ପ୍ରସୂତିଙ୍କଠାରୁ ଲାଞ୍ଚ ଆଦାୟ ଘଟଣା : ଷ୍ଟାଫ୍‌ ନର୍ସ ଓ ସଫେଇ କର୍ମଚାରୀ ନିଲମ୍ବିତ, ଅନ୍ୟ ଜଣେ ସଫେଇ କର୍ମଚାରୀ ବହିଷ୍କୃତ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କକ୍ଷରେ ପ୍ରସୂତି ଏବଂ ଗର୍ଭବତୀଙ୍କ ପରିଜନଙ୍କଠାରୁ ଟଙ୍କା ଲାଞ୍ଚ ନେବା ମାମଲାରେ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସିଡିଏମ୍‌ଓ ଜଣେ ଷ୍ଟାଫ୍‌ନର୍ସ ଓ ସଫେଇ କର୍ମଚାରୀ ନିଲମ୍ବିତ କରିଛନ୍ତି। ଅନ୍ୟ ଜଣେ ସଫେଇ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଛି।

ସୂଚନାଥାଉ କି, ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି କକ୍ଷରେ ଶୁକ୍ରବାର ରାତିରେ କିଛି ନର୍ସ ଓ କର୍ମଚାରୀ ଅର୍ଥ ଆଦାୟ କରୁଥିବା ଶନିବାର ଅଭି‌ଯୋଗ ହୋଇଥିଲା। ଟଙ୍କା ନ ଦେଲେ ବୁର୍ଲା ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିବେ ବୋଲି ଧମକ ଦେବାରୁ ସେମାନେ ବାଧ୍ୟ ହୋଇ ଟଙ୍କା ଦେଇଥିବା ସିଡିଏମ୍‌ଓଙ୍କଠାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘୫-ଟି’ ଓ ‘ମୋ ସରକାର ଯୋଜନା କାର୍ଯ୍ୟକାରିତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିଲା। ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ଏପରିକି ବିଜେପିର ନେତା ଓ କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭେଟି ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ।

ଏହି ଘଟଣାର ତଦନ୍ତ ପାଇଁ ସିଡିଏମ୍‌ଓ ଏକ ଟିମ୍‌ ଗଠନ କରିଥିଲେ। ତେବେ ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରବିବାର ଅପରାହ୍‌ଣରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଅଚାନକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ପ୍ରସୂତି କକ୍ଷକୁ ଯାଇ ପ୍ରସୂତି ଏବଂ ସେମାନଙ୍କ ପରିଜନଙ୍କୁ ଭେଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀଙ୍କୁ ଟଙ୍କା ଦେଇଥିବା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଘଟଣାର ସତ୍ୟତା ଥିବା ଜଣା ପଡିବା ପରେ ଜିଲ୍ଲାପାଳ ଦୋଷୀ କର୍ମଚାରୀଙ୍କୁ ନିଲମ୍ବନ କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ସିଡିଏମ୍‌ଓ ଡା. ଦିଲ୍ଲୀପ ପଣ୍ଡା ଏଥିରେ ସମ୍ପୃକ୍ତ ଷ୍ଟାଫନର୍ସ ଭାଗ୍ୟବତୀ ସା, ସଫେଇ କର୍ମଚାରୀ କୌଶଲ୍ୟା ବାଘଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ। ଅନ୍ୟ ଜଣେ ଠିକା ସଫେଇ କର୍ମଚାରୀ ସସ୍ମିତା ମହାରଣାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର