ଏସ୍‌ସିବି ଚକ୍ଷୁ ଗବେଷଣା କେନ୍ଦ୍ରରେ ୪ କୋଟିର ଉପକରଣ ବେକାର

ଦୁଇ ବର୍ଷ ହେଲା ରେଟିନା ଚିକିତ୍ସା, ଅସ୍ତ୍ରୋପଚାର ବନ୍ଦ

କଟକ : କଟକ ବଡ଼ ଡାକ୍ତରଖାନାରେ ରହିଛି ପୂର୍ବଭାରତର ପ୍ରଥମ ଆଞ୍ଚଳିକ ଚକ୍ଷୁ ଗବେଷଣା କେନ୍ଦ୍ର(ଆରଆଇଓ)। ରୋଗୀଙ୍କୁ ସବୁ ପ୍ରକାର ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏଠି ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା ସତ କିନ୍ତୁ ଏବେ ଅନେକ ଗୁରୁତ୍ବପୂର୍ଣ୍ଣ ଚିକିତ୍ସା ସେବା ଆଉ ସମ୍ଭବ ହୋଇପାରୁନି। ସରକାର ମାଗଣା ଚିକିତ୍ସା ବ୍ୟବସ୍ଥା କରିଥିବା ବେଳେ ଏସ୍‌ସିବିକୁ ଆସୁଥିବା ରୋଗୀ କିନ୍ତୁ ନିରାଶ ହୋଇ ଫେରୁଛନ୍ତି। ରେଟିନା ସର୍ଜରି, ଆଖିର ଡୋଳାରେ ରକ୍ତ ଜମାଟ ବାନ୍ଧିବା, ମଧୁମେହ କାରଣରୁ ଆଖି ପରଦା ଖରାପ ହେବା ଭଳି ଅନେକ ଚିକିତ୍ସା ରୋଗୀଙ୍କୁ ମିଳିପାରୁନି। ଏପରିକି ଏହି ସବୁ ବ୍ୟୟବହୁଳ ଚିକିତ୍ସା ପାଇଁ ୪ କୋଟି ଟଙ୍କାର କୋଭିଡ୍‌ ପୂର୍ବରୁ ରହିଥିଲେ ମଧ୍ୟ ତାର ଉପଯୋଗ ହୋଇପାରୁନି। ବରଂ ରୋଗୀ ବାଧ୍ୟ ହୋଇ ମାଗଣା ଚିକିତ୍ସା ପାଇଁ ଘ‌ରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି।

୨୦୦୦ ମସିହାରୁ ଏସ୍‌ସିବି ଚକ୍ଷୁ ବିଭାଗକୁ ଆଞ୍ଚଳିକ ଗବେଷଣା କେନ୍ଦ୍ରର ମାନ୍ୟତା ମିଳିଛି। ଯାହାକି ପୂର୍ବଭାରତର ପ୍ରଥମ ଚକ୍ଷୁ ଗବେଷଣା ପ୍ରତିଷ୍ଠାନ। ଉନ୍ନତମାନର ଚନ୍ଧୁ ଚିକିତ୍ସା ଓ ଗବେଷଣାର ଲକ୍ଷ୍ୟ ନେଇ ଏଭଳି କେନ୍ଦ୍ର ଏସ୍‌ସିବିରେ ଖୋଲାଯାଇଛି। ରାଜ୍ୟ ସମେତ ବାହାର ରାଜ୍ୟର ରୋଗୀ ବି ଏହାରି ଉପରେ ନିର୍ଭରଶୀଳ। କୋଭିଡ୍‌ ପୂର୍ବରୁ ରେଟିନା ସଂପର୍କିତ ସର୍ଜରି ଓ ଚିକିତ୍ସା ପାଇଁ ପାଖାପାଖି ୪ କୋଟି ଟଙ୍କାର ଉପକରଣ ବିଭାଗକୁ ଆସିଥିଲା। ଯାହାକି ଚକ୍ଷୁ ବିଭାଗର ଓଟିରେ ମଧ୍ୟ ରହିଛି। କିନ୍ତୁ ‌ହଠାତ୍‌ କୋଭିଡ୍‌ ଯୋଗୁଁ ଚକ୍ଷୁ ବିଭାଗ ଓଟି ବନ୍ଦ ରହିବା ସହ ଚକ୍ଷୁ ବିଭାଗରେ କରୋନା ପାଇଁ ସ୍ବତନ୍ତ୍ର ୱାର୍ଡ ଖୋଲାଗଲା। ଯାହା ଫଳରେ ଦୀର୍ଘ ୨ବର୍ଷ ହେଲା ଚକ୍ଷୁ ବିଭାଗରେ ଅସ୍ତ୍ରୋପଚାର ବନ୍ଦ ରହିଥିବାବେଳେ ଅତି ଜରୁରିକାଳୀନ ସମୟରେ ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗର ଓଟିକୁ ବ୍ୟବହାର କରାଗଲା। ବର୍ତ୍ତମାନ ସବୁ ସ୍ବାଭାବିକ ହେବା ପରେ ବି ଚକ୍ଷୁ ବିଭାଗ ଓଟିରେ ରେଟିନା ସଂପର୍କିତ କୌଣସି ଅସ୍ତ୍ରୋପଚାର ଅଥବା ଚିକିତ୍ସା ରୋଗୀଙ୍କୁ ମିଳି ପାରୁନି।

ବର୍ତ୍ତମାନ ସମୟରେ ମଧୁମେହ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ରେଟିନା, ମଧୁମେହ ରୋଗ ପାଇଁ ଆଖି ଡୋଳାରେ ରକ୍ତ ଜମାଟ ବାନ୍ଧିବା ଓ ରେଟିନା ସର୍ଜରି ପାଇଁ ଅନେକ ରୋଗୀ ଆସୁଥିବା ବେଳେ ସମସ୍ତେ ନିରାଶ ହୋଇ ଫେରୁଛନ୍ତି। ଜଣେ ରୋଗୀ ନିଜ ନାମ ଗୋପନ ରଖି ସୂଚନା ଦେଇଛନ୍ତି ଯେ, ରେଟିନା ସର୍ଜରି ବାହାରେ ଅର୍ଥାତ୍‌ ଘରୋଇ ହସ୍ପିଟାଲରେ କଲେ ୭୦/୮୦ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଏଥିପାଇଁ ଆବଶ୍ୟକ ଇଂଜେକସନ୍‌ ମଧ୍ୟ ୨୦ରୁ ୩୦ ହଜାର ଟଙ୍କା ପଡୁଛି। କିନ୍ତୁ ଯଦି ଏସ୍‌ସିବିରେ ଏହି ଅସ୍ତ୍ରୋପଚାର ହୋଇପାରନ୍ତା ତା‌ହେଲେ ବାହାରେ ଏତେ ଟଙ୍କା ଦେଇ ଅସ୍ତ୍ରୋପଚାର କରିବାକୁ ପଡନ୍ତାନି। ବିଭାଗର ଜଣେ ବରିଷ୍ଠ ପ୍ରଫେସର ବର୍ତ୍ତମାନ ରେଟିନା ସଂପର୍କିତ ଅସ୍ତ୍ରୋପଚାର ହେଉ ନଥିବା ଘଟଣାକୁ ସ୍ବୀକାର କରିଥିଲେ ବି ଏହାର କାରଣ ସ୍ପଷ୍ଟ କରି ନାହାନ୍ତି।

ସମ୍ବନ୍ଧିତ ଖବର