ଭୁବନେଶ୍ବର: ରାଜ୍ୟରେ ମେଡିକାଲ ଶିକ୍ଷାରେ ବୈପ୍ଳବିକ ପରିବର୍ତ୍ତନ ଆସିବାକୁ ଯାଉଛି। ଖୁବଶୀଘ୍ର ଆଉ ୪ଟି ମେଡିକାଲ କଲେଜ ଓ ୪ଟି ନୂଆ ଡେଣ୍ଟାଲ କଲେଜ ଖୋଲିବାକୁ ଯାଉଛି। ଏହାସହ ରାଜ୍ୟରେ ମେଡିକାଲ କଲେଜ ପିଜି ସିଟ୍‌ ମଧ୍ୟ ବଢ଼ାଇବାକୁ ଯୋଜନା ହୋଇଥିବା ‘କନକ ନ୍ୟୁଜ୍‌’ର ‘ହେଲ୍‌ଥ କନ୍‌କ୍ଲେଭ୍‌-୨୦୨୫’ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଶ୍ରୀ ମହାଲିଙ୍ଗ କହିଛନ୍ତି ଯେ ଭଦ୍ରକ, ଜଗତସିଂହପୁର, ‌ଢେଙ୍କାନାଳ ଓ ନବରଙ୍ଗପୁରରେ ନୂଆ ମେଡିକାଲ କଲେଜ ଖୋଲିବାକୁ ଯାଉଛି। ସେହିପରି ନର୍ସିଂ କ୍ଷେତ୍ର ପାଇଁ ଆଗାମୀ ଦିନରେ କେରଳ ମଡେଲ୍‌ ଗ୍ରହଣ କରାଯିବ। ପୂରା ଓଡ଼ିଶାରେ ୧୫ଟି ନର୍ସିଂ କଲେଜ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଡାକ୍ତରଙ୍କ ଅଭାବ ପୂରଣ କରିବାକୁ ଖୁବଶୀଘ୍ର ୧୮୪୦ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ ବୋଲି ଶ୍ରୀ ମହାଲିଙ୍ଗ କହିଥିଲେ।

‘କନକ ନ୍ୟୁଜ୍ ହେଲ୍‌ଥ କନ୍‌କ୍ଲେଭ୍ ୨୦୨୫’

Advertisment

ପ୍ରାରମ୍ଭରେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଡାକ୍ତର ଓ ହସ୍ପିଟାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ଅନୁଷ୍ଠିତ ଅଧିବେଶନରେ ଡାକ୍ତରମାନେ ବିଭିନ୍ନ ପ୍ରସଙ୍ଗରେ ସେମାନଙ୍କ ମତ ରଖିଥିଲେ। ପ୍ରଥମ ଅଧିବେଶନ ‘ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ପ୍ରତିରୋପଣ ଯାଏ’ ବିଷୟରେ ମତ ରଖିଥିଲେ ଡା.ଦିବ୍ୟସିଂହ ଦାସ ଓ ଡା.ନରେଶ ପାଣିଗ୍ରାହୀ। ଦ୍ବିତୀୟ ଅଧିବେଶନରେ ବିଷୟବସ୍ତୁ ରହିଥିଲା ‘ଦେଶ ଓ ବିଦେଶରେ ଅସ୍ଥିଶଲ୍ୟ ଚିକିତ୍ସା’। ଡା.କୁମାର କୌଶିକ ଦାଶ ଯୋଗ ଦେଇ ଏହା ଉପରେ ସୂଚନା ଦେଇଥିଲେ। ତୃତୀୟ ଅଧିବେଶନରେ ‘ଅସ୍ଥିକୁ ଦୁର୍ବଳ କରୁଛି ଆଧୁନିକ ଜୀବନଶୈଳୀ’ ବି‌ଷୟବସ୍ତୁ ଉପରେ ଡା.ଆନନ୍ଦ କୁମାର ବେହେରା, ଡା.ବସନ୍ତ କୁମାର ବେହେରା ଓ ଡା.ମୋନାଲିସା ମଙ୍ଗୁଲ ଅନେକ ସୂଚନା ଦେଇଥିଲେ। ଶେଷ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ଅସ୍ଥିଶଲ୍ୟ ଚିକିତ୍ସା ଓ ପ୍ରଯୁକ୍ତିବିଦ୍ୟା’। ଏହା ଉପରେ ମତ ରଖିଥିଲେ ଡା.ସତ୍ୟନାରାୟଣ ‌ବେହେରା ଓ ଡା.ଅଂଶୁମାନ ସାହୁ।