ଚିକିତ୍ସାରେ ଅବ‌ହେଳା ଅଭିଯୋଗ ଘଟଣାରେ କୌଣସି ଡାକ୍ତରଙ୍କୁ ଗିରଫ କରାଯାଇପାରିବ ନାହିଁ

ଭୁବନେଶ୍ୱର : ସାଧାରଣଭାବେ ଚିକିତ୍ସାରେ ଅବହେଳା ଆସିଥିବା ଅଭିଯୋଗ ଘଟଣାରେ କୌଣସି ଡାକ୍ତରଙ୍କୁ ଗିରଫ କରାଯାଇପାରିବ ନାହିଁ। ଏହି ନିଷ୍ପତ୍ତି ଶୁଣାଇଛନ୍ତି ଜାତୀୟ ମେଡିକାଲ କମିସନ ବା ଏନ୍‌ଏମ୍‌ସି। ଯଦି ଘଟଣାରେ ଅଧିକ ତଦନ୍ତ ଓ ପ୍ରମାଣ ସଂଗ୍ରହ କିମ୍ବା ପରବର୍ତୀ ସମୟରେ ଡାକ୍ତର ଜଣକ ପଚରାଉଚରା ପାଇଁ ଉପଲବ୍ଧ ହୋଇପାରିବେ ନାହିଁ ବୋଲି ତଦନ୍ତକାରୀ ଅଧିକାରୀ ହୃଦୟଙ୍ଗମ କରନ୍ତି ତାହାଲେ ଡାକ୍ତରଙ୍କୁ ଗିରଫ କରାଯାଇ ପାରିବ। ଗିରଫ ପୂର୍ବରୁ ସଂପୃକ୍ତ ଅଧିକାରୀ ଘଟଣାରେ ସମସ୍ତ ତଥ୍ୟ ଏସ୍‌ପି/ଡିଏସ୍‌ପିଙ୍କ ପାଖରେ ରଖିବା ଜରୁରୀ ବୋଲି କୁହାଯାଇଛି। ଏ ସଂପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଏମ୍‌ଏମ୍‌ସି ପକ୍ଷରୁ ଚିଠି ଲେଖାଯାଇଛି।

ଡାକ୍ତରଙ୍କ ବିରୋଧରେ ଚିକିତ୍ସାରେ ଅବ‌ହେଳା ଅଭିଯୋଗ ଘଟଣାରେ ଜିଲ୍ଲା ଏଫ୍‌ଏମ୍‌ଟି ବୋର୍ଡ ୨ସପ୍ତାହ ଭିତରେ ଅନୁଧ୍ୟାନ କରିବା ପରେ ତଦନ୍ତକାରୀ ସଂସ୍ଥା ନିକଟକୁ ନିଜର ପ୍ରସ୍ତାବ ପଠାଇବ। ଯଦି ତଦନ୍ତକାରୀ ସଂସ୍ଥା ଏହି ପ୍ରସ୍ତାବରେ ସନ୍ତୁଷ୍ଟ ନ ହୁଅନ୍ତି ତାହାଲେ ମେଡିକାଲ ବୋର୍ଡକୁ ଜଣାଇବେ। ପରେ ତଦନ୍ତକାରୀ ସଂସ୍ଥା/ଅଧିକାରୀ ଆଇନ ଅନୁଯାୟୀ ଘଟଣାର ତଦନ୍ତ ଆରମ୍ଭ କରିବେ। ରାଜ୍ୟ/କେନ୍ଦ୍ର ସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ଗିରଫ ପୂର୍ବରୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ସୂଚନା ପ୍ରଦାନ କରିବେ। ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କ ପାଇଁ ରାଜ୍ୟ ମେଡିକାଲ କାଉନ୍‌ସିଲ କିମ୍ବା ଏନ୍‌ଏମ୍‌ସିକୁ ଜଣାଇବେ ବୋଲି କୁହାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏନ୍‌ଏମ୍‌ସିର ଗାଇଡଲାଇନ୍ ପରେ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂପର୍କରେ ଚିଠି ଲେଖାଯିବ। ଗୃହ ବିଭାଗ ପକ୍ଷରୁ ଏଥିପାଇଁ ଗାଇଡଲାଇନ୍ ଜାରି ହେବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର