ଭୁବନେଶ୍ବର : ବାତ୍ୟାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସମସ୍ତ ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କ ଛୁଟି ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ବାତିଲ କରାଯାଇଥିବା ବେଳେ ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବା ଲାଗି ନିର୍ଦେଶ ଦିଆଯାଇଛି।
ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଜେନା କହିଥିଲେ, ବାତ୍ୟା ପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ସହିତ ଜିଲ୍ଲପାଳଙ୍କୁ ନିର୍ଦେଶନାମା ପଠାଯାଇଛି। ଆବଶ୍ୟକ ପରିମାଣର ଔଷଧ, ସାପକାମୁଡ଼ା ଇଞ୍ଜେକସନ୍ଠାରୁ ଆରମ୍ଭ କରି ସାଲାଇନ୍, ହାଲୋଜେନ ବଟିକା ଆଦି ମହଜୁଦ ରଖାଯାଇଛି। ଅଣପ୍ରଭାବିତ ଅଞ୍ଚଳମାନଙ୍କରୁ ଡାକ୍ତରମାନଙ୍କୁ ଆଣି ପ୍ରଭାବିତ ଅଞ୍ଚଳରେ ମୁତୟନ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଆବଶ୍ୟକ ପଡ଼ିଲେ ମେଡିକାଲ କଲେଜ ଓ ହସ୍ପିଟାଲମାନଙ୍କରୁ ଡାକ୍ତରୀ ଦଳ ପ୍ରଭାବିତ ଅଞ୍ଚଳମାନଙ୍କରେ ମୁତୟନ କରାଯିବ। ଆମ୍ବୁଲାନ୍ସ ସମେତ ଭ୍ରାମ୍ୟମାଣ ଚିକିତ୍ସକ ଦଳ ପ୍ରସ୍ତୁତ ରହିବେ। ମେଡିକାଲ ରିଲିଫ୍ କେନ୍ଦ୍ର ଖୋଲାଯିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି।
ରାଜ୍ୟସ୍ତରରୁ ଜିଲ୍ଲା ଓ ବ୍ଲକସ୍ତର ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ବିଦ୍ୟୁତ୍ ସରବରାହ ବ୍ୟାଘାତ ହେଲେ ପାୱାର ବ୍ୟାକ୍ଅପ ବ୍ୟବସ୍ଥା ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଗର୍ଭବତୀ ମହିଳାଙ୍କ ତାଲିକା ଆନୁଯାୟୀ ପ୍ରସବ ଦିନକୁ ଦୃଷ୍ଟିରୁ ରଖି ସେମାନଙ୍କୁ ମା’ଗୃହରେ ଆଣି ରଖିବା କିମ୍ବା ସ୍ବାସ୍ଥ୍ୟାନୁଷ୍ଠାନକୁ ପଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। ବାତ୍ୟା ପରବର୍ତୀ ସମୟରେ ପାନୀୟ ଜଳ ଉତ୍ସଗୁଡ଼ିକର ତୁରନ୍ତ ବିଶୋଧନ ଉପରେ ଗୁରୁତ୍ବ ଦିଆଯାଇଛି। ମ୍ୟାଲେରିଆ, ଡାଇରିଆ ଓ ଡେଙ୍ଗୁ ଆଦି ସଂପର୍କରେ ସତର୍କ ଦୃଷ୍ଟି ରଖିବା ଓ ଯେପରି ମହାମାରୀ ନ ବ୍ୟାପେ ସେଥିପାଇଁ ସଜାଗ ରହିବା ପାଇଁ କଡ଼ା ନିର୍ଦେଶ ଦିଆଯାଇଛି। ପ୍ରତିଦିନ ଏ ସଂପର୍କରେ ରାଜ୍ୟ ନିୟନ୍ତ୍ରଣ କକ୍ଷକୁ ରିପୋର୍ଟ ପ୍ରଦାନ କରିବା ପାଇଁ କୁହାଯାଇଛି। ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଓ ପରେ ଲୋକମାନେ କ’ଣ କରିବା ଉଚିତ୍ ଓ କ’ଣ ନ କରିବା ଉଚିତ୍ ସେଥିପାଇଁ ଗଣମାଧ୍ୟମ ଜରିଆରେ ସଚେତନ କରିବାକୁ ବିଭାଗକୁ ନିର୍ଦେଶ ଦିଆଯାଇଛି।
ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଡା. ପ୍ରମୋଦ ମେହେର୍ଦା, ସ୍ବତନ୍ତ୍ର ଶାସନ ସଚିବ ଡା. ଲିଙ୍ଗରାଜ ମିଶ୍ର, ଅତିରିକ୍ତ ସଚିବ ଶରତ କୁମାର ମିଶ୍ର, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଯାମିନୀ ଷଡ଼ଙ୍ଗୀ, ସ୍ବାସ୍ଥ୍ୟସେବା ନିର୍ଦେଶକ ଡା. ସୁଶିଲ କର, ଜନସ୍ବାସ୍ଥ୍ୟ ନିର୍ଦେଶକ ହରପ୍ରସାଦ ପଟ୍ଟନାୟକ, ପରିବାର କଲ୍ୟାଣ ନିର୍ଦେଶକ ଡା. ବିଜୟଲକ୍ଷ୍ମୀ ଗୁରୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/am.jpg)