କୋରାପୁଟ: ଦିନେ ଥିଲେ ଡେଲିଭରି ବୟ। ଏବେ ଡାକ୍ତରୀ ଛାତ୍ର। ସଂଘର୍ଷ କରି ସଫଳତା ପାଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍‌ ମେଡ଼ୁବାଡ଼ି ଗାଁର ହେବାଲ କୁମାର ପ୍ରଧାନ। ହେବାଲ ଏବେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ର ପ୍ରଥମ ବର୍ଷ ଛାତ୍ର। ବାପା ଓ ମା’ ହଳଦୀ ବିକି ମେଡିକାଲ କଲେଜରେ ପୁଅର ନାମ ଲେଖାଇଛନ୍ତି। ‌ତେବେ ପାଠପଢା ପାଇଁ ବହୁ ଅର୍ଥ ଦରକାର ହେଉଥିବାରୁ ସ୍ବଳ୍ପ ଆୟ ଯୋଗୁଁ ପଢ଼ା ଖର୍ଚ୍ଚ ଦେବା କଷ୍ଟକର ହେଉଛି। ତେଣୁ ସହଯୋଗ ଲୋଡ଼ିଛନ୍ତି ହେବାଲ।

Advertisment

ଅଭାବ ଓ ଅନଟନ ଯୋଗୁଁ ଦିନେ ହେବାଲ ପାଠରେ ଡୋରି ବାନ୍ଧିଥିଲେ। ପ୍ରଥମେ ଟ୍ୟୁସନ କରି କିଛି ରୋଜଗାର କରୁଥିଲେ। ପରେ ଡେଲିଭରି ବୟ କାମ କରିଥିଲେ। ୨୦୨୨ ମସିହାରେ ଯୁକ୍ତଦୁଇ ବିଜ୍ଞାନ ପାସ୍‌ କରିଥିଲେ। ଟ୍ୟୁସନ୍‌ ଛାଡ଼ିବା ପରେ ହାଇଦ୍ରାବାଦ୍‌ ଯାଇ ଇ-କମର୍ସ କଂପାନିରେ ଡେଲିଭରି ବୟ ଭାବେ ଯୋଗ ଦେଇଥିଲେ। ଏଠାରୁ ଯେଉଁ ପାରିଶ୍ରମିକ ମିଳୁଥିଲା ସେଥିରୁ କିଛି ସଞ୍ଚୟ କରି ନିଟ୍‌ ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଯୋଗୁଁ ସଫଳତା ପାଇଥିଲେ। ସାରା ଦେଶରେ ୧୧୪୦୪୫୨ ଓ ରାଜ୍ୟରେ ୪୨୫୦ ରୢାଙ୍କରେ ରହିଥିଲେ। ରୢାଙ୍କ ଆଧାରରେ ତାଙ୍କର କୋରାପୁଟ ମେଡିକାଲ କଲେଜରେ ନାମ ଲେଖା ହୋଇଥିଲା। ପ୍ରତିବର୍ଷ ପ୍ରାୟ ୧ଲକ୍ଷ ଟଙ୍କା ପାଠପଢ଼ା ପାଇଁ ଦରକାର ହେଉଛି। ମା’ ଗାଁ ସାହୁକାରଙ୍କ ଠାରୁ ୮୫ହଜାର ଟଙ୍କା ମଧ୍ୟ ହାତ ଉଧାରି ଆଣିଛନ୍ତି। ଟଙ୍କା ଶୁଝିବା ଏବଂ ଆଗାମୀ ବର୍ଷର ପାଠପଢ଼ା ଖର୍ଚ୍ଚ ଚିନ୍ତାରେ ବାପାମା’ଙ୍କ ସହ ହେବାଲ ରହିଛନ୍ତି।

ଗାଁର ମଙ୍ଗରାଜ ଦିଗଲ କହିଛନ୍ତି, ବହୁ କଷ୍ଟରେ ପରିବାର ଲୋକେ ଟଙ୍କା ଯୋଗାଡ଼ କରି ହେବାଲଙ୍କୁ ପଢ଼ାଉଛନ୍ତି। ପ୍ରତି ମାସରେ ପାଠପଢ଼ା ସହ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବହୁ ଅର୍ଥ ଦରକାର ପଡ଼ୁଛି। ତାଙ୍କୁ କିଛି ସରକାରୀ ସହାୟତା ମିଳିଲେ ଭଲ ହୁଅନ୍ତା। ଆଉ ୪ବର୍ଷ ପରେ ପାଠପଢ଼ା ସରିଲେ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ହେବାଲ କହିଛନ୍ତି।