ଦୋହଲିଗଲାଣି ସ୍ୱାସ୍ଥ୍ୟ ଶିକ୍ଷା : ସରକାରୀ ମେଡ଼ିକାଲ କଲେଜ ସ୍ଥିତି ସାଂଘାତିକ; ପାଠ ପଢ଼ାଇବାକୁ ଶିକ୍ଷକ ନାହାନ୍ତି, ୬ଶହ ପଦବି ଖାଲି

୧୫୨୩ ଅଣଶିକ୍ଷକ ପଦବି ବି ଖାଲିପ଼ଡିଛି, ନୂଆକରି ଖୋଲିଥିବା ମେଡିକାଲ କଲେଜ ସ୍ଥିତି ତଦ୍ରୂପ

ଭୁବନେଶ୍ୱର : ଓଡ଼ିଶାରେ ଥିବା ସରକାରୀ ମେଡ଼ିକାଲ କଲେଜଗୁଡ଼ିକରେ ବିଭିନ୍ନ ପାହ୍ୟାରେ ୨୧୦୦ରୁ ଅଧିକ ପଦପଦବି ଖାଲିପଡ଼ିଛି। ଏଥିରୁ ଡାକ୍ତରୀ ଶିକ୍ଷକ ପଦବି ପ୍ରାୟ ୬୦୦ ହେବ। ରାଜ୍ୟ ସରକାରଙ୍କ ଏଭଳି ତଥ୍ୟ ସ୍ୱାସ୍ଥ୍ୟ ବିଭାଗରେ ଡାକ୍ତର ସଙ୍କଟର ଏକ ବଡ଼ ଉଦାହରଣ ବୋଲି କୁହାଯାଉଛି। କେବଳ ସେତିକି ନୁହେଁ, ରାଜ୍ୟରେ ଗୋଟିଏ ପରେ ଗୋଟିଏ ନୂଆ ସରକାରୀ ମେଡିକାଲ କଲେଜ ଆରମ୍ଭ ହେଉଥିବା ବେଳେ ଏସବୁରେ ପାଠପଢା କିଭଳି ହେବ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଲାଣି।

ବିଧାୟକ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏ ସମ୍ପର୍କିତ ଏକ ପରିସଂଖ୍ୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ୭ଟି ସରକାରୀ ମେଡ଼ିକାଲ କଲେଜ, ଗୋଟିଏ ଡେଣ୍ଟାଲ କଲେଜ ଓ ୪ଟି ହୋମିଓପାଥିକ କଲେଜ ଓ ୩ଟି ଆୟୁର୍ବେଦିକ କଲେଜ ରହିଛି। ଏହି ସରକାରୀ ସଂସ୍ଥାଗୁଡ଼ିକରେ ୧୫୨୩ଟି ଅଣଶିକ୍ଷକ ପଦବି ଖାଲି ପଡ଼ିଛି। ୫୯୫ ଶିକ୍ଷକ ପଦବି ଫାଙ୍କା ଥିବା ସରକାରଙ୍କ ପ୍ରଦତ୍ତ ହିସାବରେ ଉଲ୍ଲେଖ ଅଛି।

୭ଟି ସରକାରୀ ମେଡ଼ିକାଲ କଲେଜ ମଧ୍ୟରୁ ବୁର୍ଲାସ୍ଥିତ ଭୀମ୍‌ସାରରେ ସର୍ବାଧିକ ୧୪୯ଟି ଡାକ୍ତର ଶିକ୍ଷକ ପଦବି (ଗତ ମଇ ମାସ) ସୁଦ୍ଧା ଖାଲି ପଡ଼ିଥିଲା। ଏହି ମେଡ଼ିକାଲ କଲେଜ ଲାଗି ୨୫୦ଟି ମଞ୍ଜୁରିପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବି ଥିବାବେଳେ ସେଠାରେ ମାତ୍ର ୧୦୧ ଜଣଙ୍କୁ ନେଇ କାମ ଚାଲିଛି। କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜରେ ୯୭ଟି ଓ ବ୍ରହ୍ମପୁରର ଏମ୍‌କେସିଜି ମେଡ଼ିକାଲ କଲେଜରେ ୬୫ଟି ଡାକ୍ତରୀ ଶିକ୍ଷକ ପଦବି ଖାଲି। ଏହାଛଡ଼ା ନୂଆ ମେଡ଼ିକାଲ କଲେଜ ଅର୍ଥାତ୍‌ ବାରିପଦାର ପିଆର୍‌ଏମ୍‌ ଓ କୋରାପୁଟର ଏସ୍‌ଏଲ୍‌ଏନ୍‌ ମେଡ଼ିକାଲ କଲେଜ ହସ୍ପିଟାଲରେ ୧୨ଟି କରି ଡାକ୍ତରୀ ଶିକ୍ଷକ ପଦବି ଖାଲି ଥିବା ଜଣାପଡିଛି। ସବୁଠାରୁ ବଡ଼ କଥା ହେଲା, ସଦ୍ୟ ଉନ୍ମୋଚିତ ହୋଇଥିବା ବାଲେଶ୍ୱରର ଫକୀର ମୋହନ ମେଡ଼ିକାଲ କଲେଜ ହସ୍ପିଟାଲରେ ୨୨ଟି ଓ ବଲାଙ୍ଗୀରର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲରେ ୨୮ଟି ଡାକ୍ତରୀ ଶିକ୍ଷକ ପଦବି ଖାଲି ରହିଛି। ଏ ଦୁଇ଼ଟି ମେଡିକାଲ କଲେଜରେ ସର୍ବାଧିକ ୩୩୧ଟି ଓ ୩୧୯ଟି ଅଣଡାକ୍ତରୀ ପଦବି ମଧ୍ୟ ଖାଲିପଡ଼ିଛି। ବାରିପଦା ମେଡ଼ିକାଲ କଲେଜ ହସ୍ପିଟାଲରେ ୧୭୯ ଓ କୋରାପୁଟ ମେଡ଼ିକାଲ କଲେଜ ହସ୍ପିଟାଲରେ ୧୪୯ଟି ଅଣଶିକ୍ଷକ ପଦବି ଖାଲି ରହିଛି।

ଅଣଶିକ୍ଷକ ପଦବିକୁ ବିଚାରକୁ ନେଲେ ଏସ୍‌ସିବି ମେଡ଼ିକାଲ କଲେଜରେ ୧୩୮ଟି,ଏମ୍‌କେସିଜିରେ ୯୮ ଓ ଭୀମ୍‌ସାରରେ ୮୨ ଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏସ୍‌ସିବିରେ ଥିବା ଏକମାତ୍ର ସରକାରୀ ଡେଣ୍ଟାଲ କଲେଜ ହସ୍ପିଟାଲରେ ୮ଟି ଡାକ୍ତରୀ ଶିକ୍ଷକ ଓ ୯ଟି ଅଣଶିକ୍ଷକ ପଦବି ମଧ୍ୟ ଖାଲି।

ରାଜ୍ୟର ୭ଟି ଯାକ ହୋମିଓପାଥିକ ଓ ଆୟୁର୍ବେଦିକ ମେଡ଼ିକାଲ କଲେଜ ହସ୍ପିଟାଲ ସ୍ଥିତି ତଦ୍ରୂପ। ଏଠାରେ ଅର୍ଧାଧିକ ଡାକ୍ତରୀ ଶିକ୍ଷକ ପଦବି ଖାଲି। ୪ଟି ହୋମିଓପାଥିକ କଲେଜ ଲାଗି ୧୪୪ଟି ମଞ୍ଜୁରିପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବି ଥିବା ବେଳେ ଏଥିରୁ ୧୧୪ଟି ଖାଲି। ରାଉରକେଲା ଉତ୍କଳମଣି ହୋମିଓପାଥିକ ମେଡ଼ିକାଲ କଲେଜ ହସ୍ପିଟାଲ ଲାଗି ୩୬ଟି ମଞ୍ଜୁରିପ୍ରାପ୍ତ ଡାକ୍ତରୀ ଶିକ୍ଷକ ପଦବି ଥିବାବେଳେ ସେଥିରୁ ୨୯ଟି ଖାଲିପଡ଼ିଛି। ଭୁବନେଶ୍ୱରସ୍ଥିତ ଡ. ଅଭିନ୍ନ ଚନ୍ଦ୍ର ମେଡ଼ିକାଲ କଲେଜର ୩୭ଟି ଡାକ୍ତରୀ ଶିକ୍ଷକ ପଦବିରୁ ୨୮ଟି ଖାଲି ପଡ଼ିଛି। ସମ୍ବଲପୁରର ସରକାରୀ ହୋମିଓପାଥିକ କଲେଜର ୩୬ରୁ ୩୦ ଓ ବ୍ରହ୍ମପୁରର ସରକାରୀ ହୋମିଓପାଥିକ କଲେଜର ୩୫ରୁ ୨୭ଟି ଡାକ୍ତରୀ ଶିକ୍ଷକ ପଦବିରେ କେହି ନାହାନ୍ତି। ଏହି ୪ଟି ସଂସ୍ଥାରେ ୩୧ଟି ଅଣଶିକ୍ଷକ ପଦବି ଖାଲି ପଡ଼ିଛି।

ଓଡ଼ିଶାରେ ଥିବା ତିନୋଟି ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୧୨୪ରୁ ୭୮ଟି ଡାକ୍ତରୀ ଶିକ୍ଷକ ପଦବି ଖାଲି ଅଛି। ପୁରୀ ଗୋପବନ୍ଧୁ ଆୟୁର୍ବେଦିକ ମେଡ଼ିକାଲ କଲେଜରେ ୪୬ରୁ ୨୬, ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜରେ ୪୩ରୁ ୨୮ ଓ ଗଞ୍ଜାମର ଅଙ୍କୁଶପୁର ଠାରେ ଥିବା ଆୟୁର୍ବେଦିକ କଲେଜରେ ୩୫ରୁ ୨୪ଟି ଡାକ୍ତରୀ ଶିକ୍ଷକ ପଦବି ଖାଲି। ଏହି ତିନୋଟି ସଂସ୍ଥାରେ ୧୮୭ଟି ଅଣଶିକ୍ଷକ ପଦବି ଖାଲି ପଡ଼ିଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଥ୍ୟରୁ ସୂଚାଉଛି।

ରାଜ୍ୟରେ ଡାକ୍ତର ତିଆରି ସହିତ ରୋଗୀସେବା ଓ ଗବେଷଣା କ୍ଷେତ୍ରରେ ଏହି ୧୫ଟି ସରକାରୀ ମେଡ଼ିକାଲ କଲେଜର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥିବା ବେଳେ ସରକାର ଏଗୁଡ଼ିକରେ ୫୯୫ଟି ଡାକ୍ତରୀ ଶିକ୍ଷକ ସହିତ ମୋଟ୍‌ ୨୧୧୮ଟି ପଦବୀ ଖାଲି ରଖିବା ସ୍ୱାସ୍ଥ୍ୟସେବା ପ୍ରତି ସରକାରଙ୍କ ମନୋଭାବକୁ ଇଙ୍ଗିତ କରୁଛି ବୋଲି ବିଧାୟକ ଶ୍ରୀ ରାୟ ସୂଚାଇଛନ୍ତି।

ସମ୍ବନ୍ଧିତ ଖବର