ଆଉ ଜାଲିଆତି ହେବନି ଡାକ୍ତରୀ ଚିଠା, ଇଞ୍ଜୁରି ରିପୋର୍ଟ ହେରଫେରରେ ଲାଗିବ ଅଙ୍କୁଶ

ସିଟି ହସ୍‌ପିଟାଲ ଓପିଡି, ଆଇପିଡିରେ କାଗଜ ବଦଳରେ ଏବେ କମ୍ପ୍ୟୁଟର

କଟକ : ସିଟି ହସପିଟାଲରେ ଡାକ୍ତର ବାବୁ ଆଉ ହାତରେ ଚିଠା ଲେଖିବେ ନାହିଁ। ଅନଲାଇନରେ କମ୍ପ୍ୟୁଟରରୁ ଏହି ଚିଠା ରୋଗୀଙ୍କୁ ମିଳିବ। ଡାକ୍ତରୀ ପରୀକ୍ଷା ନମୁନା ରିପୋର୍ଟ ବି ଅନଲାଇନରେ ମିଳିବ। ଏଥିପାଇଁ ରୋଗୀଙ୍କୁ ବାରମ୍ବାର କାଉଣ୍ଟରକୁ ଦୌଡ଼ିବାକୁ ପଡ଼ିବ ନାହିଁ। ରିପୋର୍ଟ ପ୍ରସ୍ତୁତ ହେବା ପରେ ରୋଗୀଙ୍କ ମୋବାଇଲକୁ ମ୍ୟାସେଜ୍ ଆସିବ। ଏହି ମ୍ୟାସେଜ୍ ଆଧାରରେ ରୋଗୀ ନିଜ ରିପୋର୍ଟ ସଂଗ୍ରହ କରିବେ। ଏଭଳି ଅନଲାଇନ୍ ବ୍ୟବସ୍ଥା ଦ୍ବାରା ଇଞ୍ଜୁରି ରିପୋର୍ଟରେ ପୁଲିସ କିମ୍ବା ଡାକ୍ତର ଆଉ ହେରଫେର୍ କରିପାରିବେ ନାହିଁ ବୋଲି କୁହାଯାଉଛି। ଡାକ୍ତରଖାନାରେ ସ୍ବଚ୍ଛତା ଆଣିବା ପାଇଁ ଏଭଳି ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି।

ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହାତ ଲେଖା ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ଉଦ୍ଦେଶ୍ୟରେ ବୁଧବାରଠାରୁ ଡିଜିଟାଇଜେସନ୍ କାମ ହାତକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ଓକାକ୍ (ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟର) ସହାୟତାରେ ସିଟି ହସପିଟାଲରେ ଏଭଳି ଡିଜିଟାଇଜେସନ୍ ପାଇଁ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଉପକରଣ ପହଞ୍ଚିଛି। ସିଟି ହସପିଟାଲ୍ ଓପିଡି ଟିକଟ କାଉଣ୍ଟର ସମେତ ମେଡିସିନ, ସର୍ଜରି, ଗାଇନିଂ, ଶିଶୁ ରୋଗ, ରେଡିଓଲୋଜି, ଚକ୍ଷୁ, ପାଥୋଲଜି, ମାଇକ୍ରୋ ବାଇଓଲଜି, ରକ୍ତ ସଂଗ୍ରହ ୟୁନିଟ୍ ସହିତ ଏହି ଡିଜିଟାଇଜେସନ୍ କାର୍ଯ୍ୟକ୍ରମ ଯୋଡ଼ି ହୋଇଛି। ଜଣେ ରୋଗୀ ଓପିଡି ଟିକଟ୍ ଅନଲାଇନରେ କାଟିବା ପରେ ଯେତେବେଳେ ଆଉଟଡୋରକୁ ଯିବେ ସେଠି ଡାକ୍ତର ଯେଉଁ ଚିଠା ଲେଖିବେ ତାକୁ କମ୍ପ୍ୟୁଟରରେ ଲେଖାଯିବ। ପ୍ରତି ଓପିଡିରେ ଜଣେ ଲେଖାଏ କମ୍ପ୍ୟୁଟର ଅପରେଟରଙ୍କୁ ନିୟୋଜିତ କରାଯିବ। କମ୍ପ୍ୟୁଟରରୁ ଚିଠି ପ୍ରିଣ୍ଟ ହୋଇ ବାହାରିବା ପରେ ଏଥିରେ ଡାକ୍ତର ଦସ୍ତଖତ କରିବେ। ରୋଗୀଙ୍କ ଯେଉଁ ନମୁନା ପରୀକ୍ଷା ହେବ ଏହି ନମୁନା ବି ଅନଲାଇନରେ ରହିବ। ଏଭଳି ଅନଲାଇନ୍ ବ୍ୟବସ୍ଥା ଦ୍ବାରା ଜଣେ ରୋଗୀଙ୍କ ରୋଗ ସମ୍ପର୍କିତ ପୂର୍ବ ରେକର୍ଡ ଯେକୌଣସି ସମୟରେ ଏଣିକି ଜଣେ ରୋଗୀ ଜାଣିପାରିବେ।

ଏଭଳି ଅନଲାଇନ୍ ବ୍ୟବସ୍ଥା ଦ୍ବାରା ଇଞ୍ଜୁରି ରିପୋର୍ଟ ଓ ସରକାରୀ ଅଧିକାରୀ ଛୁଟି ଆବେଦନ ପାଇଁ ନେଉଥିବା ଡାକ୍ତରୀ ରିପୋର୍ଟରେ ସ୍ବଚ୍ଛତା ଆସିବ ବୋଲି କୁହାଯାଉଛି। ଆହତଙ୍କ ଇଞ୍ଜୁରି ରିପୋର୍ଟରେ ପୁଲିସ ଅନେକ ସମୟରେ ହେରଫେର୍ କରୁଥିବା କୁହାଯାଉଛି। ରିପୋର୍ଟ ଗାଏବ୍ ମାମଲା ସିଟି ହସପିଟାଲରେ ଏକ ପ୍ରମୁଖ ସମସ୍ୟା ହେଉଥିଲା। ଏହି ସମସ୍ୟା ଏଣିକି ଦୂର ହେବ ବୋଲି କୁହାଯାଉଛି। ଏହି ରିପୋର୍ଟ ଡାକ୍ତର ଅନଲାଇନରେ ପ୍ରସ୍ତୁତ କରିବେ। ତେଣୁ ରିପୋର୍ଟରେ କୌଣସି ପ୍ରକାର ପରିବର୍ତ୍ତନ ହୋଇପାରିବ ନାହିଁ। ସରକାରୀ ଅଧିକାରୀମାନେ ଛୁଟିରେ ରହିଲେ ପୂର୍ବରୁ ଆଉଟଡୋର୍ ଟିକଟ୍ କରି ଡାକ୍ତରଙ୍କ ଦସ୍ତଖତ ଓ ଷ୍ଟାମ୍ପ ଜାଲିଆତି କରି ନିଜ ବିଭାଗରେ ଦାଖଲ କରୁଥିଲେ। ବର୍ଷକୁ ସିଟି ହସପିଟାଲକୁ ଜାଲି ଦସ୍ତଖତ ଥିବା ଡାକ୍ତରଙ୍କ ଚିଠା ମାମଲା ୪୦ରୁ ୫୦ଟି ଆସୁଛି। ଏବେ ଡିଜିଟାଇଜେସନ୍ ହେବା ଦ୍ବାରା ଡାକ୍ତରଙ୍କ ଚିଠାରେ କୌଣସି ପ୍ରକାର ଜାଲିଆତି ହୋଇପାରିବ ନାହିଁ। ସିଟି ହସିପାଟଲରେ ଥିବା ରକ୍ତ ସଂଗ୍ରହ ୟୁନିଟରେ କେତେ ପରିମାଣର ରକ୍ତ ରହିଛି, ଏ ସମ୍ପର୍କିତ ତଥ୍ୟ ବି ଅନଲାଇନରେ ରହିବ। ସିଟି ହସପିଟାଲ ସହିତ ଏହି ବ୍ୟବସ୍ଥା ଜିଲ୍ଲାର ଅନ୍ୟ ୩୦ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗୁ ହେବାକୁ ଯାଉଥିବା ଅଧୀକ୍ଷକ ଡାକ୍ତର ସୁଧାଂଶୁ କୁମାର ଗିରି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର