୨୮ରେ ଔଷଧ ଦୋକାନ ବନ୍ଦ : ସାମିଲ ହେବେ ୨୬ହଜାର ବ୍ୟବସାୟୀ

ଭୁବନେଶ୍ୱର : ଆସନ୍ତା ୨୮ତାରିଖରେ ରାଜ୍ୟରେ ସମସ୍ତ ଔଷଧ ଦୋକାନ ବନ୍ଦ ରହିବ। ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ଅଲ ଇଣ୍ଡିଆ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ ଆହ୍ଵାନରେ ଦେଶବ୍ୟାପୀ ଏହି ବନ୍ଦ ଡାକରା ଦିଆଯାଇଛି। ଇ-ଫାର୍ମାସି ଜରିଆରେ ଔଷଧ ବିକ୍ରିକୁ ବିରୋଧ କରି ଔଷଧ ଦୋକାନୀମାନେ ଏହି ବନ୍ଦରେ ସାମିଲ ହେବେ। ରାଜ୍ୟରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ ଏହି ବନ୍ଦରେ ସାମିଲ ହୋଇଛି। ୨୭ତାରିଖ ମଧ୍ୟରାତ୍ରରୁ ୨୮ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଔଷଧ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ଇ-ଫାର୍ମାସି ଓ ଅନଲାଇନ ଜରିଆରେ ଔଷଧ ବ୍ୟବସାୟ ହେଲେ ରୋଗୀଙ୍କ ପାଖରେ ଠିକ୍‌ରେ ଔଷଧ ପହଞ୍ଚିପାରିବ ନାହିଁ। ଔଷଧର ମାନ ମଧ୍ୟ ପରୀକ୍ଷା କରିବା ସମ୍ଭବ ହେବନାହିଁ। ଅନଲାଇନ ଜରିଆରେ ଜଣେ ବ୍ୟକ୍ତି ନିଶା ଔଷଧ ମଧ୍ୟ ମଗାଇ ପାରିବ। ଅନଲାଇନ ଜରିଆରେ ବ୍ୟବସାୟ ହେଲେ ଔଷଧ ବ୍ୟବସାୟ ଉପରେ ନିର୍ଭର କରୁଥିବା ଦୋକାନୀ ଓ କର୍ମଚାରୀମାନେ ସେମାନଙ୍କର ଜୀବିକା ହରାଇବେ। ଲକ୍ଷ ଲକ୍ଷ ପରିବାର ଏହାଦ୍ୱାରା କ୍ଷତିଗ୍ରସ୍ତ ହେବେ ବୋଲି କୁହାଯାଉଛି।

ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ର ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରାୟ ୪ହଜାର ହୋଲେସେଲର୍‌ ଓ ୨୨ହଜାର ଖୁଚୁରା ଔଷଧ ବ୍ୟବସାୟୀ ରହିଛନ୍ତି। ସର୍ବଭାରତୀୟ ସଂସ୍ଥାର ବନ୍ଦ ଆହ୍ଵାନରେ ରାଜ୍ୟରେ ମଧ୍ୟ ଔଷଧ ଦୋକାନ ବନ୍ଦ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର