୨କିମି କାଦୁଆ ରାସ୍ତା ଦେଇ ଗର୍ଭବତୀଙ୍କୁ ଯିବାକୁ ପଡ଼ିଲାନି ଡାକ୍ତରଖାନା; ପହଞ୍ଚିଲେ ଡାକ୍ତରୀ ଟିମ୍‌

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ବିଭିନ୍ନ ଗ୍ରାମକୁ ପ୍ରଶାସନ ପକ୍ଷରୁ ପକ୍କା ରାସ୍ତା ନଥିବା ବେଳେ ବର୍ଷା ଦିନରେ ଯାତାୟାତରେ ସମସ୍ୟା ହୋଇଥାଏ। ବର୍ଷା ଦିନ ହେଲେ ଚାଲିଚାଲି ଯିବା ମଧ୍ୟ କଷ୍ଟ ହୋଇଥାଏ। ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଟିମ ଦୁଇ କିଲୋମିଟର ଦୂର କାଦୁଅ ରାସ୍ତାରେ ଚାଲିଚାଲି ଯାଇ ଜଣେ ଗର୍ଭବତୀ ମହିଳାଙ୍କ ନିକଟରେ ପହଞ୍ଚି ଥିଲେ। ସେମାନେ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏହିଭଳି ଅଭାବନୀୟ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ପାଲିଆ ପଂଚାୟତ ଅନ୍ତର୍ଗତ ଟିପାଗୁଡା ଗ୍ରାମରେ ଦେଖିବାକୁ ମିଳିଛି।

ସୂଚନା ପ୍ରକାରେ ପାଲିଆ ପଞ୍ଚାୟତର ଉପାନ୍ତ ଟିପାଗୁଡା ଗ୍ରାମର ଲଷ୍ମଣ ଜାନୀଙ୍କ ସ୍ତ୍ରୀ ଅମ୍ବିକା ଜାନୀ ୯ ମାସର ଗର୍ଭବତୀ ରହିଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଜୀବନ ସାନ୍ତାଙ୍କ ସହ ଝରିଗାଁସ୍ଥିତ ମା’ ଗୃହର ମହିଳା ସ୍ବାସ୍ଥ୍ୟ ସହାୟିକା ସସ୍ମିତା ନାୟକ, ମହିଳା ସ୍ୱାସ୍ଥ୍ୟ କର୍ମୀ ମମତା ଦୀପ, ଏଲ ସଭାରାଣୀ ପ୍ରମୁଖ ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଝରିଗାଁସ୍ଥିତ ମା’ ଗୃହକୁ ଆଣିବା ପାଇଁ ଯାଇଥିଲେ। ଆମିଳିଝରି ଗ୍ରାମ ଠାରୁ ଟିପାଗୁଡା ଗ୍ରାମ ଦୁଇ କିଲୋମିଟର ଦୂର ରାସ୍ତା ଖରାପ ଥିବା ଯୋଗୁଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ଚାଲିଚାଲି ଯାଇଥିଲେ। ଟିପାଗୁଡା ଗ୍ରାମ ପହଞ୍ଚିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ପ୍ରସବ ସମୟ ଅତି ନିକଟରେ ଥିବା ବେଳେ ରାସ୍ତା ଖରାପ ଥିବା ଯୋଗୁଁ ଗର୍ଭବତୀ ମହିଳା ଅମ୍ବିକା ଜାନୀଙ୍କ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସୁରକ୍ଷିତ ପ୍ରସବ ନେଇ ମା’ ଗୃହକୁ ଯିବା ପାଇଁ ଅନୁରୋଧ କରିଥିଲେ। ସଚେତନତା ଅଭାବ ଯୋଗୁଁ ପରିବାର ଲୋକ ଏବଂ ଗର୍ଭବତୀ ମହିଳା ମା’ ଗୃହକୁ ଯିବା ପାଇଁ ମନା କରିଦେଲେ। ସ୍ଵାସ୍ଥ୍ୟ କର୍ମଚାରୀମାନେ ବହୁ ବୁଝାସୁଝା କରିବା ପରେ ମଧ୍ୟ ପରିବାର ଲୋକ ମା’ ଗୃହକୁ ଯିବା ପାଇଁ ମନା କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଦୀର୍ଘ ବର୍ଷ ତଳେ ଟିପାଗୁଡା ଗ୍ରାମ ସ୍ଥାପନ ହୋଇଥିଲା। ଏଯାବତ ଏହି ଗ୍ରାମକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇନାହିଁ। ଯେକୌଣସି ପ୍ରକାରେ ପୁରୁଣା ରାସ୍ତାରେ ଗ୍ରାମବାସୀ ଯାତାୟାତ କରୁଥିବା ବେଳେ ଗତ କିଛି ଦିନ ତଳେ ନୂତନ ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇଥିଲା। ଆମିଲଝରି ଗ୍ରାମ ଠାରୁ ଟିପାଗୁଡା ଗ୍ରାମ ପ୍ରାୟ ଦୁଇ କିଲୋମିଟର ରାସ୍ତାରେ ମାଟି ପକାଇ ଦେଇଛନ୍ତି। ବର୍ଷା ହେବା ମାତ୍ରେ ରାସ୍ତା ସମ୍ପୁର୍ଣ୍ଣ କାଦୁଅ ହୋଇଯାଉଛି। ଫଳରେ ଏହି ରାସ୍ତା ଦେଇ ଚାଲିଚାଲି ଯିବା ମଧ୍ୟ କଷ୍ଟ ହେଉଛି। ତେଣୁ ପ୍ରଶାସନ ତୁରନ୍ତ ସମସ୍ୟାର ସମାଧାନ ନେଇ ପଦକ୍ଷେପ ଗ୍ରହଣ କରିବା ପାଇଁ ଗ୍ରାମର ଲଛମନ ହରିଜନ, ବ୍ରଜ ଗୌଡ଼, ସୁରୁ ସୁନା, ଖଗପତି ହରିଜନ, ମୋତିଲାଲ ହରିଜନ, ପଦ୍ମନ ଗୌଡ଼, ବସନ୍ତ ସୁନା ମନବୋଧ ଗୌଡ଼, କୁମ ଗୌଡ଼, ଦୂକମଲ ହରିଜନ, ମଦନ ହରିଜନ, ହରି ଗୌଡ଼, ଚନ୍ଦନ ହରିଜନ, ଯସେନ ହରିଜନ, ହାରନ ହରିଜନ, ଲକ୍ଷନ ଜାନୀ, ପର୍ଶୁ ଗୌଡ଼, ବାଗେନ ଜାନୀ, ଡମ୍ବରୁ ଜାନୀ, ଡ଼ମୁ ଜାନୀ, ଦଶରୁ ଜାନୀ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର