ୟୁକ୍ରେନ୍‌ରୁ ସୁରକ୍ଷିତ ଫେରିଲେ ଡାକ୍ତରୀ ଛାତ୍ରୀ

ବିଷମକଟକ : ଯୁଦ୍ଧର ବିଭୀଷିକା ମଧ୍ୟରେ ୟୁକ୍ରେନ୍‌ରୁ ସୁରକ୍ଷିତ ଭାବେ ନିଜ ଘରକୁ ଫେରିଛନ୍ତି ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍‌ ସଦର ମହକୁମାର ଡାକ୍ତରୀ ଛାତ୍ରୀ ପ୍ରିୟଦର୍ଶନୀ ଶତପଥୀ। ଝିଅ ଘରକୁ ‌ସୁରକ୍ଷିତ ଫେରିବା ପରେ ପରିବାର ଲୋକ ଆଶ୍ବସ୍ତ ହୋଇଛନ୍ତି। ଭାରତୀୟ ଦୂତାବାସ ଓ ରୋମାନିଆର କିଛି ସ୍ବେଚ୍ଛାସେବୀଙ୍କ ସହାୟତାରେ ଘରକୁ ସୁରକ୍ଷିତ ଭାବେ ଫେରିଥିବା ପ୍ରିୟଦର୍ଶନୀ କହିବା ସହ ଯୁଦ୍ଧ ସମୟର ଅନୁଭୂତିକୁ ପ୍ରକାଶ କରିଛନ୍ତି।

ବିଷମକଟକ ଶ୍ରୀରାମ ନଗରର ନେତ୍ରାନନ୍ଦ ଶତପଥୀଙ୍କ ଝିଅ ପ୍ରିୟଦର୍ଶନୀ ଶତପଥୀ ଭେନିସିୟା ନ୍ୟାସ୍‌ନାଲ ବିଶ୍ବବିଦ୍ୟାଳୟର ଚତୁର୍ଥ ବର୍ଷର ଡାକ୍ତରୀ ଛାତ୍ରୀ ଅଟନ୍ତି। ଫେବ୍ରୁଆରି ମାସର ଶେଷ ସପ୍ତାହରେ ୟୁକ୍ରେନ୍‌ ଉପରେ ରୁଷ ଆକ୍ରମଣ କରିଥିଲା। ତେଣୁ ୟୁକ୍ରେନ୍‌ରେ ରହୁଥିବା ଭାରତୀୟଙ୍କୁ ନିଜ ଦେଶ ଫେରିଯିବା ପାଇଁ ସେଠାକାର ସରକାର ପରାମର୍ଶ ଦେଇଥିଲେ। ଏହାପରେ ୟୁକ୍ରେନ୍‌ରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀ ଭେନିସିୟା ନ୍ୟାସ୍‌ନାଲ ବିଶ୍ବବିଦ୍ୟାଳୟ ସହାୟତାରେ ନିଜସ୍ବ ଖର୍ଚ୍ଚରେ ପଡ଼ୋଶୀ ଦେଶ ରୋମାନିଆ ସୀମାରେ ପହଞ୍ଚିଥିଲେ। ଏଥିପାଇଁ ସମସ୍ତଙ୍କୁ ୭ କିଲୋମିଟର ରାସ୍ତା ଚାଲିବାକୁ ପଡ଼ିଥିଲା। କିନ୍ତୁ ରୋମାନିଆ ସୀମା ପାର କରିବା ପାଇଁ ସମସ୍ତେ ୩ ଡିଗ୍ରି ଥଣ୍ଡାରେ ଖୋଲା ଆକାଶ ତଳେ ରହିଥିଲେ।

ଶେଷରେ ରୋମାନିଆରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଏବଂ ରୋମାନିଆର ସ୍ୱେଚ୍ଛାସେବୀଙ୍କ ସହାୟତାରେ ଛାତ୍ରଛାତ୍ରୀଙ୍କ ରହିବା ସହ ଖାଇବା ବ୍ୟବସ୍ଥା କରାଯାଇଥିଲେ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିୟାଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ରୋମାନିଆରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଆଣା ଯାଇଥିଲା। ଦିଲ୍ଲୀରେ ପହଞ୍ଚିବା ପରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ଓଡ଼ିଶା ଭବନକୁ ନିଆଯାଇଥିଲା। ପରେ ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରକୁ ଆଣାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରିୟଦର୍ଶନୀ ନିଜ ମାଟିକୁ ସୁରକ୍ଷିତ ଫେରିବା ପରେ ପରିବାର ଲୋକ ଖୁସିରେ ବିଭର ହୋଇ ଯାଇଥିଲେ। ନିଜ ଝିଅକୁ ସୁରକ୍ଷିତ ଭାବେ ଘରକୁ ‌ଫେରାଇ ଆଣିଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରିୟଦର୍ଶନୀଙ୍କ ପରିବାର ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର