ବାଲେଶ୍ୱର: ବାଲେଶ୍ବର ଫକୀରମୋହନ ମେଡିକାଲ କଲେଜ ପରିସରରେ ଜଣେ ଡାକ୍ତରୀ ଛାତ୍ରଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ ହେଲେ ହିତେଷ୍ଣୁ ଦାସ(୨୨)। ଶୁକ୍ରବାର ବିଳମ୍ବିତ ରାତିରେ ମେଡିକାଲ କଲେଜର ୫ ମହଲା ବିଶିଷ୍ଟ ଏକାଡେମିକ୍ ବିଲ୍ଡିଂରୁ ଖସିପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ହିତେଷ୍ଣୁ ଏମ୍ବିବିଏସ୍ ତୃତୀୟ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ବାଲେଶ୍ୱର ସଦର ଥାନା ଭୀମପୁର ଗାଁରେ। ତାଙ୍କ ବାପା ଚନ୍ଦ୍ରକାନ୍ତ ଦାସ ବାଲେଶ୍ୱର ଜିଲ୍ଲା ପୁଲିସ ମୁଖ୍ୟାଳୟ (ଡିପିଓ)ରେ ବରିଷ୍ଠ କିରାଣି ଅଛନ୍ତି।
ବାପାଙ୍କୁ ଶେଷ ମେସେଜ୍ ‘ଆଇ ଲଭ୍ ୟୁ’
ମୋବାଇଲ ନ ମିଳିବାରୁ ବଢ଼ିଲା ସନ୍ଦେହ
ହିତେଷ୍ଣୁ ଫକୀରମୋହନ ମେଡିକାଲ କଲେଜର ପୁରୁଷ ଛାତ୍ରାବାସର ୩ ନମ୍ବର ରୁମ୍ରେ ରହୁଥିଲେ। ଗତକାଲି ସଂଧ୍ୟାରେ ସେ ବାଲେଶ୍ବର ସହରର ପୁଲିସ କଲୋନିରେ ରହୁଥିବା ତାଙ୍କ ବାପା, ମାଙ୍କୁ ଭେଟିବାକୁ ଆସିଥିଲେ ଓ ସାଙ୍ଗମାନଙ୍କ ସହ ମୁଭିଏକ୍ସ ସିନେମା ହଲ୍କୁ ଯାଇ ସିନେମା ଦେଖିଥିଲେ। ପରେ ସେ ହଷ୍ଟେଲକୁ ଫେରିଥିବା ବେଳେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୩ଟାରେ ମେଡିକାଲ କଲେଜ ପରିସର ଏକାଡେମିକ୍ ବିଲ୍ଡିଂ ତଳେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ସାଙ୍ଗମାନେ ଦେଖିଥିଲେ। ତେବେ ହିତେଷ୍ଣୁଙ୍କ ମୃତ୍ୟୁ କାରଣ ଜଣାପଡ଼ିନଥିଲେ ମଧ୍ୟ ସେ ଆତ୍ମହତ୍ୟା କରିଥିବା ପୁଲିସ ଅନୁମାନ କରୁଛି।
ବାପା ଚନ୍ଦ୍ରକାନ୍ତ ଦାସଙ୍କ ସୂଚନା ମୁତାବକ, ସବୁଦିନ ଭଳି ଗତକାଲି ରାତିରେ ସେ ପୁଅ ସହ କଥା ହୋଇଥିଲେ। ସନ୍ଧ୍ୟାରେ ପୁଅ ତାଙ୍କ ଘରକୁ ବୁଲିବାକୁ ଆସି ପଢ଼ାବହି କିଣିବାକୁ ୩୦ ହଜାର ଟଙ୍କା ନେଇଥିଲା। ରାତି ପ୍ରାୟ ସାଢ଼େ ୧୧ଟା ବେଳେ ପୁଅ ତାଙ୍କ ମୋବାଇଲକୁ ‘ବାପା ଆଇ ଲଭ୍ ୟୁ ମେସେଜ୍’ ଦେଇଥିବା କହିଛନ୍ତି। ତେବେ ମେଡିକାଲ ପାଠପଢ଼ା ଓ ଅନ୍ୟ ପିଲାଙ୍କଠାରୁ ମାର୍କ କମ୍ ରହିବା ନେଇ ସେ ଟିକେ ମାନସିକ ଅବସାଦରେ ଥିଲା। ହେଲେ ଏମିତି କଠୋର ନିଷ୍ପତ୍ତି ନେଇଯିବ ବୋଲି ଆମେ ଜାଣିନଥିଲୁ ବୋଲି ଶ୍ରୀ ଜେନା କହିଛନ୍ତି।
ହିତେଷ୍ଣୁ ବ୍ୟବହାର କରୁଥିବା ମୋବାଇଲ୍କୁ ପୁଲିସ ପାଇନାହିଁ। ତେବେ ହିତେଷ୍ଣୁଙ୍କ ମୋବାଇଲ କୁଆଡ଼େ ଗଲା, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଶବ ବ୍ୟବଚ୍ଛେଦ ରିପୋର୍ଟ ଓ ମୋବାଇଲ୍ କଲ୍ ରେକର୍ଡରୁ ହିତେଷ୍ଣୁଙ୍କ ମୃତ୍ୟୁ ରହସ୍ୟ ଖୋଜିବାକୁ ଚେଷ୍ଟା ଚାଲିଥିବା ଶିଳ୍ପାଞ୍ଚଳ ଥାନା ଆଇଆଇସି ସଲଖାନ୍ ମୁର୍ମୁ କହିଛନ୍ତି।