ଅନୁଗୁଳ : ମେଡିକାଲ୍ ଚିକିତ୍ସା ଗାଁକୁ ଲମ୍ବିବ। ଡାକ୍ତରଖାନା ଭଳି ଗାଁରେ ଖୋଲିବ ମେଡିକାଲ୍ ଓପିଡି। ସବୁ ପ୍ରକାର ରୋଗର ଚିକିତ୍ସା ଏବଂ ନିଦାନ ଏଠି କରା ନଗଲେ ବି ଅନ୍ୟୁନ ୫ଟି ରୋଗର ଚିହ୍ନଟ ଏବଂ ନିରାକରଣ କରାଯିବ। ସେଥିପାଇଁ ଜାତୀୟ ସ୍ବାସ୍ଥ୍ୟ ମିସନ ଯୋଜନାରେ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁଗୁଳ ଜିଲ୍ଲାର ମୋଟ୍ ୯୨ଟି ସବ୍ ସେଣ୍ଟରରେ ଏ ପ୍ରକାର ନିଦାନ ଏବଂ ଚିକିତ୍ସା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ଓପିଡି କୌଣସି ଡାକ୍ତରଙ୍କ ଦ୍ବାରା ନୁହେଁ, ପ୍ରଶିକ୍ଷଣପ୍ରାପ୍ତ କମ୍ୟୁନିଟି ହେଲ୍ଥ ଅଫିସର(ସିଏଚ୍ଓ)ଙ୍କ ଦ୍ବାରା କରାଇବାକୁ ଯୋଜନା ହୋଇଛି।
୫ଟି ରୋଗ ପାଇଁ ୧୩ ପ୍ରକାର ଟେଷ୍ଟିଂ
୧୦୫ପ୍ରକାର ମେଡିସିନ୍ର ହେବ ଉପଯୋଗ
୯୨ଜଣ ସିଏଚ୍ଓଙ୍କୁ ଦିଆଗଲା ଟ୍ରେନିଂ
ଯେଉଁ ୫ଟି ରୋଗକୁ ଏଥିରେ ସାମିଲ୍ କରାଯାଇଛି, ସେଗୁଡ଼ିକ ହେଲା ସ୍ତନ କର୍କଟ, ସର୍ଭାଇକାଲ୍ କ୍ୟାନ୍ସର, ଉଚ୍ଚ ରକ୍ତଚାପ, ଡାଇବେଟିସ୍ ଏବଂ ଓରାଲ୍ କ୍ୟାନ୍ସର। ବର୍ତ୍ତମାନ ସମୟରେ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ସାଧାରଣ ରୋଗ ଭାବେ ପରିଗଣିତ ହେଲାଣି। କିନ୍ତୁ ଶରୀରରେ ବିଶେଷ କିଛି ଅସୁବିଧା ନ ହେଲା ଯାଏ, ଲୋକେ ଏ ରୋଗ ପ୍ରତି ସଚେତନ ନୁହନ୍ତି। ପ୍ରାଥମିକସ୍ତରରେ ଏ ରୋଗ ଚିହ୍ନିତ ନ ହେଲେ ଅତ୍ୟନ୍ତ ମାରାତ୍ମକ ହୋଇପାରେ। ରୋଗ ବିସ୍ତାର କରି ମେଡିକାଲ୍ ଯାଏ ଗଲା ବେଳକୁ ରୋଗୀ ମରଣ ମୁହଁରେ ପଡ଼ି ସାରିଥାଏ। ସେତବେଳକୁ ଆଉ କିଛି ନ ଥାଏ।
ତେଣୁ ଠିକଣା ସମୟରେ ରୋଗୀର ଏ ସବୁ ରୋଗ ଯେମିତି ଚିହ୍ନଟ ହୋଇପାରିବ ସେଥିପାଇଁ ଗାଁରେ ଏ ପ୍ରକାର ଓପିଡି ବ୍ୟବସ୍ଥା କରାଯାଉଛି। ଅନୁଗୁଳ ଜିଲ୍ଲାର ପ୍ରାୟ ୫ହଜାର ଜନସଂଖ୍ୟାରେ ଗୋଟିଏ ସବ୍ ସେଣ୍ଟର କରାଯାଇଛି। ପ୍ରତି ସବ୍ ସେଣ୍ଟରରେ ଜଣେ ଲେଖାଏ କମ୍ୟୁନିଟି ହେଲ୍ଥ ଅଫିସର ରହିବେ। ବିଭିନ୍ନ ପ୍ରକାର ନିଦାନ(ଟେଷ୍ଟିଂ) ପାଇଁ ସେମାନଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଛି। ମୋଟ୍ ଉପରେ ହେଲ୍ଥ ସେଣ୍ଟରରେ ୧୩ ପ୍ରକାର ପରୀକ୍ଷା କରିବା ପାଇଁ ସେମାନଙ୍କୁ ତାଲିମ୍ ଦିଆଯାଇଛି। ସେଥିପାଇଁ ସ୍ବତନ୍ତ୍ର ମେସିନ୍ ବି ଯୋଗାଇ ଦିଆଯାଇଛି। ଏହି ମେସିନ୍ ଜରିଆରେ ଘର ଘର ବୁଲି ରୋଗୀଙ୍କର ତିନି ପ୍ରକାର କ୍ୟାନ୍ସର ସ୍କ୍ରିନିଂ କରିପାରିବେ।
ଚିକିତ୍ସା ପାଇଁ ସେମାନଙ୍କ ପାଖରେ ୧୦୫ପ୍ରକାରର ଔଷଧ ଉପଲବ୍ଧ କରାଯିବ। କେବଳ ପ୍ରାଥମିକ ଚିକିତ୍ସା ନୁହେଁ, ସେଠାରୁ ମେଡିକାଲ୍କୁ ସେମାନେ ରେଫର୍ ବି କରିପାରିବେ ବୋଲି ଜାତୀୟ ସ୍ବାସ୍ଥ୍ୟ ମିସନ୍ର ଅନୁଗୁଳ ଡିପିଏମ୍ ଦୀପକ ମହାନ୍ତି କହିଛନ୍ତି। ଏଥିପାଇଁ କମ୍ୟୁନିଟି ହେଲ୍ ଅଫିସରମାନଙ୍କୁ ଟ୍ରେନିଂ ଦିଆ ସରିଲାଣି। ଗାଁରେ ଏ ପ୍ରକାର ରୋଗର ଓପିଡି ସେବା ଆରମ୍ଭ ହୋଇଗଲେ, ମେଡିକାଲ ଉପରେ ରୋଗୀଙ୍କ ଚାପ କମିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।