ପୁରୀ : ୟୁକ୍ରେନ୍‌ରେ ଏବେ ବି ବହୁ ଛାତ୍ରଛାତ୍ରୀ ବିଭିନ୍ନ ସହରରେ ଫସି ରହିଛନ୍ତି। ଯୁଦ୍ଧକୁ ଅତି ନିକଟରୁ ଦେଖି ଭୟଭୀତ ଅବସ୍ଥାରେ କେଉଁଠି ବଙ୍କର ଭିତରେ ଲୁଚି ରହିଛନ୍ତି ତ କେଉଁଠି ଜୀବନ ବଞ୍ଚାଇବାକୁ ମାଇଲ୍‌ ମାଇଲ୍‌ ବାଟ ଚାଲି ଚାଲି ପଡ଼ୋଶୀ ଦେଶର ସୀମାରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି। ଏଭଳି ଯୁଦ୍ଧ ଓ କଷ୍ଟଭରା ଯାତ୍ରାକୁ ଅଙ୍ଗେ ନିଭାଇଥିବା ଜଣେ ଡାକ୍ତରୀ ଛାତ୍ର ହେଉଛନ୍ତି ପୁରୀ ହାଡ଼ଗୋଡ଼ିଆ ସାହିର ଅବିନାଶ ନାୟକ। ୬ ଦିନ ଧରି ଅଖିଆଅପିଆ ରହିବା ସହ ଶୂନ୍ୟ ତାପମାତ୍ରାରେ ୪୦ କିମି ଚାଲିବା ପରେ ଭାରତୀୟ ଦୂତାବାସ ସହଯୋଗରେ ବସ୍‌ ଯୋଗେ ସାଙ୍ଗମାନଙ୍କ ସହ ପୋଲାଣ୍ଡରେ ପହଞ୍ଚିଛନ୍ତି ଅବିନାଶ। ପୋଲାଣ୍ଡରୁ ବିମାନରେ ଭାରତ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି ଓ ମହାପ୍ରଭୁଙ୍କ କୃପାରୁ ସେ ଭଲରେ ଘରକୁ ଫେରିବେ ବୋଲି ଭିଡିଓ ବାର୍ତ୍ତାରେ ଆଶା ପୋଷଣ କରିଛନ୍ତି।

Advertisment

publive-image

ଅବିନାଶ କହିଛନ୍ତି, ସେ ୟୁକ୍ରେନ୍‌ର ଇଭାନ୍‌ ସହରରେ ଥିବା ଟର୍ଣ୍ଣୋପଲି ନ୍ୟାସନାଲ୍‌ ମେଡିକାଲ୍‌ ୟୁନିଭର୍ସିଟିରେ ମେଡିକାଲ୍‌ ପଢ଼ୁଥିଲେ। ଯୁଦ୍ଧ ପାଇଁ ତାଙ୍କୁ ତୁରନ୍ତ ସହର ଛାଡ଼ିବାକୁ କୁହାଯାଇଥିଲା। ଏଣୁ ୨୪ ତାରିଖରେ ସାଙ୍ଗମାନଙ୍କ ସହ ଗାଡ଼ି ଧରି ପୋଲାଣ୍ଡ ସୀମା ଅଭିମୁଖେ ଯାତ୍ରା କରିଥିଲେ। କିନ୍ତୁ ସୀମା ନିକଟରେ ପହଞ୍ଚିବା ପରେ ଗାଡ଼ିକୁ ଛଡ଼ା ଯାଇନଥିଲା। ଏଣୁ ଯାଇଥିବା ଗାଡ଼ି ଆମକୁ ସୀମାଠାରୁ ୪୦ କିଲୋମିଟର ଦୂରରେ ଛାଡ଼ି ଚାଲି ଯାଇଥିଲା। ସେତେବେଳେ ତାପମାତ୍ର କେଉଁଠି ମାଇନସ୍‌ ୪ ଡିଗ୍ରି ତ କେଉଁଠି ମାଇନସ୍‌ ୧୦ ଡିଗ୍ରି ଥିଲା। ତଥାପି ବହୁ କଷ୍ଟରେ ଅଖିଆଅପିଆ ୪୦ କିମି ଅତିକ୍ରମ କରିଥିଲେ। ଚାଲିବା ବାଟରେ ଆଖି ଆଗରେ ଜଣଙ୍କର ଜୀବନ ବି ଚାଲିଗଲା। ତଥାପି ମନ ଟାଣ କରି ୬ ଦିନର ଯାତ୍ରା ପରେ ୪୦ କିଲୋମିଟର ରାସ୍ତା ଅତିକ୍ରମ କରି ପୋଲାଣ୍ଡ ସୀମାରେ ପହଞ୍ଚିଥିଲୁ। ପହଞ୍ଚିବା ପରେ ଭାରତୀୟ ଦୂତାବାସ ପକ୍ଷରୁ ଗାଡ଼ି ଆସୁଥିବା ଖବର ମିଳିଥିଲା। ପରେ ଭାରତୀୟ ଦୂତାବାସ ପକ୍ଷରୁ ସ୍ବତନ୍ତ୍ର ବସ ବି ଆସି ପହଞ୍ଚିଥିଲା। ଏହି ବସ୍‌ରେ ବସି ମୁଁ ଓ ସାଙ୍ଗମାନେ ପୋଲାଣ୍ଡ ବିମାନବନ୍ଦରରେ ପହଞ୍ଚିବା ପରେ ଆଜି ଭାରତ ଫେରିବାକୁ ଅପେକ୍ଷା କରିଛୁ ବୋଲି ଅବିନାଶ କହିଛନ୍ତି।