ବ୍ରହ୍ମପୁର : ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ଜଣେ ତୃତୀୟ ବର୍ଷର ଡାକ୍ତରୀ ଛାତ୍ର ଆଜି ବିରଳ ଏଚ୍ଏଲ୍ଏଚ୍ ରୋଗରେ ମୃତ୍ୟୁବରଣ କରିଛନ୍ତି। ମୃତ ଛାତ୍ରଙ୍କ ନାମ ରାକେଶ ପ୍ରଧାନ(୨୨) ଓ ତାଙ୍କର ଘର ସୁନ୍ଦରଗଡ଼ ଜିଲ୍ଲାରେ ବୋଲି ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ରାଧାମାଧବ ତ୍ରିପାଠୀ ସୂଚନା ଦେଇଛନ୍ତି। ରାକେଶ ହିମୋଫାଗୋସାଇଟିକ୍ ଲିମ୍ଫୋହିଷ୍ଟିଓସାଇଟୋସିସ୍ (ଏଚ୍ଏଲ୍ଏଚ୍) ନାମକ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳେ ଭୁବନେଶ୍ୱରସ୍ଥିତ କିମ୍ସ୍ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ଏଚ୍ଏଲ୍ଏଚ୍ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟଣା ଓଡ଼ିଶାରେ ଏହା ପ୍ରଥମ ବୋଲି କୁହାଯାଉଛି। ଏହି ରୋଗରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯିବା ସହ ରକ୍ତକୋଷିକା ନଷ୍ଟ ହୋଇଯାଆନ୍ତି ବୋଲି ବିଶେଷଜ୍ଞ କହିଛନ୍ତି।
ପ୍ରାୟ ୧୫ଦିନ ତଳେ ରାକେଶଙ୍କୁ ଜ୍ୱର ହୋଇଥିଲା। ଏହା ପରେ ସେ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ହେଲେ ସେ ସୁସ୍ଥ ନହେବାରୁ ତାଙ୍କୁ କିମ୍ସକୁ ନିଆଯାଇଥିଲା। ଆକ୍ରାନ୍ତ ରାକେଶଙ୍କ ଶରୀରର ରଙ୍ଗ ଲାଲ୍ ପଡ଼ି ଯାଇଥିଲା। ଏହା ସହିତ ଶରୀରର ବିଭିନ୍ନ ସ୍ଥାନରେ ଫୋଟକା ହୋଇ ଯାଇଥିଲା। ସେ ଖାଦ୍ୟ ମଧ୍ୟ ଖାଇପାରୁ ନଥିଲେ। ଡାକ୍ତରୀ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ସିକ୍ଲିନ୍ ଠାରୁ ଆରମ୍ଭ କରି ବୋନ୍ମେରୋ ଭଳି ବିଭିନ୍ନ ପ୍ରକାର ପରୀକ୍ଷା କରିଥିଲେ। ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହା ପରେ ରାକେଶଙ୍କ ଶରୀରରୁ ମିଳିଥିବା ଲକ୍ଷଣ ପରେ ତାଙ୍କୁ ଏଚ୍ଏଲ୍ଏଚ୍ ରୋଗ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଥିଲେ। ତାଙ୍କ ଚିକିତ୍ସା ଲାଗି ସମସ୍ତ ଉଦ୍ୟମ ସତ୍ତ୍ୱେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଥିଲା।
ସୂଚନାଯୋଗ୍ୟ ଏହି ରୋଗ ଯେ କୌଣସି ବ୍ୟକ୍ତିଙ୍କୁ ହୋଇପାରେ। ଜିନ୍ରେ କୌଣସି କାରଣରୁ ମ୍ୟୁଟେସନ୍ ହୋଇ ଏହି ରୋଗ ବଂଶାନୁକ୍ରମିକ ଭାବେ ହୋଇପାରେ। ନଚେତ ବେଳେବେଳେ ଭୂତାଣୁ ସଂକ୍ରମଣ ଓ ଅନ୍ୟ କାରଣରୁ ବି ଏହି ରୋଗ ହୋଇଥାଏ। ଏହା ରକ୍ତକର୍କଟ ଭଳି ଅବସ୍ଥା ସୃଷ୍ଟି କରିଥାଏ। ଏହାର ଚିକିତ୍ସା ବ୍ୟୟବହୁଳ। ତେବେ ଏହା ଡିଆଁ ରୋଗ ନୁହଁ। ଓଡ଼ିଶାରେ ଏଭଳି ରୋଗ ପ୍ରଥମ କରି ଚିହ୍ନଟ ହୋଇଥିବାରୁ ଆତଙ୍କ ସୃଷ୍ଟି ହୋଇଛି।