ପୁରୀ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାଜି ଲାଗିଛି ରୋଗୀଙ୍କ ଜୀବନ। ଅନଭିଜ୍ଞ ତଥା ନନ୍ ଟେକ୍ନିସିଆନ୍ଙ୍କ ହାତରେ ବିସ୍ଫୋରକ ଅକ୍ସିଜେନ୍ ସିଲିଣ୍ଡର। ଏହି ଘଟଣା ଆଜିକାର ନୁହେଁ, ବର୍ଷ ବର୍ଷ ଧରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ବେପରୁଆ କାର୍ଯ୍ୟ ଚାଲିଛି। ଯାହାର ପ୍ରତିଫଳନ ଗତକାଲି ଦେଖିବାକୁ ମିଳିଥିଲା। ଜନୈକ ସ୍ବାସ୍ଥ୍ୟମିତ୍ରଙ୍କୁ ରୋଗୀଙ୍କ ଦେହରେ ଅକ୍ସିଜେନ୍ ଲଗାଇବାକୁ ଦିଆ ଯାଇଥିଲା। କିନ୍ତୁ ଅଭିଜ୍ଞତା ଅଭାବରୁ ଏହି ଅକ୍ସିଜେନ୍ ସିଲିଣ୍ଡରରେ ଲାଗିଥିବା ହ୍ୟୁମିଡିଫାୟାର୍ ବୋତଲ ବିସ୍ଫୋରଣ ହୋଇଥିଲା। ଏଥିରେ କେହି ମୃତାହତ ହୋଇ ନଥିଲେ ବି ଚିକିତ୍ସାଳୟ ପରିସରରେ ଆତଙ୍କ ସୃଷ୍ଟି କରିଥିଲା। ଭୟର ବାତାବରଣରେ ମେଡିକାଲ୍ ଶଯ୍ୟାରେ ଥିବା ରୋଗୀଙ୍କୁ ରକ୍ତାକ୍ତ କରିଥିଲା। ତଥାପି ସ୍ଥିତିରେ ପରିବର୍ତ୍ତନ ଆସିନି। ଆଜି ବି ଅନଭିଜ୍ଞ କର୍ମଚାରୀଙ୍କୁ ଅକ୍ସିଜେନ୍ ଲଗାଇବା ଦାୟିତ୍ବ ଦେଇଛି ଜିଲ୍ଲା ସ୍ବାସ୍ଥ୍ୟ ସମିତି। ଏଭଳି ପରିସ୍ଥିତିରେ କୌଣସି ମୁହୂର୍ତ୍ତରେ ବି ଚିକିତ୍ସାଳୟ ପରିସରରେ କିଛି ବି ବଡ଼ ଅଘଟଣ ଘଟିବା ଆଶଙ୍କା ଦେଖା ଦେଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରତି ୱାର୍ଡ ପାଇଁ ଜରୁରିକାଳୀନ ଭିତ୍ତିରେ ବହୁ ସିଲିଣ୍ଡର ରହିଛି। ଆବଶ୍ୟକ ମୁତାବକ ଏହା ଷ୍ଟୋର୍ରୁ ୱାର୍ଡକୁ ଯାଏ। କିନ୍ତୁ ଏହାର ଅପବ୍ୟବହାର ରୋଗୀଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଇଛି। ରୋଗୀ କଲ୍ୟାଣ ସମିତିର ସଭ୍ୟ ରୁଦ୍ର ପ୍ରସାଦ ସିଂହ କହିଛନ୍ତି, ରୋଗୀଙ୍କୁ ଅକ୍ସିଜେନ୍ ଦେବା ପୂର୍ବରୁ ଏହା ଆବଶ୍ୟକ କି ନାହିଁ, ତା’କୁ ମପା ଯାଇଥାଏ। ଯଦି ନିଃଶ୍ବାସ ପ୍ରଶ୍ବାସରେ କୌଣସି ଅସୁବିଧା ଦେଖାଯାଏ, ତେବେ ଆବଶ୍ୟକ ପରିମାଣର ଅକ୍ସିଜେନ୍ ଦେବାକୁ ଡାକ୍ତର ପରାମର୍ଶ ଦିଅନ୍ତି। ସେହି ଅନୁଯାୟୀ ନର୍ସ ଓ ଟେକ୍ନିକାଲ୍ ପର୍ସନ୍ଙ୍କ ଉପସ୍ଥିତିରେ ଅକ୍ସିଜେନ୍ ସିଲିଣ୍ଡର ରୋଗୀଙ୍କଠାରେ ଲାଗେ। କିନ୍ତୁ ଜଣେ ସ୍ବାସ୍ଥ୍ୟମିତ୍ର ଏହାକୁ ରୋଗୀଙ୍କଠାରେ ଲଗାଇବା ଠିକ୍ ନୁହେଁ। ଗତକାଲି ଯେଉଁ ଅଘଟଣ ଘଟିଛି, ଏଥିପାଇଁ ହିଁ ଘଟିଛି।
ନିୟମ କହୁଛି, ରୋଗୀଙ୍କ କେତେ ଅକ୍ସିଜେନ୍ ଦରକାର ନର୍ସ ଟେକ୍ନିକାଲ୍ ପର୍ସନଙ୍କୁ କହିବେ। ସେହି ଅନୁଯାୟୀ ମିଟର୍ରେ ଦେଖିବା ପରେ ଏହାକୁ ରୋଗୀଙ୍କଠାରେ ଲଗାଯାଇଥାଏ। କାରଣ ଡାକ୍ତରଙ୍କ ପ୍ରେସ୍କ୍ରିପସନ୍ କେବଳ ନର୍ସ ହିଁ ଜାଣିପାରନ୍ତି। କିନ୍ତୁ ଗତକାଲି ନର୍ସ ଓ ଟେକ୍ନିକାଲ୍ ପର୍ସନ୍ଙ୍କ ଅନୁପସ୍ଥିତିରେ ଏହା କରାଯାଇଥିଲା। ବିସ୍ଫୋରଣ ଏହାର ମୁଖ୍ୟ କାରଣ ବୋଲି ଶ୍ରୀ ସିଂହ କହିଛନ୍ତି। ଅନ୍ୟପଟେ ଯଦି କେହି ନନ୍ ଟେକ୍ନିକାଲ୍ ପର୍ସନ୍ ରୋଗୀଙ୍କଠାରେ ଅକ୍ସିଜେନ୍ ଲଗାଏ, ଏହା କିଛି ବି ଅଘଟଣ ଘଟାଇବାର ସମ୍ଭାବନା ରହିଛି। ରୋଗୀଙ୍କୁ ବି ମାରି ଦେବାକୁ ସମର୍ଥ ରଖିଛି। ଏ ଦିଗରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସଚେତନ ରହିବା ଦରକାର ବୋଲି ସେ କହିଛନ୍ତି।