ରାଉରକେଲା: ରାଉରକେଲା ସହରରେ କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର (ୟୁପିଏଚସି) ଡାକ୍ତରୀ ଟିମ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ହୋମ୍ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଘରକୁ ଯାଇ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ଏହି ଟିମ୍ ସେମାନଙ୍କୁ ଆବଶ୍ୟକ ଡାକ୍ତରୀ ପରାମର୍ଶ ଦଉଛନ୍ତି। ରାଉରକେଲାରେ ୯ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ଫାର୍ମାସିଷ୍ଟ ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ନେଇ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଏହି ଟିମ୍ ସଂପୃକ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଆସୁଥିବା ଅଞ୍ଚଳର କୋଭିଡ୍ ସ୍ଥିତି ଉପରେ ନଜର ରଖୁଛନ୍ତି।

Advertisment

publive-image

ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳରେ ଘରୁ ଘର ବୁଲି ଲୋକଙ୍କର ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି। ଯାହାର କିଛି ଲକ୍ଷଣ ଥିବା ଜଣାପଡ଼ୁଛି ସେମାନଙ୍କୁ କୋଭିଡ୍ ପରୀକ୍ଷା କରିବାକୁ ପରାମର୍ଶ ଦେଉଛନ୍ତି। ଏଥିରେ ଯେଉଁ ବ୍ୟକ୍ତିଙ୍କର ରିପୋର୍ଟ ପଜିଟିଭ୍ ଆସୁଛି ସେମାନଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଉଛି। ଏହା ପରେ ଡାକ୍ତରୀ ଟିମ୍ ସଂପୃକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥାନ୍ତି। ଅଧିକ ଚିକିତ୍ସା ଆବଶ୍ୟକ ପଡ଼ିଲେ ରୋଗୀଙ୍କୁ କୋଭିଡ୍ ହସ୍ପିଟାଲ ପଠା ଯାଇଥାଏ।