ଭୁବନେଶ୍ବର: ଓଡ଼ିଆରେ ପଢ଼ାଯିବ ଡାକ୍ତରୀ ପାଠ। ଓଡ଼ିଆ ପିଲାଙ୍କ ପାଇଁ ଡାକ୍ତରୀ ପାଠକୁ ସହଜ ଓ ବୋଧଗମ୍ୟ କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ସେଥିପାଇଁ ଏକ ୨୨ଜଣିଆ କମିଟି ଗଠନ କରାଯାଇଛି। ଏହି କମିଟି ଏମ୍‌ବିବିଏସ୍‌ ପାଠ୍ୟକ୍ରମର ବହିକୁ ଅନୁବାଦ ପାଇଁ ଚିହ୍ନଟ କରିବେ। ତେବେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ କେତେ ଫଳପ୍ରଦ ହେବ ତାହାକୁ ନେଇ ଡାକ୍ତରୀ ମହଲରେ ଆଲୋଚନା ଆରମ୍ଭ ହୋଇଯାଇଛି। ଏଥିରେ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତପ୍ରକାଶ ପାଉଛି। କିଛି ସ୍ବାସ୍ଥ୍ୟ ବି‌ଶେଷଜ୍ଞଙ୍କ ଯୁକ୍ତି ହେଲା, ଓଡ଼ିଆରେ ଏମ୍‌ବିବିଏସ୍‌ ପଢ଼ିବାକୁ ନେଇ ଅନେକ ସମସ୍ୟା ହୋଇପାରେ। କାରଣ ଏବେ ବି ମୌଳିକ ବିଜ୍ଞାନର ଓଡ଼ିଆ ଅନୁବାଦ ହୋଇନାହିଁ। ଏହାସହ ଇଞ୍ଜିନିୟରିଂ ପାଠ୍ୟକ୍ରମର ମଧ୍ୟ ଓଡ଼ିଆ ଅନୁବାଦ ପୁସ୍ତକ ଆସିନାହିଁ। ସେହିପରି ଆଧୁନିକ ଚିକିତ୍ସା ସଂପର୍କିତ ଜ୍ଞାନ ଆହରଣ ଓ ଡାକ୍ତରୀ ଦକ୍ଷତା ବୃଦ୍ଧିରେ ଓଡ଼ିଆ ଭାଷା ପ୍ରତିବନ୍ଧକ ସାଜିପାରେ।

Advertisment

ତେବେ ଆଉ କିଛି ବି‌ଶେଷଜ୍ଞ ମତ ଦେଇଛନ୍ତି, ଇଂରାଜୀରେ ଦୁର୍ବଳ ଥିବା ପିଲା ନିଜ ଭାଷାରେ ମେଡିକାଲ ପଢ଼ିବାରେ ଏହା ସହାୟକ ହୋଇପାରେ। ଯେଉଁ ପିଲାଟି ନିଜ ମାତୃଭାଷାରେ ମେଡିକାଲ୍‌ ଶିକ୍ଷା ଗ୍ରହଣ କରିବ, ପରବର୍ତ୍ତୀ ସମୟରେ ଚିକିତ୍ସା କଲା ବେଳେ ସେ ସାଧାରଣ ଲୋକଙ୍କ ଭାଷା ବୁଝିପାରିବ। ଡାକ୍ତରୀ ଦକ୍ଷତା ବୃଦ୍ଧିରେ କୌଣସି ଭାଷା ପ୍ରତିବନ୍ଧକ ନୁହେଁ। ତେବେ ଅନୁବାଦ ଠିକ୍ ଭାବେ ହେବା ଦରକାର। ପୂର୍ବତନ ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଋଷିଆ, ଫ୍ରାନ୍‌ସ ଓ ଚୀନ୍‌ରେ ଇଂରାଜୀ ପ୍ରଚଳନ ନାହିଁ। ସେଠାର ପିଲାମାନେ ନିଜ ଭାଷାରେ ମେଡିକାଲ ପଢ଼ୁଛନ୍ତି ଓ ଗବେଷଣା ମଧ୍ୟ କରୁଛନ୍ତି। ତେଣୁ ସେମାନେ ଯେ ଇଂରାଜୀରେ ମେଡିକାଲ ପଢ଼ୁଥିବା ଡାକ୍ତରଙ୍କ ତୁଳନାରେ ଦୁର୍ବଳ କହିବା ଠିକ୍ ହେବ ନାହିଁ। ନିଟ୍‌ ପରୀକ୍ଷା ଆଞ୍ଚଳିକ ଭାଷାରେ କରାଯାଉଛି। ତେଣୁ ଏହାକୁ ନଜରରେ ଓଡ଼ିଆରେ ମେଡିକାଲ ଶିକ୍ଷା ପାଇଁ ଏହି କମିଟି ଗଠନ କରାଯାଇଛି। କେତେକ ସ୍ଥାନରେ ନିଶ୍ଚିତ ସମସ୍ୟା ହେବ। ଅନେକ ମେଡିକାଲ ଶବ୍ଦ ଖାଣ୍ଟି ଓଡ଼ିଆରେ କହିହେବ ନାହିଁ। ଏହାସହ ପ୍ରତିବର୍ଷ ଅଭିଧାନରେ ଅନେକ ନୂଆ ଶବ୍ଦକୁ ସାମିଲ କରାଯାଉଛି। ଓଡ଼ିଆ ଭାଷାରେ ମେଡିକାଲ ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ ହୋଇପାରିବ ନା ନାହିଁ କମିଟି ଏହାର ଅନୁଶୀଳନ କରିବେ। ପ୍ରାୟତଃ ସବୁଠାରେ ବାଇ ଲିଙ୍ଗୁଆଲ ବା ଦ୍ବିଭାଷୀ ପାଠ୍ୟକ୍ରମ କରାଯାଏ। ତେଣୁ ନିଜର ସାମର୍ଥ୍ୟ ଅନୁସାରେ ଜଣେ ଛାତ୍ରଛାତ୍ରୀ ଦୁଇ ଭାଷାରୁ ଗୋଟିଏକୁ ଚୟନ କରିପାରିବେ। ଗୋଟିଏ ବ୍ୟବସ୍ଥାରୁ ଆଉ ଗୋଟିଏ ବ୍ୟବସ୍ଥାକୁ ଯିବା ସମୟରେ ସମୟ ଲାଗିଥାଏ। ଯେଉଁମାନେ ଇଂରାଜୀ ସହ ଭଲ ଭାବେ ପ୍ରଚଳିତ ନୁହନ୍ତି ସେମାନଙ୍କ ପାଇଁ ଏହା ଫଳପ୍ରଦ ହେବ ବୋଲି ଡା.ମହାନ୍ତି କହିଛନ୍ତି।

କଷ୍ଟକର ହେବ ଅନେକ ଡାକ୍ତରୀ ଶବ୍ଦର ଓଡ଼ିଆ ଅନୁବାଦ
ଅନେକ ଦେଶରେ ପିଲା ନିଜ ଭାଷାରେ ମେଡିକାଲ ପଢ଼ୁଛନ୍ତି, ସେମାନେ ଦୁର୍ବଳ ନୁହନ୍ତି

ଅପରପକ୍ଷରେ ପୂର୍ବତନ ନିର୍ଦ୍ଦେଶକ(ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ) ଡା.ରାମଚନ୍ଦ୍ର ରାଉତ କହିଛନ୍ତି, ଏହାର ଉଭୟ ସକରାତ୍ମକ ଓ ନକରାତ୍ମକ ଦିଗ ରହିଛି। ମୌଳିକ ବିଜ୍ଞାନ ଯଥା ପଦାର୍ଥ, ଜୀବ ବିଜ୍ଞାନ, ରସାୟନ ବିଜ୍ଞାନ ଆଦି ଓଡ଼ିଆରେ ଅନୁବାଦ ହୋଇନାହିଁ। ସବୁ ଇଂରାଜୀ ମେଡିକାଲ ଶବ୍ଦର ଓଡ଼ିଆରେ ଯୁକ୍ତିଯୁକ୍ତ ପ୍ରତିଶବ୍ଦ ନାହିଁ। ଓଡ଼ିଆରେ ପଢ଼ାଇବା ପାଇଁ ଡାକ୍ତରୀ ଅଧ୍ୟାପକ ବି ନାହାନ୍ତି। ଇଂରାଜୀରେ ମେଡିକାଲ ନ ପଢ଼ିଲେ ପିଜି ପରୀକ୍ଷା ଦେଇହେବ ନାହିଁ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରିବାରେ ସମସ୍ୟା ହେବ। ଏହାସହ ମେଡିକାଲ ଗବେଷଣା ବାଧାପ୍ରାପ୍ତ ହେବ। ୩ ପ୍ରକାରର ମେଡିକାଲ ଶିକ୍ଷା ରହିଛି। ପ୍ରଥମଟି ହେଉଛି ଅଣ କ୍ଲିନିକ୍, ଦ୍ବିତୀୟରେ ପ‌ାରା କ୍ଲିନିକ୍ ଓ ତୃତୀୟଟି କ୍ଲିନିକାଲ। ଅଣ କ୍ଲିନିକ୍‌ରେ ଶରୀରତତ୍ତ୍ବ, ଶରୀର ଗଠନ, ଜୀବ ରସାୟନ ପାଠ୍ୟକ୍ରମ ରହିଛି। ଏସବୁ ଓଡ଼ିଆରେ ଅନୁବାଦ କରାଯାଇ ପଢ଼ା ହୋଇପାରିବ। ପାରା ଓ କ୍ଲିନିକାଲ କ୍ଷେତ୍ରକୁ ଓଡ଼ିଆରେ ପଢ଼ାଇବା କଷ୍ଟକର। ତେବେ ମାତୃଭାଷାରେ ପଢ଼ିଲେ ପିଲାଙ୍କ ଆଗ୍ରହ ଆସିବ। ସେମାନେ ଓଡ଼ିଆ ଭାଷାରେ ରୋଗୀମାନଙ୍କ ସହ ରୋଗ ସଂପର୍କରେ ଆଲୋଚନା କରିବା ସହ ବୁଝାଇପାରିବେ। ତେବେ ଔଷଧର ନାଁ ମଧ୍ୟ ଓଡ଼ିଆରେ ଲେଖିବା କଷ୍ଟକର ହେବ ବୋଲି ଡା.ରାଉତ କହିଛନ୍ତି। ରାଜ୍ୟ ସରକାର ଗଠନ କରିଥିବା କମିଟିର ସଦସ୍ୟ ପ୍ରଫେସର ନିରଞ୍ଜନ ରାଉତ କହିଛନ୍ତି, ଏହାର ବୈଠକ ବସିବା ପରେ କ’ଣ କ’ଣ ପଦକ୍ଷେପ ନିଆଯିବ ତାହା ଉପରେ ଆଲୋଚନା ହେବ। ତେଣୁ ଏବେଠାରୁ ଏହାର କୌଣସି ଦିଗ ପ୍ରତି ମନ୍ତବ୍ୟ ଦେବା ଠିକ୍ ହେବ ନାହିଁ ବୋଲି ଡା.ରାଉତ କହିଛନ୍ତି।