ବ୍ରହ୍ମପୁର : କାନରେ ବଲ୍‌ ବାଜି ଡାକ୍ତରୀ ଛାତ୍ର ମୃତ

ବ୍ରହ୍ମପୁର : କ୍ରିକେଟପ୍ରେମୀଙ୍କୁ ସ୍ତବ୍ଧ କରିଦେଲା ଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବ୍ରହ୍ମପୁରରେ। କ୍ରିକେଟ୍ ଖେଳୁଥିବା ବ‌େଳେ କାନମୁଣ୍ଡାରେ ବଲ୍‌ ବାଜିବାରୁ ପଡ଼ିଆରେ ଟଳି ପଡ଼ିଛନ୍ତି ଡାକ୍ତରୀ ଛାତ୍ର ବିଶ୍ବଭୂଷଣ ସାହୁ(୨୪)। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷ ଛାତ୍ର ବିଶ୍ବଭୂଷଣ ସାଙ୍ଗମାନଙ୍କ ସହ କ୍ରିକେଟ ଖେଳୁ୍‌ଥିବା ବେଳେ ଅସାବଧାନତାରୁ ସିଧା ବଲ୍‌ ତାଙ୍କ କାନମୁଣ୍ଡାରେ ବାଜିଥିଲା। ବିଶ୍ୱଭୂଷଣଙ୍କ ଘର ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ ଅଂଚଳରେ। ବିଶ୍ୱଭୂଷଣଙ୍କ ଏଭଳି ଆକସ୍ମିକ ମୃତ୍ୟୁରେ ପରିବାର ସଦସ୍ୟ, ଡାକ୍ତରୀ ଛାତ୍ରଛାତ୍ରୀ ଓ କ୍ରୀଡ଼ାପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି।

ସୂଚନା ମୁତାବକ, ଲାଞ୍ଜିପଲ୍ଲୀରେ ରହୁଥିବା ଲିଙ୍ଗରାଜ ସାହୁଙ୍କ ପୁଅ ବିଶ୍ୱଭୂଷଣ କିଛି ଦିନ ତଳେ ବ୍ରହ୍ମପୁର ଘରକୁ ଆସିଥିଲେ। ଆଜି ସକାଳୁ ଏମ୍‌କେସିଜି ମେଡିକାଲ କଲେଜ ଖେଳ ପଡ଼ିଆରେ ସାଙ୍ଗମାନଙ୍କ ସହ ସେ କ୍ରିକେଟ ଖେଳୁଥିଲେ। ଜଣେ ସାଙ୍ଗ ବୋଲିଂ କରୁଥିବା ବେଳେ ବିଶ୍ୱଭୂଷଣ ବ୍ୟାଟିଂ କରୁଥିଲେ। ହଠାତ୍ ଗୋଟିଏ ବଲ୍ ବିଶ୍ୱଭୂଷଣଙ୍କ କାନମୁଣ୍ଡାରେ ବାଜିଥିଲା। ସେ ସଙ୍ଗେ ସଙ୍ଗେ ଅଚେତ ହୋଇ ପିଚ୍‌ ଉପରେ ଟଳି ପଡ଼ିଥିଲେ। ସାଙ୍ଗମାନେ ତାଙ୍କୁ ତୁରନ୍ତ ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏମ୍‌କେସିଜି ଫାଣ୍ଡି ପୁଲିସ ବିଶ୍ବଭୂଷଣଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର