ଡାକ୍ତରୀ ଛାତ୍ର ମୃତ୍ୟୁ ଘଟଣାର ଗୁମର ଖୋଲୁଛି: ଏମ୍‌କେସିଜିରୁ ଆସିଥିଲେ ୫ ଛାତ୍ର!

ସାମ୍‌ନାକୁ ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତ୍ୟୁ ପୂର୍ବରୁ ଶରୀରରେ ଥିଲା ଆଘାତ, ରାଗିଂକୁ ଅନ୍ୟ ମୋଡ଼ ଦିଆଯାଉଛି କି?

ବଲାଙ୍ଗୀର: ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣାର ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପଚରାଉଚରା ଭିତରେ ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସ ହାସଲ କରିଛି। ଏମ୍‌କେସିଜିରୁ ୫ ଜଣ ଛାତ୍ର ଇଣ୍ଟର ମେଡିଫେଷ୍ଟ କାର୍ଯ୍ୟକ୍ରମରେ ଏଠିକାର ଛାତ୍ରଛାତ୍ରୀ ଭାଗନେବାକୁ ଡାକିବାକୁ ଆସିଥିଲେ। ସେହିଦିନ ଏକ ବୈଠକ ହୋଇଥିଲା। ଯେଉଁଥି‌ରେ, ଏମ୍‌କେସିଜି ପିଲାଙ୍କ ସହ ସିନିୟର, ଜୁନିୟର ସମସ୍ତେ ଉପସ୍ଥିତ ଥିଲେ। ସେହିଦିନ କିଛି ଅଶ୍ଳୀଳ ଭାଷାର ପ୍ରୟୋଗ କରିବାକୁ ଜୁନିୟର ଛାତ୍ରଙ୍କୁ କିଛି ସିନିୟର ଛାତ୍ର କହିଥିଲେ। ଯାହା ନିଶାନ୍ତଙ୍କୁ ଭଲ ଲାଗିନଥିଲା। ଆଉ ସେ ଏହି ପ୍ରସଙ୍ଗକୁ ସୁଇସାଇଡାଲ ନୋଟରେ ଉଲ୍ଲେଖ କରିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି।

ତେବେ, ତଦନ୍ତ ଚାଲୁଥିବାରୁ ସେ ସଂପର୍କରେ ଏବେ କିଛି କହିବାକୁ ମନା କରିଛି ପୁଲିସ। ଏସ୍‌ଡିପିଓ ତୋଫାନ ବାଗଙ୍କୁ ପଚରାଯିବାରୁ ସେ କହିଛନ୍ତି, ନିଶାନ୍ତଙ୍କ ମୃତ୍ୟୁ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିଲା। ପରେ ୩୦୬ ଦଫାରେ ମାମଲା ରୁଜୁ କରି ତଦନ୍ତ ଚାଲିଛି। ନିଶାନ୍ତଙ୍କ ବାପା ଯାହା ଅଭିଯୋଗ କରିଛନ୍ତି, ସେହି ଆଧାରରେ ବି ତଦନ୍ତ କରାଯାଉଛି। ସବୁ ତଦନ୍ତ ପରେ ହିଁ ମୃତ୍ୟୁର କାରଣ କହାଯାଇପାରିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଏସବୁ ଭିତରେ ଏବେ ସାମ୍ନାକୁ ଆସିଛି ବ୍ୟବଚ୍ଛେଦ ରିପୋର୍ଟ। ଫଲ୍‌ ଇନ୍‌ ହାଇଟ୍‌ ବା ଉଚ୍ଚସ୍ଥାନରୁ ପଡ଼ିଯାଇଥିବଳା ଏବଂ ମୃତ୍ୟୁ ପୂର୍ବରୁ ଶରୀରରେ ଆଘାତ ରହିଥିବା ରିପୋର୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ରାଗିଂ କାରଣରୁ ଡାକ୍ତରୀ ଛାତ୍ର ନିଶାନ୍ତ ଆତ୍ମହତ୍ୟା କରିଥିବା ସବୁ ମହଲରୁ ଅଭିଯୋଗ। ବାପା, ମାଙ୍କଠାରୁ ନେଇ ବିଭିନ୍ନ ସଂଗଠନ ବି ଉଦ୍‌ବେଗ ପ୍ରକାଶ କରିଛନ୍ତି। ପୁଲିସ ରାଗିଂ କଣ ହୋଇଛି, ସେ ଦିଗରେ ତଦନ୍ତ ଜାରି ରହିଥିବା କହୁଥିଲେ ବି ମୃତ୍ୟୁର କାରଣ ଅନ୍ୟ କିଛି ବୋଲି ଦର୍ଶାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ନିଶାନ୍ତଙ୍କ କିଛି ହାତଲେଖାରେ କଲେଜରେ ହେଉଥିବା ରାଗିଂରୁ ନେଇ ଆଉ କିଛି ପ୍ରସଙ୍ଗ ସେ ଉଲ୍ଲେଖ କରିଛନ୍ତି। କିନ୍ତୁ ପୁଲିସ ରାଗିଂ ପ୍ରସଙ୍ଗରୁ ଓହରି କୁଆଡ଼େ ନିଶାନ୍ତ ଡାକ୍ତରୀ ଏଠି ପଢ଼ିବାକୁ ଚାହୁନଥିଲେ, ତାଙ୍କର ଅନ୍ୟ ଲକ୍ଷ୍ୟ ଥିଲା ଓ ଡିପ୍ରେସନରୁ ଆତ୍ମହତ୍ୟା ହୋଇଥାଇପାରନ୍ତି ବୋଲି କିଛି ଅଧିକାରୀ କହିବାକୁ ଲାଗିଲେଣି। ଯାହାକୁ ନେଇ ପୁଲିସ ଉଚିତ ତଦନ୍ତ କରୁ ବୋଲି ଦାବି ହେଉଛି।

ଉଲ୍ଲେଖଯୋଗ୍ୟ ଯେ ଗତ ୨୨ ତାରିଖ ଡାକ୍ତରୀ ଛାତ୍ର ନିଶାନ୍ତ କୁମାର(୧୯)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ମୃତ୍ୟୁର ୨୪ ଘଣ୍ଟା ଭିତରେ ପରିବାରବର୍ଗ ପହଞ୍ଚିଥିଲେ। ବାପା, ମାଙ୍କ ଏକମାତ୍ର ସନ୍ତାନ ନିଶାନ୍ତ ଥିଲେ। ଏଣୁ ବାପା, ମା ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ନିଶାନ୍ତଙ୍କ ଆତ୍ମହତ୍ୟାର କାରଣ ରାଗିଂ ନା ଅନ୍ୟ କିଛି , ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି।

ସମ୍ବନ୍ଧିତ ଖବର