ଲାଞ୍ଚ ନେଇ ଧରାପଡ଼ିଲେ ମେଡିକାଲ ଅଧୀକ୍ଷକ, ପିଇଓ

ଭଞ୍ଜନଗର/ବେଲଗୁଣ୍ଠା : ପୃଥକ୍ ଲାଞ୍ଚ ଗ୍ରହଣ ଅଭିଯୋଗରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡା.ପୀତାମ୍ବର ଦାସ ଓ ବେଲଗୁଣ୍ଠା ବ୍ଲକ ଖଇରପୁଟି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାନନ ପ୍ରଧାନ ଆଜି ଭିଜିଲାନସ ଜାଲରେ ପଡ଼ିଛନ୍ତି।

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଭଞ୍ଜନଗର ଡାକ୍ତରଖାନା ଅଧୀକ୍ଷକ ଡା.ପୀତାମ୍ବର ଦାଶ ହାର୍ନିଆ ଅସ୍ତ୍ରୋପଚାର ପାଇଁ ଜଗନ୍ନାଥପ୍ରସାଦ ବ୍ଲକ ପଟାଙ୍ଗୀ ଗ୍ରାମର ଶଶି ବାରିକଙ୍କ ପତ୍ନୀ ଭାନୁମତୀଙ୍କ ଠାରୁ ୫ହଜାର ଟଙ୍କା ଦାବି କରିଥିଲେ। ଶଶିଙ୍କ ହାର୍ନିଆ ଅପରେସନ୍‌ ହେବାର ଥିଲା। ଗତକାଲି ଭାନୁମତୀ ବ୍ରହ୍ମପୁର ଭିଜିଲାନସ ଡିଭିଜନରେ ଏନେଇ ଅଭିଯୋଗ କରିଥିଲେ। ଆଜି ସକା‌େଳ ପୀତାମ୍ବର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଭିଜିଲାନସ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ। ରିପୋର୍ଟ ଲେଖାଯିବା ସୁଦ୍ଧା ପୀତାମ୍ବରଙ୍କ ବ୍ରହ୍ମପୁର ଅଳକାପୁରୀ ଦ୍ବିତୀୟ ଲାଇନସ୍ଥିତ ବାସଭବନ ଓ ଭୁବନେଶ୍ବରରେ ଥିବା ଏକ ଭଡ଼ା ଘରେ ଭିଜିଲାନସ ଟିମ୍ ଛାନଭିନ୍ କରିଛନ୍ତି। ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯିବ ବୋଲି ବ୍ରହ୍ମପୁର ଭିଜିଲାନସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦ୍ବିତୀୟ କିସ୍ତିର ବିଲ୍ ରିଲିଜ୍ ଓ ଭେରିଫିକେସନ୍ ପ୍ରମାଣପତ୍ର ଦେବାକୁ ୫ହଜାର ଟଙ୍କା ଲାଞ୍ଚ ଦାବି କରି ବେଲଗୁଣ୍ଠା ବ୍ଲକ ଖଇରପୁଟି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାନନ ପ୍ରଧାନ ଭିଜିଲାନସ ଦ୍ବାରା ଗିରଫ ହୋଇଛନ୍ତି। ଆଜି ସକାଳ ସାଢେ ୧୦ଟାରେ କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାନନ ଲାଞ୍ଚ ଟଙ୍କା ନେଉଥିବାବେଳେ ଭିଜିଲାନସ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ। ଗାଙ୍ଗପୁର ଥାନା ନିମିନା ସ୍ଥିତ ପଞ୍ଚାନନଙ୍କ ବାସଭବନସରେ ଛାନଭିନ୍ ଜାରି ରହିଥିବା ସହ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ କୁହଯାଇଛି।

ସମ୍ବନ୍ଧିତ ଖବର