କଟକ: ଡାକ୍ତରୀ ନାମ ଲେଖା ପାଇଁ ଠକ ଗ୍ୟାଙ୍ଗ ଦେଶର ୨୩ ଜଣ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପକେଟ୍ ଖାଲି କରି ଦେଇଛନ୍ତି। ଏହି ବଡ଼ବଡ଼ିଆଙ୍କ ତାଲିକାରେ ଡାକ୍ତର, ସଫ୍ଟଓୟାର ଓ ମାର୍ବଲ ବ୍ୟବସାୟୀ, ପ୍ରାଧ୍ୟାପକ ଇତ୍ୟାଦି ଅଛନ୍ତି। କ୍ରାଇମବ୍ରାଞ୍ଚ ଗିରଫ କରିଥିବା ଶୁଭାଶିଷ ପତିକୁ ରିମାଣ୍ଡରେ ନେବାକୁ ବାଙ୍ଗାଲୁରୁ, ନୋଏଡା, କଲିକତା, ରାଉରକେଲା, କମିସନରେଟ୍ ପୁଲିସ କ୍ରାଇମବ୍ରାଞ୍ଚ ସହିତ ଯୋଗାଯୋଗ କରିଛି। ଏହି ପୁଲିସ ଟିମ୍ ଖୁବ ଶୀଘ୍ର କଟକରେ ପହଞ୍ଚି କ୍ରାଇମବ୍ରାଞ୍ଚ ନିକଟରୁ ଠକେଇ ସଂକ୍ରାନ୍ତ କାଗଜପତ୍ର ସଂଗ୍ରହ କରିବା ପରେ ଶୁଭାଶିଷକୁ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ସୂଚନା ମିଳିଛି।
ଡାକ୍ତରୀ ନାମ ଲେଖା କେଳେଙ୍କାରୀରେ ୪ ବର୍ଷ ପରେ ଗିରଫ ଶୁଭାଶିଷ ପତିକୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମନାକୁ ଆସିବାରେ ଲାଗିଛି।
ଏହି ଠକ ଗ୍ୟାଙ୍ଗ ୨୦୧୫ ପରଠାରୁ ଦେଶରେ ସକ୍ରିୟ ହୋଇଥିଲେ। ଏମାନେ ଆସାମ ସିଲଚର ମେଡିକାଲ୍ କଲେଜରେ ଶିଶୁରୋଗ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ସୁଜିତ ନାଥ ଚୌଧୁରୀଙ୍କ ନିକଟରୁ ୭୦ ଲକ୍ଷ ଟଙ୍କା, ହିମାଚଳପ୍ରଦେଶର ବାଣିଜ୍ୟର ପ୍ରାଧ୍ୟାପକ ବିନୋଦ କୁମାରଙ୍କ ନିକଟରୁ ୨୧ ଲକ୍ଷ ଟଙ୍କା, ଇନଫୋସିଟିରେ ଚାକିରି କରିଥିବା ବିହାରର ଡାକ୍ତର ପତ୍ନୀ ଗଜଲ୍ ଝାଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା, ବାଙ୍ଗାଲୁରୁରେ ସଫ୍ଟଓୟାର ବ୍ୟବସାୟ କରୁଥିବା କ୍ରିଷ୍ଣ କୁମାର ଶର୍ମାଙ୍କ ଠାରୁ ୩୦ ଲକ୍ଷ ଟଙ୍କା, କଲିକତାର ମାର୍ବଲ କମ୍ପାନିର ବରିଷ୍ଠ ଅଧିକାରୀ ହିମାଦ୍ରି ବସୁଙ୍କ ନିକଟରୁ ୧୦ ଲକ୍ଷ ୫୦ ହଜାର ଟଙ୍କା, ପଶ୍ଚିମବଙ୍ଗ ଦୁର୍ଗାପୁରର ଅପୂର୍ବ ରଣାଙ୍କ ନିକଟରୁ ୮ ଲକ୍ଷ ଟଙ୍କା, ତାମିଲନାଡ଼ୁ ଚେନ୍ନାଇର ସଞ୍ଜିବ କୁମାର ସାମଲଙ୍କ ଠାରୁ ୫ ଲକ୍ଷ ଟଙ୍କା, ବିହାରର ନରିନ୍ କୁମାର ମଧୁବାନିଙ୍କ ଠାରୁ ୧ ଲକ୍ଷ ୪୯ ହଜାର ଟଙ୍କା, ଛତିଶଗଡ଼ ବାଲୋଦର ପ୍ରହଲ୍ଲାଦ କୁମାର ଜୈନଙ୍କ ଠାରୁ ୧୭ ଲକ୍ଷ ୨୨ ହଜାର ଟଙ୍କା, ଆସାମ କୋକରାଝରର ତରୁଲତା ଡେକାଙ୍କ ନିକଟରୁ ୧୭ ଲକ୍ଷ ୨୦ ହଜାର ଟଙ୍କା, ରାଉରକେଲାର ରଚିତ ନାୟକଙ୍କ ଠାରୁ ୩୦ ଲକ୍ଷ ଟଙ୍କା ଠକି ନେଇଛନ୍ତି। ପଶ୍ଚିମବଙ୍ଗରୁ ୫ ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଆସିଥିବା ଶୁଭାଶିଷର ଶୁକ୍ରବାର ଦିନ ରିମାଣ୍ଡ ଅବଧି ଶେଷ ହେବା ପରେ ଝାରପଡ଼ା ସ୍ବତନ୍ତ୍ର ଜେଲ୍କୁ ପଠାଇ ଦିଆଯାଇଛି। ଶୁଭାଶିଷ ବିରୋଧରେ ବାଙ୍ଗାଲୁରୁର ଅଶୋକ ନଗର ଓ କ୍ୟୁବାନ୍ ପୁଲିସ ଷ୍ଟେସନର ୧୦ଟି ମାମଲା ରହିଛି। ମର୍କତନଗରରେ ତିନୋଟି, ଇନଫୋସିଟିରେ ଗୋଟିଏ, ନୋଏଡ଼ାରେ ଗୋଟିଏ, ସୁନ୍ଦରଗଡ଼ର ରାଉରକେଲା ଓ ରାଜଗାଙ୍ଗପୁରରେ ଗୋଟିଏ ଲେଖାଏ ମାମଲା ରହିଛି। ତେଣୁ ପୁଲିସ ଏହି ଘଟଣାକୁ ନେଇ ପୁଣି ଥରେ ଖୋଳତାଡ଼ ଆରମ୍ଭ କରିଦେଇଛି।
ଭୂଟାନ, ନେପାଳରେ ଲୁଚିଥିଲା ଅଭିଯୁକ୍ତ
ଜେରା ପାଇଁ କଟକ ଆସିବ ବାଙ୍ଗାଲୁରୁ, ନୋଏଡା, କଲିକତା ପୁଲିସ
କ୍ରାଇମବ୍ରାଞ୍ଚରୁ ଠକେଇ ମାମଲା ସଂକ୍ରାନ୍ତ କାଗଜପତ୍ର ନେଲା ଇଡି
ଶୁଭାଶିଷ ଠକେଇ ଟଙ୍କାରେ କଲିକତାରେ ଦୁଇଟି ଆପାର୍ଟମେଣ୍ଟ ନିଜ ପତ୍ନୀ ନାଁରେ କୋଟିଏ ଟଙ୍କାର କିଣିଛି। ପତ୍ନୀଙ୍କ ନାଁରେ ଦାମୀ ଗାଡ଼ି ବି କିଣିଛି। କ୍ରାଇମବ୍ରଞ୍ଚ ହାତରୁ ଖସିବା ପାଇଁ ଗଲା ୨ ବର୍ଷ ତଳେ ଶୁଭାଶିଷ ନେପାଳ ଓ ଭୁଟାନରେ ୬ ମାସ କାଳ ଆତ୍ମଗୋପନ କରି ରହିଥିଲା। ପୁଣେର ସିମ୍ବିଓସିସ୍ ଇନଷ୍ଟିଚ୍ୟୁଟ ଅଫ୍ ବିଜିନେସ୍ ମ୍ୟାନେଜମେଣ୍ଟରେ ଏମ୍ବିଏ ପଢ଼ିବା ପରେ ଏଭଳି ଠକେଇ କାରବାରରେ ସେ ସାମିଲ ହୋଇଥିଲା। ଏହା ସହିତ ଏକ ସଫଟଓୟାର କମ୍ପାନିରେ ମାର୍କେଟିଂ ମ୍ୟାନେଜର ଭାବେ ମାସିକ ୫୦ ହଜାର ଟଙ୍କା ବେତନରେ ଚାକିରି ବି କରୁଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପଟେ ପାଖାପାଖି ୧୦ କୋଟି ଟଙ୍କାର ଠକେଇ ଘଟଣାକୁ ନେଇ କ୍ରାଇମବ୍ରାଞ୍ଚରେ ରୁଜୁ ହୋଇଥିବା ଦୁଇଟି ମାମଲାର କାଗଜପତ୍ର ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ନେଇଛି। ଠକଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟର ଆର୍ଥିକ କାରବାର ଇଡି ଅନୁଧ୍ୟାନ କରୁଥିବା ବେଳେ ଖୁବ ଶୀଘ୍ର ମାମଲା ରୁଜୁ କରିବାକୁ ଯାଉଥିବା ସୂଚନା ମିଳିଛି।