ଔଷଧ ଦୋକାନୀଙ୍କ ଦିନିକିଆ ବନ୍ଦ : ୨ଶହ କୋଟିର ବ୍ୟବସାୟ ପ୍ରଭାବିତ

ଭୁବନେଶ୍ୱର : ଇ-ଫାର୍ମାସି ଓ ଅନ୍‌ଲାଇନରେ ଔଷଧ ବିକ୍ରକୁ ବିରୋଧ କରି ଆଜି ରାଜ୍ୟବ୍ୟାପୀ ଔଷଧ ‌ଦୋକାନ ବନ୍ଦ ରହିଥିଲା। କେବଳ ସରକାରୀ ଓ ବେସରକାରୀ ହସ୍ପିଟାଲରେ ଥିବା ଔଷଧ ଦୋକାନକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ଔଷଧ‌ ଦୋକାନ ଏହି ବନ୍ଦରେ ସାମିଲ ହୋଇଥି‌େଲ। ଔଷଧ ଦୋକାନୀଙ୍କ ବନ୍ଦ ଯୋଗୁଁ ରାଜ୍ୟରେ ପ୍ରାୟ ୨ଶହ କୋଟିର ବ୍ୟବସାୟ ପ୍ରଭାବିତ ହୋଇଥିବା ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘ ଡାକରାରେ ରାଜ୍ୟରେ ଆଜି ରାଜ୍ୟରେ ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍ ଏଥିରେ ସାମିଲ ହୋଇଥିଲା। ରାଜ୍ୟରେ ହୋଲସେଲ ଓ ଖୁଚୁରା ବ୍ୟବସାୟୀଙ୍କୁ ମିଶାଇ ୨୨ହଜାର ବ୍ୟବସାୟୀ ନିଜର ଦୋକାନ ବନ୍ଦ ରଖିଥିଲେ। ଆସୋସିଏସନ୍‌ର କହିବାନୁଯାୟୀ, ଅନଲାଇନ ବ୍ୟବସାୟ କେବଳ ବାଣିଜ୍ୟିକ ‌ଦୃଷ୍ଟିକୋଣରୁ ନୁହେଁ ବରଂ ଲୋକଙ୍କ ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଏହାର ପ୍ରଭାବ ପକାଇବ। ଏହି ପ୍ରସ୍ତାବକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରାଯିବା ସହିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହାସତ୍ବେ ମଧ୍ୟ ସରକାର କୌଣସି ଦୃଷ୍ଟି ନ ଦେବାରୁ ସର୍ବଭାରତୀୟସ୍ତରରେ ଔଷଧ‌ ଦୋକାନ ବନ୍ଦ ଡାକରା ଦିଆଯାଇଥିଲା ବୋଲି ଆସୋସିଏସନ୍ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର