ବୁର୍ଲା : ଗରିବ ବାପାର ତିନି ଅସହାୟ ଝିଅ। ବୁର୍ଲା ମେଡିକାଲରେ ପେଟ ରୋଗରେ ଆକ୍ରାନ୍ତ ବୃଦ୍ଧ ବାପାର ଚିକିତ୍ସା କରାଉଥିଲେ। ଶୁକ୍ରବାର ସକାଳ ୯ଟାରେ ସେଣ୍ଟ୍ରାଲ୍ ଆଇସିୟୁରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେଲା। ମାତ୍ର ଆଇସିୟୁ ଚାର୍ଜ ଦେବାକୁ ଝିଅମାନଙ୍କ ପାଖରେ ଆଉ ଟଙ୍କା ନଥିଲା। ଆଇସିୟୁରେ କାର୍ଯ୍ୟରତ ନର୍ସିଂ କର୍ମଚାରୀ ଶବକୁ ଛାଡ଼ିଲେ ନାହିଁ। ଟଙ୍କା ପଇଠ କଲେ ଶବ ହସ୍ତାନ୍ତର ହେବ ବୋଲି ରୋକଠୋକ୍ ଝିଅମାନଙ୍କୁ ଶୁଣାଇଦେଲେ। ଟଙ୍କା ଯୋଗାଡ଼ କରିବାକୁ ଝିଅମାନେ ଏଣେତେଣେ ଘୂୂରି ବୁଲିଲେ। ୬ଘଣ୍ଟା କାଳ ଭିମ୍ସାର ଆଇସିୟୁରେ ବାପାଙ୍କ ଶବ ବନ୍ଧକ ରହିଲା। ଏଭଳି ଏକ ଅଭାବନୀୟ ଘଟଣା ଭିମ୍ସାରରେ ଦୃଷ୍ଟିକଟୁ ହୋଇଥିଲା।
ଭିମ୍ସାର ସେଣ୍ଟ୍ରାଲ ଆଇସିୟୁର ୧୪ ନଂ ଶଯ୍ୟାରେ ଚିକିତ୍ସିତ ହେଉଥିବା ସମ୍ବଲପୁର ଧନକଉଡା ଗାଁର ଲେକୁରୁ କଲେତ(୬୦)ଙ୍କ ସକାଳ ୯ଟାରେ ଚିକିତ୍ସାଧୀନ ମୃତ୍ୟୁ ନେଇ ବିଭାଗୀୟ ଡାକ୍ତର ଘୋଷଣା କଲେ। ଗତ ୮ ତାରିଖ ତାଙ୍କୁ ଆଇସିୟୁରେ ଭର୍ତ୍ତିି କରାଯାଇଥିଲା। ତିନି ଦିନର ଅଢେଇ ଶହ ଲେଖାଏଁ ଆଇସିୟୁ ଚାର୍ଜ ଓ ଗୋଟେ ଦିନର ଭେଣ୍ଟଲେଟର ଚାର୍ଜ ମିଶି ମୋଟ ୧୨୫୦ ଟଙ୍କା ଫିଜ୍ ବାବଦକୁ ମେଡ଼ିକାଲରେ ଜମା କରିବାକୁ ବୃଦ୍ଧ ବାପାଙ୍କୁ ଚିକିତ୍ସା କରାଉଥିବା ମଞ୍ଜୁ ନାଗଙ୍କୁ କୁହାଗଲା। ମାତ୍ର ତାଙ୍କ ପାଖରେ ଆଉ ଟଙ୍କା ନଥିଲା। ଆଇସିୟୁରେ କାର୍ଯ୍ୟରତ ନର୍ସିଂ କର୍ମଚାରୀ ଟଙ୍କା ଜମା କରି ରସିଦ ଦେଲେ ଯାଇ ଶବ ହସ୍ତାନ୍ତର କରାଯିବ ବୋଲି କହିଲେ। ଭଉଣୀ ଅର୍ଚ୍ଚନା, ରଞ୍ଜିତା ଓ ସାନ ଭାଇ ରଞ୍ଜନ କଲେତଙ୍କୁ ମେଡ଼ିକାଲରେ ଛାଡ଼ି ମଞ୍ଜୁ ସମ୍ବଲପୁର ଟଙ୍କା ଯୋଗାଡ଼ ପାଇଁ ଗଲେ। ଧନକଉଡାର ପୂର୍ବ ସରପଞ୍ଚଙ୍କ ଠାରୁ ଖବର ପାଇ ସମ୍ବଲପୁରର ସ୍ୱେଚ୍ଛାସେବୀ ସଂଗଠନ ସମ୍ବଲକୁ ଯାଇ ସହଯୋଗ ମାଗିଲେ। ସମ୍ବଲର ରାମଦାଶ ପଣ୍ଡା ଏବଂ ସୁବ୍ରତ ପଣ୍ଡା ମେଡ଼ିକାଲ ପହଞ୍ଚି ଭିମସାର ନିର୍ଦ୍ଦେଶକ ପ୍ରଫେସର ଡା. ଅଶ୍ୱିନୀ ପୂଜାହାରୀଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ। ଡା.ପୂଜାହାରୀଙ୍କ ହସ୍ତକ୍ଷେପ ପରେ ଆଇସିୟୁରୁ ନିଶୁଳ୍କରେ ମୃତକଙ୍କ ଶବକୁ ଅପରାହ୍ନ ୩ଟାରେ ତାଙ୍କ ତିନି ଝିଅମାନଙ୍କୁ ହସ୍ତାନ୍ତର କରାଗଲା। ସମ୍ବଲ ପକ୍ଷରୁ ଶବ ବାହକରେ ମୃତଶରୀର ନିଆଯାଇ ସମ୍ବଲପୁର ରାଜଘାଟ ଠାରେ ସଂସ୍କାର କାର୍ଯ୍ୟ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/de.jpg)