ବୈପାରିଗୁଡ଼ା: କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତର କାଣ୍ଡିକିଗୁଡା ଗ୍ରାମରେ ଅଜଣା ରୋଗର ଆତଙ୍କ ଖେଳିଯାଇଛି। ଏହି ଅଜଣା ରୋଗରେ ସପ୍ତାହକ ମଧ୍ୟରେ ତିନି ଜଣ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ତିନି ଜଣ ଚିକିତ୍ସିତ ହେଉଛନ୍ତି। ତେବେ ଏହି ରୋଗର କାରଣ ଏଯାଏ ଜଣାପଡି ନାହିଁ।

Advertisment

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରୋଗୀର ଗୋଡ଼ ହାତ ଏବଂ ମୁହଁ ଫୁଲିଯାଉଛି। ଦୁର୍ବଳ ଅନୁଭବ କରିବା ସହ ଶଯ୍ୟାଶାୟୀ ହୋଇପଡୁଛି। ପନ୍ଦରରୁ କୋଡ଼ିଏ ଦିନ ମଧ୍ୟରେ ରୋଗୀଟିର ମୃତ୍ୟୁ ହୋଇଯାଉଛି। ଗତ ସପ୍ତାହକ ମଧ୍ୟରେ ଦୁଇଜଣ ମୃତ୍ୟୁବରଣ କରିଥିବାବେଳେ ତାପର ଦିନ ଅନ୍ୟଜଣେ ସେହି ଅଜଣା ରୋଗରେ ଆକ୍ରାନ୍ତ ହେବାରୁ ଡାକ୍ତରଖାନାରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଏହି ପରିପ୍ରେକ୍ଷୀରେ ରାମଗିରିରୁ ଏକ ମେଡ଼ିକାଲ ଟିମ୍ କାଣ୍ଡିକିଗୁଡା ଗ୍ରାମରେ ପହଞ୍ଚିଥିଲେ। ଲୋକଙ୍କୁ ଭେଟିବା ପରେ ଦୁଇ ଜଣ ରୋଗୀଙ୍କୁ ରାମଗିରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି। ଆଜି ସାତ ଜଣିଆ ଡ଼ାକ୍ତରୀ ଦଳ କାଣ୍ଡିକିଗୁଡା ଗ୍ରାମରେ ପହଞ୍ଚି ଗ୍ରାମବାସୀଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ଅଣାଯାଇଥିବା ଡ଼ାକ୍ତର ଅଧିରାଜ ସାହୁ ପ୍ରକାଶ କରିଛନ୍ତି। ରକ୍ତ ନମୁନା ପରୀକ୍ଷା ପରେ ହିଁ ପ୍ରକୃତ ରୋଗ ଚିହ୍ନଟ କରାଯାଇପାରିବ ବୋଲି ଡ଼ାକ୍ତର ଶ୍ରୀ ସାହୁ ପ୍ରକାଶ କରିଛନ୍ତି।