ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଲଟିଛି ଏମ୍‌ଆର୍‌ମାନଙ୍କ ଚରାଭୂଇଁ : ନିଦାବିଷ୍ଣୁ ପାଲଟିଛନ୍ତି ଚିକିତ୍ସାଳୟ କର୍ତ୍ତୃପକ୍ଷ, ଡାକ୍ତରଙ୍କ ବିରୋଧରେ ନାହିଁ କାର୍ଯ୍ୟାନୁଷ୍ଠାନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ୍ ରିପ୍ରେଜେଣ୍ଟେଟିଭ୍(ଏମ୍ଆର) ମାନଙ୍କ ପାଇଁ ଚରାଭୂଇଁ ପାଲଟିଛି। କିଛି ଡାକ୍ତରଙ୍କର ଏଥିନେଇ ପକେଟ୍ ଗରମ ହେଉଥିବା ‌ବେ‌ଳେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ ମଧ୍ୟ ନିଦାବିଷ୍ଣୁ ପାଲଟିଛନ୍ତି। ଖାଲି ଯାହା ଧର୍ମକୁ ଆ‌ଖିଠାର ମାରିବା ଭଳି ଚିକିତ୍ସାଳୟ କର୍ତ୍ତୃପକ୍ଷ ଏମ୍‌ଆର୍‌ମାନଙ୍କ ପ୍ରବେଶ ନିଷେଧ ବୋଲି କାନ୍ଥରେ ‌ଲେଖି ଦେଇ ନିଜର କର୍ତ୍ତବ୍ୟ ସାରି ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଏମ‌୍ଆର୍‌ ଓ ଡାକ୍ତରଙ୍କର ଏଭଳି କାରବାର ବଢ଼ି ଚାଲିଛି। ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏ ନେଇ ଏକ ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଥିଲା। ଗଣମାଧ୍ୟମ ପ୍ରତିନିଧି ଅନ୍ୟ ଗୋଟିଏ ଘଟଣା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇ କ୍ୟାମେରାରେ ସୁଟିଂ କରୁଥିବା ବେଳେ, ୫ରୁ ୬ ଜଣ ଏମ୍‌ଆର୍‌ ଦୌଡ଼ିବାକୁ ଲାଗିଥିଲେ। ହଠାତ ବିଭିନ୍ନ ଡାକ୍ତରଙ୍କ ନିକଟରେ ବସିଥିବା ତଥା ବାରଣ୍ଡାରେ ବୁଲୁଥିବା ଏହି ଅଜଣା ବ୍ୟକ୍ତିମାନ‌େ ଦୌଡ଼ିଥିଲେ। ପରେ ପରେ ଜଣାପଡ଼ିଥିଲା ଯେ ଏମାନେ ସମସ୍ତେ ଏମ୍‌ଆର୍‌। ନିୟମିତ ଭାବେ ବିଭିନ୍ନ ଡାକ୍ତରଙ୍କ ପାଖକୁ ଆସି ନିଜ କମ୍ପାନିର ମେଡିସିନ୍‌ ଲେଖିବାକୁ ପ୍ରବର୍ତ୍ତାଉଛନ୍ତି। ଏପରିକି କିଛି ଏମ୍‌ଆର୍‌ ସାଥିରେ ଆଣିଥିବା ମେଡିସିନ୍ ବ୍ୟାଗ୍ ଛାଡ଼ି ଦୌଡ଼ିଥିଲେ।

ଘଟଣା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ସିଡିଏମ୍ଓଙ୍କୁ ଜଣାଇବା ପରେ ସମସ୍ତଙ୍କ ବ୍ୟାଗ୍‌କୁ ମେଡିକାଲ୍ ମ୍ୟାନେଜର ନେଇ ଗୋଟଏ ଘରେ ତାଲା ପକାଇ ରଖି ଦେଇଥିଲେ। ଘଟଣାସ୍ଥଳରୁ ଏମ୍‌ଆର୍‌ମାନେ ଖସିଯାଇଥିଲେ। ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏମ୍‌ଆର୍‌ମାନଙ୍କ ପ୍ରାଦୁର୍ଭାବ ବର୍ଷସାରା ଲାଗି ରହୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ‌ କିନ୍ତୁ ବେଫିକର। ଏପରିକି ଏ ନେଇ ଗଣାମଧ୍ୟମରେ ଫଟୋ ସହିତ ଖବର ପ୍ରକାଶ ପାଉଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଖି ନଦେଖିଲା ଭଳି ହୁଅନ୍ତି। ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କି ଏମ୍‌ଆର୍‌ମାନଙ୍କର ମଧ୍ୟ ଚିକିତ୍ସାଳୟକୁ ଆ‌ସିବା ବନ୍ଦ ହୁଏନି। ଆଜିର ଘଟଣା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମ୍ୟାନେଜରଙ୍କୁ ପଚାରିବାରୁ, ସମସ୍ତ ଏମ୍‌ଆର୍‌ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ନିକଟରେ ଅଣ୍ଡରଟେକିଂ ‌ଲେଖିବା ପରେ ଛଡ଼ାଯାଇଛି। ଯଦି ପୁନର୍ବାର ସେମାନେ ଆସନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଡାକ୍ତରଙ୍କ ବାବଦରେ ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର