ଭଞ୍ଜନଗର : ବିଲୁପ୍ତ ହେବାକୁ ବସିଛି ଗଞ୍ଜାମ ଜିଲ୍ଲା ଘୁମୁସର ଜଙ୍ଗଲର ଔଷଧୀୟ ବିରଳ ଗଛ ‘ଅର୍ଗୁଣା’। ସାଧାରଣ ଖଜୁରୀ ଗଛ ଭଳି ଦେଖାଯାଉଥିଲେ ବି ଔଷଧୀୟ ଗୁଣରେ ଭରପୂର ଅର୍ଗୁଣା କନ୍ଦା ଉପରେ ବିଭିନ୍ନ ଔଷଧ କମ୍ପାନି ଉପରେ ଏବେ ଲୋଲୁପ ଦୃଷ୍ଟି ପଡ଼ିଛି। ଆଉ ଏହି ବିରଳ ବୃକ୍ଷ ଚାଲାଣ ପଛରେ ବର୍ତ୍ତମାନ ଏକ ଅନ୍ତଃରାଜ୍ୟ ରାକେଟ୍ ସକ୍ରିୟ ହୋଇ କାମ କରୁଛନ୍ତି। ଯେଉଁମାନେ କି ଜଙ୍ଗଲ ନିକଟରେ ରହୁଥିବା ନିରୀହ ମହିଳାଙ୍କୁ ଢାଲ କରି ଟ୍ରକ୍ ଓ ଭାରୀଯାନରେ ପ୍ରତିଦିନ କନ୍ଦାକୁ ଜିଲ୍ଲା ଏବଂ ରାଜ୍ୟ ବାହାରକୁ ଚାଲାଣ କରିବାରେ ସଫଳ ହେଉଛନ୍ତି। ବିଭିନ୍ନ ଔଷଧ କମ୍ପାନିକୁ ଏହି କନ୍ଦା ପଠାଇ ଦଲାଲ୍ମାନେ ମାଲାମାଲ୍ ହେଉଛନ୍ତି। ଫଳରେ ଏହି ବିରଳ ବୃକ୍ଷର ସୁରକ୍ଷା ଦିଗରେ ବନ ବିଭାଗ ତତ୍ପରତା ଦେଖାଇବା ସହ କଠୋର ଆଭିମୁଖ୍ୟ ଗ୍ରହଣ ନକଲେ ଏହା ଦିନେ ସଂପୂର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ପରିବେଶବିତ୍ଙ୍କ ମହଲରେ ମତପ୍ରକାଶ ପାଇଛି।
ଘୁମୁସରର ଘଞ୍ଚ ଜଙ୍ଗଲରେ ଏହି ବିରଳ ବୃକ୍ଷ ଅଧିକ ମାତ୍ରାରେ ରହିଛି। ଅର୍ଗୁଣାର କନ୍ଦା ଅଲସର୍ ଓ ଅନ୍ୟାନ୍ୟ ଜୀବାଣୁଜନିତ ରୋଗର ଉପଚାର ଲାଗି ଔଷଧ ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥାଏ। ସେହିପରି ଏହାର ପତ୍ରକୁ ଗ୍ରାମବାସୀ ରାନ୍ଧି ଖାଇବା ସହ ଫଳକୁ ଏଡ଼ିସ୍ ମଶାରୁ ରକ୍ଷା ପାଇବାକୁ ବ୍ୟବହାର କରନ୍ତି। କିନ୍ତୁ କନ୍ଦା ମୂଲ୍ୟବାନ୍ ହୋଇଥିବା ସହ ଏଥିରେ ଔଷଧୀୟ ଗୁଣ ଥିବାରୁ ଜଙ୍ଗଲ ନିକଟରେ ରହୁଥିବା ମହିଳା ମାନେ ନିଜ ପ୍ରତିପୋଷଣ ଏହାକୁ ଓଜନ ହିସାବରେ ଦଲାଲମାନଙ୍କ ହାତକୁ ଟେକି ଦେଉଛନ୍ତି। କିଲୋ ପିଛା ୧୫ରୁ ୨୦ ଟଙ୍କା ଭିତରେ କିଣିବା ପରେ କନ୍ଦା ଗୁଡ଼ିକୁ ଲକ୍ଷାଧିକ ଟଙ୍କାରେ ଔଷଧ କମ୍ପାନି ଗୁଡ଼ିକୁ ବିକାଯାଉଛି। କନ୍ଦା ପାଇଁ ଗଛକୁ ପୂରା ମୂଳରୁ ଉପାଡ଼ିଦିଆଯାଉଥିବାରୁ ଏହା ଲୋପ ପାଇବାକୁ ବସିଲାଣି। ଅନ୍ୟପକ୍ଷରେ ପ୍ରତିଦିନ ଟ୍ରକ୍ ଓ ଭାରୀଯାନ ଧରି ଦଲାଲ୍ ମାନେ ଗାଁରେ ପହଞ୍ଚୁଛନ୍ତି। ପରେ ସେମାନେ ଗାଁ ଗାଁ ବୁଲି ମହିଳାଙ୍କଠୁ କନ୍ଦା ସଂଗ୍ରହ କରିବା ପରେ ଏହାକୁ ଲୋଡ଼୍ କରି ବେଧଡ଼କ୍ ଚାଲାଣ କରୁଛନ୍ତି। ହେଲେ ବନ ବିଭାଗ ଓ ପୁଲିସ ଏହାକୁ ଅଟକାଇବାକୁ ଚିନ୍ତା କରି ନଥାନ୍ତି। ଗତବର୍ଷ ଜୁନ୍ ୩୦ ତାରିଖରେ କୋଭିଡ୍ ଡ୍ୟୁଟିରେ ନିୟୋଜିତ ଏକ ଟ୍ରକ୍ ଔଷଧ ନେଇ ଆସି ଫେରିବା ସମୟରେ କୋଭିଡ୍ ପାସ୍ ଲଗାଇ ଏହି କନ୍ଦା ଚାଲାଣ କରୁଥିଲା। କେନ୍ଦ୍ରୀୟ ବନାଞ୍ଚଳର ଡୁମାକୁମ୍ପା ବିଟ୍ର ନୂଆପଲ୍ଲୀ ଗ୍ରାମରୁ ବନ ବିଭାଗ ଉକ୍ତ ଟ୍ରକ୍କୁ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା। ତିଲିକି ସଂରକ୍ଷିତ ଜଙ୍ଗଲରୁ କନ୍ଦା ସଂଗ୍ରହ କରି ମହିଳା ମାନେ ଗଚ୍ଛିତ କରିବା ପରେ ଏହାକୁ ଦଲାଲ୍ଙ୍କୁ ବିକି ଦେଇଥିଲେ। ଯାହାକି ଦୁଇଲକ୍ଷରୁ ଅଧିକ ହେବ ବୋଲି ତଦନ୍ତରୁ ଜଣାପଡ଼ିଥିଲା। ଏହି ଘଟଣା ପରେ କନ୍ଦା ଚାଲାଣକାରୀ ଦଲାଲ୍ଙ୍କ ଉପରେ ବନ ବିଭାଗ ନଜର ରଖିବା ଆରମ୍ଭ କରିଥିଲା। କନ୍ଦା ସଂଗ୍ରହ କରୁଥିବା ମହିଳା ଓ ଗ୍ରାମବାସୀଙ୍କୁ ବି ଚିହ୍ନଟ କରାଗଲା।
/sambad/media/post_attachments/wp-content/uploads/2021/01/BNJ-BJ-arguna.jpg)
ଏହାପରେ ଗତ ଅଗଷ୍ଟ ମାସରେ ଗାଙ୍ଗପୁର ଫରେଷ୍ଟ୍ ଗେଟ୍ ନିକଟରୁ ପୁଣି ୮୦ ଗୋଟି ବସ୍ତାରେ ଚାଲାଣ ହେଉଥିବା ୩ ହଜାର ୨ଶହ କେଜି ଅର୍ଗୁଣା ସହ ଗାଡ଼ିକୁ ଜବତ କରାଯାଇଥିଲା। ଢିମିରିପଲ୍ଲୀ ଗ୍ରାମର ଶତାଧିକ ମହିଳା ଗାଡ଼ିକୁ ଛାଡିବା ଜିଦ୍ରେ ବ୍ରହ୍ମପୁର ଓ ଭଞ୍ଜନଗର ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ବନ ବିଭାଗ ଓ ବନ ସୁରକ୍ଷା ସମିତିର ଆପୋଷ ବୁଝାମଣା ପରେ ଏହି ସମସ୍ୟାର ସମାଧାନ ହୋଇଥିଲା। ‘କନ୍ଦା ବିକିବା ଆମର ଜୀବିକା। ଯଦି ବନ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି’ ତାହେଲେ ଆମ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଉ ବୋଲି ଦାବି କରିଥିଲେ। ତେବେ ଜୀବିକା ନାଁରେ ବିରଳ ବୃକ୍ଷକୁ ନଷ୍ଟ କରାଯାଉଥିବାରୁ ଏହାକୁ ନେଇ ପରିବେଶବିତ୍ ଚିନ୍ତା ବ୍ୟକ୍ତ କରିଛନ୍ତି।
ଉତ୍ତର ଘୁମୁସର ବନଖଣ୍ଡ ସହକାରୀ ବନ ସଂରକ୍ଷକ ସୁଦର୍ଶନ ବାଦି କହିଛନ୍ତି, ଅଗୁର୍ଣା କନ୍ଦା ଲଘୁ ବନଜାତ ଦ୍ରବ୍ୟ। ଜଙ୍ଗଲ ନିକଟରେ ରହୁଥିବା ଗ୍ରାମବାସୀ ଏହାର ବ୍ୟବହାର କରିବା ସହ କନ୍ଦାକୁ ଆଣି ଘରେ ସଂରକ୍ଷିତ ରଖୁଛନ୍ତି। ଆଉ ଅଳ୍ପ ଦାମରେ ଦଲାଲଙ୍କୁ ବିକ୍ରି କରୁଛନ୍ତି। ଯାହାକି ନିଶ୍ଚିତ ଭାବେ ଚିନ୍ତାର ବିଷୟ। କେବଳ ମହିଳାଙ୍କୁ ଦଲାଲ୍ ମାନେ ମୋହରା କରି ଏହି ବିରଳ କନ୍ଦାକୁ ଚାଲାଣ କରୁଛନ୍ତି। ବେଆଇନ ଚାଲାଣକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅନ୍ୟପକ୍ଷରେ ଢିମିରିପଲ୍ଲୀ ଭିଏସ୍ଏସ୍ କୋଷାଧ୍ୟକ୍ଷ ରେଣୁ ନାୟକ କହିଛନ୍ତି, ଜଙ୍ଗଲ ନିକଟରେ ରହୁଥିବାରୁ ମହୁଲ, ମସିହା, କନ୍ଦା, ଶାଗ, ଝୁଣା ଓ ହରଡା ବାହାଡ଼ା ଆଦି ସଂଗ୍ରହ କରି ଜୀବିକା ନିର୍ବାହ କରୁଛୁ। ୨୦୦୩ରେ ତତ୍କାଳୀନ ଡିଏଫ୍ଓ ଜଙ୍ଗଲ ଜମି ଅକ୍ତିଆର ନକରି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଅର୍ଗୁଣା କନ୍ଦା ବିକ୍ରି କରିବା ଧର୍ତ୍ତବ୍ୟ ଅପରାଧ ବୋଲି ଆମକୁ ଅଜଣା। ଔଷଧ ତିଆରି ପାଇଁ ଆମକୁ କନ୍ଦା ମଗାଯାଉଛି। କନ୍ଦା ସଂଗ୍ରହ କରି ଆମେ ଏହାକୁ କିଲୋ ପିଛା ୧୫ରୁ ୧୮ ଟଙ୍କା ଭିତରେ ବିକ୍ରି କରୁଛି। ଯାହାକି ପ୍ରତିପୋଷରେ ସହାୟକ ହେଉଛି। ତେବେ ଏହି ବିରଳ ବୃକ୍ଷର ସୁରକ୍ଷା ଦିଗରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/BNJ-BJ-arguna-f.jpg)