ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣା: ହତ୍ୟା ଅଭିଯୋଗ ଆଣିଲେ ବାପା, ମା

ରାଗିଂ ନେଲା କି ଜୀବନ?

ବଲାଙ୍ଗୀର: ବାପା ମାଙ୍କର ଏକମାତ୍ର ପୁଅ। ବାପା ପ୍ରଫେସର, ମା ଶିକ୍ଷୟିତ୍ରୀ। ଡାକ୍ତର ହେବାକୁ ସ୍ୱପ୍ନ ଦେଖିଥିଲେ ନିଶାନ୍ତ। ଆଉ ସ୍ୱପ୍ନକୁ ସାକାର କରିବା ପାଇଁ ପରିଶ୍ରମ କରିଥିଲେ। ସଫଳତା ବି ପାଇଥିଲେ। ବିନା କୋଚିଂରେ ପ୍ରଥମ ପ୍ରୟାସରେ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସର୍ବଭାରତୀୟ କୋଟାରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନାଁ ଲେଖାଇଥିଲେ। ଡାକ୍ତର ହେବେ ଓ ପରିବାରର ଖ୍ୟାତି ବଢ଼ାଇବେ। ଏହାଥିଲା ତାଙ୍କର ଲକ୍ଷ୍ୟ। ହେଲେ କଲେଜରେ ମାତ୍ର ଦଶ ଦିନ ରହଣିରେ ଦଶା ଭୋଗିଲେ ପରିବାର ଲୋକେ। କଣ ହେଲା କେଜାଣି ଏବେ ନିଶାନ୍ତଙ୍କ ମୃତ୍ୟୁ ରହସ୍ୟ ଘେରରେ। ଯଦି ଆତ୍ମହତ୍ୟା, କଣ ହୋଇପାରେ ଆତ୍ମହତ୍ୟାର କାରଣ? ଯଦି ହତ୍ୟା କିଏ, କାହିଁକି କଣ ପାଇଁ ନିଶାନ୍ତଙ୍କୁ ହତ୍ୟା କରିବ? କେବଳ ରାଗିଂ ପାଇଁ ଜୀବନ ଯାଇଛି ନା ଘଟଣା ପଛରେ ଆଉ କିଛି କାରଣ ରହିଛି? ପ୍ରାଥମିକ ତଦନ୍ତ ପରେ ବି ମୁହଁ ଖୋଲୁନି ପୁଲିସ। ଏପଟେ ମୃତ୍ୟୁର ପାଖାପାଖି ୨୪ ଘଣ୍ଟା ପରେ ରାଜସ୍ଥାନ କର୍ଣ୍ଣଲ ସହରରେ ରହୁଥିବା ପରିବାର ଲୋକେ ବଲାଙ୍ଗୀର ଆସି ପହଞ୍ଚିଛନ୍ତି। ଆସୁ ଆସୁ ହତ୍ୟାର ଅଭିଯୋଗ ଆଣିଛନ୍ତି ବାପା, ମା। ବିକଳ ହୋଇ କାନ୍ଦି କାନ୍ଦି ମା ସନ୍ତୋଷ କହୁଥିଲେ ‘ମୋ ପୁଅକୁ ମୋତେ ଫେରାଇ ଦିଅ।

୧୫୦୦ କିମି ଦୂରରୁ ପାଠ ପଢ଼ି ମଣିଷ ହେବା ପାଇଁ ଆସିଥିଲା। ହେଲେ ଜୀବନ ଚାଲିଗଲା। ଗତକାଲି ମଧ୍ୟାହ୍ନ ଭୋଜନ ପୂର୍ବରୁ ଓ ମଧ୍ୟାହ୍ନ ଭୋଜନ ପରେ ମୋତେ, ମୋ ପୁଅ ଭିଡିଓ କଲ୍‌ କରିଥିଲା। ଗତ ଚାରି ପାଞ୍ଚ ଦିନ ହେବ ବାରବାର ଫୋନ୍ କରି ଭୟଙ୍କର ରାଗିଂ ହେଉଥିବାର କହୁଥିଲା। ମୁଁ ତାକୁ ଅନେକ ବୁଝାଇଥିଲି। ଗତକାଲି ବି ରାଗିଂକୁ ନେଇ ଚିନ୍ତାଗ୍ରସ୍ତ ଥିଲା। ତେଣୁ ମୋ ପୁଅ ଆତ୍ମହତ୍ୟା କରିନି। ତାକୁ ହତ୍ୟା କରାଯାଇଛି। ମୃତ ନିଶାନ୍ତଙ୍କ ବାପା ଡ. କ୍ରିଷ୍ଣ କୁମାରଙ୍କ ବି ସମାନ ଅଭିଯୋଗ। ଗତ ୧୨ ତାରିଖ ପୁଅକୁ ଛାଡ଼ିବା ସମୟରେ ଡିନ୍‌ କହିଥିଲେ, ଏ ହେଉଛି ରାଗିଂ ଫ୍ରି ଇନ୍‌ଷ୍ଟିଚ୍ୟୁସନ। କିନ୍ତୁ ପୁଅ ବାରବାର ଅଭିଯୋଗ କରୁଥିଲା, ଶାରୀରିକ ନିର୍ଯାତନା ଦେଇ ରାଗିଂ କରୁଛନ୍ତି। ହେଲେ କଲେଜର ଡିନ୍‌ ଡ. ସବିତା ମହାପାତ୍ରଙ୍କ କହିବା କଥା, ଆମର ଆଣ୍ଟି ରାଗିଂ ସ୍କ୍ୱାଡ ଅଛନ୍ତି। ପ୍ରତିଦିନ ହଷ୍ଟେଲରେ ଯାଞ୍ଚ ହୁଏ।

ଖାଲି ସେତିକି ନୁହେଁ, ପିଲାଙ୍କୁ ମାନସିକ ଚାପରୁ ରକ୍ଷା କରିବା ପାଇଁ କିଛି କିଛି ଛାତ୍ରଙ୍କୁ ନେଇ ଗ୍ରୁପ କରି ସେମାନଙ୍କୁ ଜଣେ ଜଣେ ମେଣ୍ଟର ଦିଆଯାଇଛି। ତେଣୁ ଏଭଳି ଅଭିଯୋଗ ଓ ପ୍ରତି ଅଭିଯୋଗ ଭିତରେ ମୃତ୍ୟୁର କାରଣ ଅଣ୍ଡାଳୁଛି ବଲାଙ୍ଗୀର ପୁଲିସ। ସାଇଣ୍ଟିଫିକ, ଟେକ୍‌ନିକାଲ ଓ ମାନବ ସମ୍ବଳକୁ ଆଧାର କରି ତଦନ୍ତ କରୁଛି ପୁଲିସ। ନିଶାନ୍ତ ରହୁଥିବା ହଷ୍ଟେଲ ରୁମ୍‌ରୁ ନିଶାନ୍ତ ବ୍ୟବହାର କରୁଥିବା ଲାପ୍‌ଟପ୍‌, ଡାଏରି, କିଛି ହାତଲେଖା କାଗଜ ଓ ଗୋଟିଏ ବଇଁଶୀ ଜବତ କରିଛି ପୁଲିସର ସାଇଣ୍ଟିଫିକ୍‌ ଟିମ୍‌। ସେପଟେ ଗତକାଲିଠାରୁ ହଷ୍ଟେଲର ସବୁ ଛାତ୍ରଙ୍କୁ ଜଣ ଜଣ କରି ପଚାରୁଛନ୍ତି ବଛା ବଛା ପୁଲିସ ଅଧିକାରୀ। ‌ତେବେ ଏବେ ବି ମେଡିକାଲ ଛାତ୍ର ନିଶାନ୍ତଙ୍କ ମୃତ୍ୟୁ ଘଟଣା ରହସ୍ୟ ଘେରରେ ରହିଛି।

ସମ୍ବନ୍ଧିତ ଖବର