ନାହିଁ ନାହିଁରେ ଚାଲିଛି ମାଓ ଇଲାକାରେ ସ୍ବାସ୍ଥ୍ୟସେବା ! ନା ଏଠାରେ ଅଛନ୍ତି କର୍ମଚାରୀ ନା ଔଷଧପତ୍ର

ଯୁଯୁମୁରା/ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ଦୁର୍ଗମ ତଥା ମାଓବାଦୀ ପ୍ରବଣ ଯୁଯୁମୁରା ବ୍ଲକ୍ କେଶାପାଲି ଅଂଚଳରେ ସ୍ବାସ୍ଥ୍ୟସେବାର ବିଚିତ୍ର ଚିତ୍ର ଦେଖିବାକୁ ମିଳିଛି। ଏଠାରେ ଗତ ନିର୍ବାଚନ ସମୟରୁ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି। ମାତ୍ର ଏଠାରେ ନା କର୍ମଚାରୀ ଅଛନ୍ତି ନା ଔଷଧପତ୍ର। କୌଣସି ଡାକ୍ତର, ଫାର୍ମାସିଷ୍ଟ, ଷ୍ଟାଫ ନର୍ସ ମଧ୍ୟ ନାହାନ୍ତି। ଡାକ୍ତରଖାନା କୋଠା ଏବେ ଭୂତକୋଠି ପାଲଟିବାରେ ଲାଗିଛି। ସବୁଠୁ ବଡ଼ କଥା ହେଉଛି ଏହି ସ୍ବାସ୍ଥ୍ୟକେନ୍ଦ୍ର ପାଇଁ କୁଆଡ଼େ ସରକାରୀ ଅନୁମୋଦନ ନାହିଁ ବୋଲି କୁହାଯାଉଛି। ସେଥିଲାଗି ଏଠାରେ ଡାକ୍ତର, ନର୍ସ କି କର୍ମଚାରୀ ନିଯୁକ୍ତି କରାଯାଇପାରୁନି ବୋଲି ସରକାରୀ ଭାବେ ସଫେଇ ଦିଆଯାଉଛି। ମାତ୍ର ଯଦି ଅନୁମୋଦନ ନାହିଁ ତେବେ ଏତେ ବଡ଼ କୋଠା ତିଆରି ସହ ଏହାର ଉଦ୍ଘାଟନ କିପରି କରାଗଲା ଓ ଏଥିଲାଗି ଅର୍ଥ କିଏ ମଞ୍ଜୁର କଲା ବୋଲି ଅଞ୍ଚଳବାସୀଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ଯୁଯୁମୁରା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୧୭ କିମି ଦୂରରେ କେଶାପାଲି ପଞ୍ଚାୟତ ଅବସ୍ଥିତ। ପୂର୍ବରୁ ଏହି ପଞ୍ଚାୟତର ଲୋକେ ଯୁଯୁମୁରା ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଥିଲେ। ସ୍ବାସ୍ଥ୍ୟସେବା ଲୋକଙ୍କ ପାଖରେ ପହଂଚି ପାରୁ ନଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତ ୨୦୧୪ ନିର୍ବାଚନ ପୂର୍ବରୁ ଏହା ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ପ୍ରସଙ୍ଗ ଥିଲା। ତେଣୁ ଏଠାରେ ଡାକ୍ତରଖାନା ସ୍ଥାପନ କରି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ସ୍ଥାନୀୟ ଏଏନ୍ଏମ୍ କେନ୍ଦ୍ରକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଥିଲା। ୨୦୧୪ ମାର୍ଚ୍ଚ ୩ ତାରିଖରେ ଅସ୍ଥାୟୀ ଭାବେ ପିଏଚ୍‌ସି ଉଦଘାଟିତ ହୋଇଥିଲା। ଏନଆରଏଚଏମ ପକ୍ଷରୁ କୋଠା ମରାମତି ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ତତ୍‌କାଳୀନ ଅର୍ଥମନ୍ତ୍ରୀ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଏହି ପିଏଚ୍‌ସିକୁ ଉଦଘାଟନ କରିଥିଲେ।

ଏହାପରେ ୨/୩ ମାସ ପର୍ଯ୍ୟନ୍ତ ଯୁଯୁମୁରା ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଯାଇ ସେଠାରେ ଚିକିତ୍ସା କରୁଥିଲେ। ନିର୍ବାଚନ ପରେ ପରେ ସବୁ ଠପ। ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ କେଶାପାଲି ପଂଚାୟତ ଏବଂ ଗଡ଼ଲୋଇସିଂ ପଞ୍ଚାୟତ ସହ ରେଢ଼ାଖୋଲ ବ୍ଲକ ଭାଳିଆକଟା ପଞ୍ଚାୟତର ପ୍ରାୟ ୧୦ ହଜାର ବାସିନ୍ଦା ସ୍ବାସ୍ଥ୍ୟସେବା ପାଇଁ ଆଶା ରଖିଥିଲେ।

ଏବେ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ଫଳରେ ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ଗତ ୨୦୧୭ ଅଗଷ୍ଟ ୩୦ ତାରିଖରେ ଯୁଯୁମୁରା ସିଏଚ୍‌ସିକୁ ପରିଦର୍ଶନ କରିବାକୁ ଆସିଥିବା ସମୟରେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ଜନପ୍ରତିନିଧି ଏ ବାବଦରେ ଅବଗତ କରିଥିଲେ। ଅନ୍ୟପକ୍ଷରେ ତତକାଳୀନ ସିଡିଏମଓ କୋଦଣ୍ଡ ରାଓ ଏ ବିଷୟରେ କହିଥିଲେ ଯେ କେଶାପାଲି ସ୍ବାସ୍ଥ୍ୟ କେନ୍ଦ୍ରର ଅନୁମୋଦନ ନାହିଁ। ସେଠାରେ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆ ଯାଇପାରୁନାହିଁ। ତେବେ,ଏହି ସ୍ବାସ୍ଥ୍ୟକେନ୍ଦ୍ର ଯଦି ସରକାରୀ ଅନୁମୋଦନ ନ ଥିଲା, ତା’ହେଲେ ତତକାଳୀନ ସ୍ବାସ୍ଥ୍ୟ ଅଧିକାରୀ ଏବଂ ମନ୍ତ୍ରୀ କିପରି ଏହାକୁ ଉଦଘାଟନ କରିବାକୁ ଚାଲି ଆସିଥିଲେ? ଏହା ବ୍ୟତୀତ କୋଠାଟି କେଉଁ ଅନୁଦାନ ଏବଂ କାହା କାର୍ଯ୍ୟାଦେଶରେ ନିର୍ମାଣ ହୋଇଥିଲା ବୋଲି ଏବେ ପ୍ରଶ୍ନ ହେଉଛି।

ସୂଚନାଯୋଗ୍ୟ ଏହି ମ୍ୟାଲେରିଆପ୍ରବଣ ଦୁର୍ଗମ ଅଂଚଳରୁ ପ୍ରତିଦିନ ୭୦-୮୦ ରୋଗୀ ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଯାଉଛନ୍ତି। ସେମାନେ ଯୁଯୁମୁରା ନଚେତ ଜିଲ୍ଲା ସଦର ଡକ୍ଟରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି। ସେମାନଙ୍କ ଲାଗି ହାତପାଆନ୍ତାରେ ସ୍ବାସ୍ଥ୍ୟସେବା ଏକ ସରକାରୀ ଭେଳିକି ଭଳି ହୋଇଛି। ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ହସ୍ତ‌େକ୍ଷପ କରୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ଏ ସଂପର୍କରେ ସିଡିଏମ୍‌ଓ ଡ. କେ.କେ. ଗୁପ୍ତା କହିଛନ୍ତି, ତତ୍‌କାଳୀନ ସିଡିଏମଓ ଡ.କୋଦଣ୍ଡ ରାଓଙ୍କ କାର୍ଯ୍ୟକାଳ ସମୟରୁ କେଶାପାଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଅନୁମୋଦନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପାଖକୁ ଚିଠି ପଠାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଉତ୍ତର ଆସି ନାହିଁ। ଏବେ ଅନେକ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନୁମୋଦନ ଦିଆଯାଉଛି, ତେଣୁ ଏହାକୁ ମଧ୍ୟ ଶୀଘ୍ର ଅନୁମୋଦନ ମିଳିବାର ଆଶା ରହିଛି ବୋଲି ଶ୍ରୀ ଗୁପ୍ତା କହିଛନ୍ତି।

ସମ୍ବନ୍ଧିତ ଖବର