ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଭିମ୍ସାର)ରେ ଦ୍ବିତୀୟ ବର୍ଷ ଡାକ୍ତରୀ ଛାତ୍ରଙ୍କୁ ରୢାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଭିମ୍ସାର ଆଣ୍ଟି ରୢାଗିଂ କମିଟି ବୈଠକ ହୋଇଥିଲା। କାର୍ଯ୍ୟାନୁଷ୍ଠାନ ପାଇଁ ସବ୍କମିଟି ମଧ୍ୟ ଗଠନ ହୋଇଛି। କିନ୍ତୁ ଅଭିଯୁକ୍ତ ଛାତ୍ର ବିରୋଧରେ ଭିମ୍ସାର କର୍ତ୍ତୃପକ୍ଷ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଏହା ସ୍ପଷ୍ଟ କରାଯାଉ ନାହିଁ।
ସୂଚନା ଅନୁଯାୟୀ, ୭ ତାରିଖରେ ଭିମ୍ସାର ଛାତ୍ରାବାସ କଂପ୍ଲେକ୍ସରେ ଦ୍ବିତୀୟ ବର୍ଷ ଛାତ୍ର ରହୁଥିବା କୋଠରିକୁ ତୃତୀୟ ବର୍ଷର କେତେକ ଛାତ୍ର ଆସିଥିଲେ। ସେମାନେ ଦ୍ବିତୀୟ ବର୍ଷର ଜଣେ ଛାତ୍ରଙ୍କୁ ଡାକି ତାଙ୍କୁ ଚିହ୍ନିଛ କି ବୋଲି ପଚାରିଥିଲେ। ଏହାପରେ ଉକ୍ତ ଛାତ୍ରଙ୍କୁ ଗାଳିଗୁଲଜ କରିବା ସହିତ ସମସ୍ତଙ୍କ ସମ୍ମୁଖରେ ଅପମାନିତ କରି ଜୋରରେ ଠେଲି ଦେବା ସହିତ ମାରପିଟ୍ କରିଥିଲେ। ଏ ସଂପର୍କରେ ସଂପୃକ୍ତ ଛାତ୍ର ଜଣକ ନିଜ ମା’ଙ୍କୁ କହିଥିଲେ। ଏହାପରେ ଛାତ୍ରଙ୍କ ମା’ ଭିମ୍ସାର ଅଧ୍ୟକ୍ଷ ପ୍ରଦୀପ ମହାନ୍ତିଙ୍କୁ ମୌଖିକ ଭାବରେ ଜଣାଇଥିଲେ। ଆଣ୍ଟି ରୢାଗିଂ କମିଟି ବୈଠକରେ ପୀଡ଼ିତ ଛାତ୍ରଙ୍କ ମା’ ରୢାଗିଂ ବିଷୟରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ। ସେ କମିଟି ଆଗରେ କହିଥିଲେ ଯେ, ନିଜେ ଜଣେ ପିଲାର ମା’ ଅଟନ୍ତି। ଅନ୍ୟ ଛାତ୍ରଙ୍କ ଭବିଷ୍ୟତ ଖରାପ ହେଉ ବୋଲି ଚାହିବେ ନାହିଁ। ତେଣୁ ଲିଖିତ ଭାବରେ ଅଭିଯୋଗ କରିବେ ନାହିଁ। ତେବେ, ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିମ୍ସାର ଅଧ୍ୟକ୍ଷ ଓ କମିଟିକୁ ସେ କହିଥିଲେ। ଏହାପରେ ଉଭୟ ପୀଡ଼ିତ ଛାତ୍ର ଏବଂ ଅଭିଯୁକ୍ତ ଛାତ୍ରଙ୍କୁ ଡକାଯାଇ କମିଟି ବୟାନ ସଂଗ୍ରହ କରିଥିଲା। ଘଟଣାର ବିସ୍ତୃତ ତଦନ୍ତ ପାଇଁ ଡାକ୍ତର ଅଶୋକ ନାଏକଙ୍କ ନେତୃତ୍ବରେ ସବ୍କମିଟି ଗଠିତ ହୋଇଥିଲା। ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ କମିଟି ନିଷ୍ପତ୍ତି ହୋଇଥିଲା। ଅନ୍ୟଦିଗରେ ଆନାଟୋମି ବିଭାଗର ପ୍ରାଧ୍ୟାପକ ତଥା ଘଟଣା ଦିନ ଭିମ୍ସାର ଅଧ୍ୟକ୍ଷ ଦାୟିତ୍ବରେ ଥିବା ମମତା ସର କହିଛନ୍ତି, ଭିମ୍ସାରରେ କୌଣସି ରୢାଗିଂ ହୋଇନାହିଁ। ଦ୍ବିତୀୟ ଓ ତୃତୀୟ ବର୍ଷର ଛାତ୍ରଙ୍କ ମଧ୍ୟରେ ବିବାଦ ହୋଇଥିଲା। ବୈଠକ ଡକାଯାଇ ଏହାର ସମାଧାନ କରାଯାଇଛି।
ଗତବର୍ଷ ଏମ୍କେସିଜିରେ ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ରୢାଗିଂ କରିବା ନେଇ ୫ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଆଶା କରାଯାଉଥିଲା, ରୢାଗିଂ ବନ୍ଦ ହେବ। ମାତ୍ର ଭିମ୍ସାରରୁ ପୁଣି ଏଭଳି ଅଭିଯୋଗ ଆସିଛି। ସୂଚନା ଅନୁଯାୟୀ, ପ୍ରଥମ ବର୍ଷ ବିଦ୍ୟାର୍ଥୀଙ୍କୁ ରୢାଗିଂ କରାଯାଉଥିବାରୁ ସେମାନଙ୍କୁ ବରିଷ୍ଠ ବିଦ୍ୟାର୍ଥୀଙ୍କ ଠାରୁ ଦୂରରେ ସୁରକ୍ଷିତ ଛାତ୍ରାବାସରେ ରଖାଯାଏ। ତେଣୁ ପ୍ରଥମ ବର୍ଷର ବିଦ୍ୟାର୍ଥୀଙ୍କୁ ରୢାଗିଂ ନକରି ଦ୍ବିତୀୟ ବର୍ଷ ବିଦ୍ୟାର୍ଥୀଙ୍କୁ ଏଭଳି ରୢାଗିଂ କରାଯାଉଛି।