୍କୁ ଉକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍ ମିଳି ନାହିଁ ସେମାନେ ଏସ୍ସିବି ମେଡିକାଲ କଲେଜରେ ପଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। କାରଣ ଏସ୍ସିବି ଦେଶର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଛି। କେବଳ ମେଡିକାଲ ପାଠ୍ୟକ୍ରମ ନୁହେଁ, ଇଞ୍ଜିନିୟରିଂରେ ବି ସମାନ ସ୍ଥିତି ଉପୁଜିଛି।