ଡାକ୍ତର, କର୍ମଚାରୀଙ୍କୁ ଏଯାଏ ମିଳିନି ପିପିଇ କିଟ୍ : ମେଡିସିନ୍‌ ଓ କାଜୁଆଲିଟି ଡାକ୍ତରଙ୍କ ମଧ୍ୟରେ ବଢୁଛି ପ୍ରତିକ୍ରିୟା

ଏନ୍-୯୫ ମାସ୍କ ଏସ୍‌ସିବିରେ ଆବଶ୍ୟକ ୧୨ଶହ ପିପିଇ କିଟ୍‌, ଅଛି ମାତ୍ର ୧୩୦

କଟକ : କରୋନା ମୁକାବିଲା ପାଇଁ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିବା କହୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। କିନ୍ତୁ ସବୁଠୁ ସମ୍ବେଦନଶୀଳ କୁହାଯାଉଥିବା ଅର୍ଥାତ ରୋଗୀଙ୍କ ସହ ସିଧାସଳଖ ସଂପର୍କରେ ଆସୁଥିବା ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ସରକାର ଏଯାଏ ଯୋଗାଇ ଦେଇ ପାରି ନାହାନ୍ତି ସର୍ବନିମ୍ନ ସୁରକ୍ଷା ବ୍ୟବସ୍ଥା। କଟକ ବଡ଼ ଡାକ୍ତରଖାନାରେ ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡରେ ଏବେ କରୋନା ସନ୍ଦିଗ୍ଧଙ୍କ ସଂଖ୍ୟା ବଢି ଚାଲିଛି। ଆବଶ୍ୟକ ସତର୍କତା ପାଇଁ ରୋଗୀ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ପାଇଁ ୧୨ଶହ ପିପିଇ କିଟ୍‌ (ପିନ୍ଧୁଥିବା ପୋଷାକ) ଯୋଗାଇ ଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷ ଲେଖିଥିବାବେଳେ ଏପର୍ଯ୍ୟନ୍ତ ଅଛି ମାତ୍ର ୧୩୦। ଯାହାକି ୨/୩ ଦିନ ଯିବା ବି କଷ୍ଟ।

ଅନ୍ୟପଟେ ଏଯାଏ ସର୍ବନିମ୍ନ ସୁରକ୍ଷା କୁହାଯାଉଥିବା ଏନ୍‌-୯୫ ମାସ୍କ କଟକ ବଡ ଡାକ୍ତରଖାନା ଅଥବା ରାଜ୍ୟର କୌଣସି ସରକାରୀ ଡାକ୍ତରଖାନାର ଡାକ୍ତର କି ମେଡିକାଲ କର୍ମଚାରୀଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇ ପାରିନାହାନ୍ତି। କରୋନା ୱାର୍ଡରେ ନିୟୋଜିତ ହୋଇଥିବା ଡାକ୍ତର, କର୍ମଚାରୀ ଓ ପଲ୍ୟୁମୁନାରି ମେଡିସିନ୍‌ ବିଭାଗକୁ କେବଳ ଏହି ମାସ୍କ ଦିଆଯିବ ବୋଲି ଏବେ ଏସ୍‌ସିବି କର୍ତ୍ତୃପକ୍ଷ କହୁଛନ୍ତି। ଯାହାଫଳରେ ମେଡିସିନ୍‌ ଓ କାଜୁଆଲିଟିରେ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଗତ କିଛିଦିନ ତଳେ ଏନ୍‌-୯୫ ମାସ୍କ ନ ମିଳିବାକୁ ନେଇ କିଛି ଡାକ୍ତରୀ ଛାତ୍ର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ। କଟକ ବଡ଼ ଡାକ୍ତରଖାନାରେ ଜାନୁଆରି ଶେଷ ସପ୍ତାହରୁ ସ୍ବତନ୍ତ୍ର କରୋନା ୱାର୍ଡ ଖୋଲିଲାଣି ବୋଲି ଘୋଷଣା କରାଯାଉଥିବା ବେଳେ ଏସବୁ ବ୍ୟବସ୍ଥା ଏଯାଏ ନ ହେବାର କାରଣ କଣ ବୋଲି ପ୍ରଶ୍ନ ଉଠୁଛି। ଯେଉଁଠି ନିଜେ ଡାକ୍ତର ଏଯାଏ ସୁରକ୍ଷିତ ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇ ନାହାନ୍ତି, ସେଠି ରୋଗୀ ସେବା କଣ ହେବ ବୋଲି ଆଶଙ୍କା ସୃଷ୍ଟି ହେଉଛି।

ବର୍ତ୍ତମାନ ଏସସିବିରେ କରୋନା ସନ୍ଦିଗ୍ଧଙ୍କ ପାଇଁ ୫୪ଟି ବେଡ୍‌ ସହ ୮ଟି ଆଇସିୟୁର ବ୍ୟବସ୍ଥା କରାଯାଇଛି। ଏଯାଏ ଏସ୍‌ସିବିକୁ ୩୧ଜଣ କରୋନା ସନ୍ଦିଗ୍ଧ ଆସିଥିବା ବେଳେ ସେଥିରୁ ଗତକାଲି ଗୋଟିଏ ଦିନରେ ଜଣେ ଫାର୍ମାସିଷ୍ଟଙ୍କ ସମେତ ୧୫ଜଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ଅବଶ୍ୟ ସବୁ ନେଗେଟିଭ୍‌ ରିପୋର୍ଟ ଆସିଛି। ଆଜି ପୁଣି ବଡ ଡାକ୍ତରଖାନାକୁ ୬ ଜଣ ସନ୍ଦିଗ୍ଧ ଆସିଛନ୍ତି। ତେବେ ସେଥିରୁ ଏସ୍‌ସିବିରୁ ଜଣଙ୍କର ଓ କଟକର ଏକ ଘରୋଇ ହସ୍ପିଟାଲରୁ ଜଣଙ୍କର ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଛି। ଏବେ ଏସ୍‌ସିବିରେ ୧୦ ଜଣଙ୍କୁ ଆଇସୋଲେସନ୍‌ରେ ରଖାଯାଇଛି। ସ୍ବତନ୍ତ୍ର କରୋନା ୱାର୍ଡ ସମେତ ବିଏସ୍‌ସି ନର୍ସିଂ କଲେଜରେ ୧୪୪ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସ୍ବତନ୍ତ୍ର କରୋନା ୱାର୍ଡରେ ମଧ୍ୟ ଅଧିକ ୮୦ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି। ପଲ୍ୟୁମୁନାରି ମେଡିସିନ୍‌ ବିଭାଗ ପାଖରେ ‌ଖୋଲାଯାଇଥିବା ସ୍ବତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ୫ଟି ଆଇସିୟୁ ବ୍ୟବସ୍ଥା କରାଯାଇଛି। ଏସ୍‌ସିବିରେ ପର୍ଯ୍ୟାୟକ୍ରମେ ହଜାରେ ଶଯ୍ୟାର ବ୍ୟବସ୍ଥା ସହ ଆଇସୋଲେସନ୍‌ ବ୍ୟବସ୍ଥା କରାଯାଇଛି। ସବୁ ବ୍ୟବସ୍ଥା ପାଇଁ ଘନ ଘନ ବୈଠକ ବସୁଛି। କିନ୍ତୁ ପର୍ଯ୍ୟାପ୍ତ ପରିମାଣର ପ୍ରତିଷେଧକ ବ୍ୟବସ୍ଥା ହୋଇପାରୁନାହିଁ।

ସମ୍ବନ୍ଧିତ ଖବର