ମେଡିକାଲ୍‌ ଅକ୍ସିଜେନ୍ ଯୋଗାଣ ସ୍ବାଭାବିକ କର, ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ

ଭୁବନେଶ୍ବର : କରୋନା ପାଇଁ ଦେଶସାରା ଯଥେଷ୍ଟ ମେଡିକାଲ୍‌ ଅକ୍ସିଜେନ୍‌ର ଆବଶ୍ୟକତା ବଢ଼ିଯାଇଛି। ତେଣୁ ଏହାର ଯୋଗାଣ ଉପରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରିଛନ୍ତି। ଲକ୍ ଡାଉନ୍ ବେଳେ ଯେପରି ମେଡିକାଲ୍ ଅକ୍ସିଜେନ୍‌ର ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ନ ହୁଏ, ସେଥି ପାଇଁ କେନ୍ଦ୍ର ଗୃହ ସଚିବ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆଜି ଚିଠି ଲେଖିଛନ୍ତି।

କରୋନା ପରିପ୍ରେକ୍ଷୀରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଅତ୍ୟାବଶ୍ୟକ ଔଷଧ ତାଲିକାରେ ‌େମଡିକାଲ୍‌ ଅକ୍ସିଜେନ୍‌ ରହିଛି। ଏହା କିପରି ସୁରୁଖୁରୁରେ ଯୋଗାଣ ହୋଇପାରିବ, ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ପଡ଼ିବ। ମେଡିକାଲ୍‌ ଅକ୍ସିଜେନ୍ ଗ୍ୟାସ୍‌, ସିଲିଣ୍ଡର୍‌ ଓ ଏହା ସମ୍ପର୍କିତ ବିଭିନ୍ନ ସାମଗ୍ରୀର ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଯେପରି ଠିକ୍ ଭାବେ କାମ କରିବ ଓ ସେଠାକୁ ଆସୁଥିବା କର୍ମଚାରୀମାନେ ଯେପରି ବିନା ବାଧାରେ କାର୍ଯ୍ୟାଳୟ ଆସିପାରିବେ, ସେ ଦିଗରେ ରାଜ୍ୟ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବା ଜରୁରୀ ବୋଲି ଗୃହ ସଚିବ ଜଣାଇଛନ୍ତି। ଏହି ସାମଗ୍ରୀଗୁଡ଼ିକ ଯେପରି ସ୍ବାଭାବିକ ଭାବେ ପରିବହନ ହୋଇପାରିବ ଓ ରାଜ୍ୟ ସୀମାଗୁଡ଼ିକରେ ସେହି ଗାଡ଼ିକୁ କେହି ଅଟକାଇବେ ନାହିଁ, ସେ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ କୁହାଯାଇଛି।

ଲକ୍‌ ଡାଉନ୍‌ରେ ଥିବା ବ୍ୟବସ୍ଥା ଅନୁଯା‌ୟୀ ସାମାଜିକ ଦୂରତ୍ବ ଓ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଏହି ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ଧ୍ୟାନ ଦେବା ଜରୁରୀ। ସଂପୃକ୍ତ ସଂସ୍ଥାର ମୁଖ୍ୟମାନଙ୍କର ଏହା ଦାୟିତ୍ବ। ସେମାନେ ଏହା ପାଳନ କରୁଛନ୍ତି କି ନାହିଁ, ଜିଲ୍ଲା ପ୍ରଶାସନ ତାହାର ତଦାରଖ କରିବେ। ମେଡିକାଲ୍‌ ଅକ୍ସିଜେନ୍ ଯୋଗାଣ ନେଇ ଜିଲ୍ଲା ପ୍ରଶାସନ ଓ କ୍ଷେତ୍ର ସ୍ତରରେ କାମ କରୁଥିବା ସଂସ୍ଥାଗୁଡ଼ିକୁ ତୁରନ୍ତ ଏ ସମ୍ପର୍କରେ ଅବଗତ କରାଇବାକୁ ଗୃହ ସଚିବ ଜଣାଇଛନ୍ତି।

ସମ୍ବନ୍ଧିତ ଖବର