ଫୁଲବାଣୀ: କନ୍ଧମାଳ ଜିଲ୍ଲାର ସ୍ବତନ୍ତ୍ର ପ୍ରଜାତିର ଦେଶୀ କୁକୁଡ଼ାକୁ ‘ଫୁଲବାଣୀ କୁକୁଡ଼ା’ ନାମକରଣ କରାଯାଇଛି। ଏହି ସ୍ବତନ୍ତ୍ର ପ୍ରଜାତିର ଦେଶୀ କୁକୁଡ଼ା ତୁଳନାତ୍ମକ ଭାବେ ଦେଶର ବିଭିନ୍ନ ପ୍ରଜାତିର କୁକୁଡ଼ାଙ୍କ ଠାରୁ ଭିନ୍ନ ଓ ବିରଳ। କିନ୍ତୁ କେବେ ଏହାକୁ ଜାତୀୟ ସ୍ବୀକୃତି ମିଳିବ, ଏ ନେଇ ଅନେକ ଦିନ ହେଲା ଅପେକ୍ଷା କରିଛନ୍ତି ଜିଲ୍ଲାବାସୀ। ଏହି କୁକୁଡ଼ା ମାଂସରେ ଔଷଧୀୟ ଗୁଣ ଏହାର ସ୍ବତନ୍ତ୍ରତାକୁ ଦର୍ଶାଇଥାଏ। ବିପଦ ଆସିଲେ ଏହି କୁକୁଡ଼ା ଭୂମି ଉପରୁ ୩୦ରୁ ୫୦ ଫୁଟ ଉଚ୍ଚ ଓ ଲମ୍ବା ଉଡ଼ିପାରନ୍ତି। କେବଳ ଏତିକି ନୁହେଁ, ଶତ୍ରୁ ମୁକାବିଲାରେ ବି ଏମାନେ ବେଶ୍ ପାରଙ୍ଗମ। ଏମାନେ ଏତେ ଚଞ୍ଚଳ ଯେ ବିଲେଇ କିମ୍ବା କଟାସ ସହଜରେ ଝାମ୍ପି ଧରିପାରନ୍ତି ନାହିଁ। ସେହିପରି ରୋଗ ପ୍ରତିରୋଧକ ଶକ୍ତି ବି ଅଧିକ। ସେଥିପାଇଁ ଉକ୍ତ ପ୍ରଜାତିର କୁକୁଡ଼ାଙ୍କୁ କୃମି କିମ୍ବା ଝାଡ଼ାରୋଗ, ବାୟୁବାହିତ କିମ୍ବା ଭାଇରସ୍ଜନିତ ସଂକ୍ରମଣ ସହଜରେ ଆକ୍ରାନ୍ତ କରି ନଥାଏ।
ମାଂସରେ ଔଷଧୀୟ ଗୁଣ
ସଂରକ୍ଷଣ ପାଇଁ ଯୋଜନା ଜରୁରି
ଏବେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଫୁଲବାଣୀ କୁକୁଡ଼ା’କୁ ନେଇ ଅଧିକ ଗବେଷଣା ଜାରି ରହିଛି। ଏହାକୁ କିଭଳି ଜାତୀୟ ସ୍ବୀକୃତି ଓ ସ୍ବତନ୍ତ୍ର ମାନ୍ୟତା ମିଳିବ ସେ ଓୟୁଏଟିର ଏକ ବିଶେଷ ଦଳ ଉଦ୍ୟମ କରୁଛନ୍ତି। ଦେଶର ୨୦ତମ ସ୍ବତନ୍ତ୍ର ଦେଶୀ ପ୍ରଜାତିର କୁକୁଡ଼ାବର୍ଗରେ ଫୁଲବାଣୀ କୁକୁଡ଼ାକୁ ସାମିଲ କରାଯିବା ନେଇ ଓୟୁଏଟିର ଗବେଷକମାନେ ଉଦ୍ୟମ ଜାରି ରଖିଛନ୍ତି। ଏହି ଦେଶୀକୁକୁଡ଼ା ସମ୍ପର୍କରେ ସବିଶେଷ ତଥ୍ୟ ‘ନ୍ୟାସନାଲ୍ ବ୍ୟୁରୋ ଅଫ୍ ଆନିମଲ୍ ଜେନେଟିକ୍ ରିସୋର୍ସେସ’ (ଏନ୍ବିଏଜିଆର୍)କୁ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲାର ଫୁଲବାଣୀ, ରାଇକିଆ, ଘୁ.ଉଦୟଗିରି, ଫିରିଙ୍ଗିଆ, କୋଟଗଡ଼ ଓ ବାଲିଗୁଡ଼ାର ଆଭ୍ୟନ୍ତରୀଣ ଜଙ୍ଗଲ ଅଞ୍ଚଳରେ ଏହି ପ୍ରଜାତିର ଦେଶୀ କୁକୁଡ଼ା ଦେଖିବାକୁ ମିଳିଥା’ନ୍ତି। ଏମାନଙ୍କ ଶରୀରର ରଙ୍ଗ ନାଲି ଓ କଳା ମିଶ୍ରିତ। ଯଦିଓ ସାଧାରଣ ଦେଶୀ କୁକୁଡ଼ାଙ୍କ ଭଳି ଏମାନେ ଦେଖାଯାଆନ୍ତି, ମାତ୍ର ଶାରୀରିକ ଗଠନ ଦୃଷ୍ଟିରୁ ଏମାନେ ଭିନ୍ନ। ଏମାନଙ୍କ ଡେଣା ଓ ପର ସାମାନ୍ୟ ଲମ୍ବା ଏବଂ ଶକ୍ତ। ଏମାନେ ଖୁବ୍ ସହଜରେ ଆକାଶରେ ଉଡ଼ିପାରନ୍ତି। ଶରୀରର ଓଜନ ଅନ୍ୟ କୁକୁଡ଼ାଙ୍କ ତୁଳନାରେ କମ୍ ଓଜନର ହୋଇଥାଏ।
କନ୍ଧମାଳ ଜିଲ୍ଲାର ଆଦିବାସୀମାନେ ଏହି ପ୍ରଜାତିର କୁକୁଡ଼ା ପାଳନ କରି ପ୍ରତିପୋଷଣ କରିଥା’ନ୍ତି। ଗୋଟିଏ ବୟସ୍କ ‘ଫୁଲବାଣୀ କୁକୁଡ଼ା’ର ଓଜନ ୧ କିଲୋରୁ ଦେଢ଼କିଲୋ ପର୍ଯ୍ୟନ୍ତ ହୋଇଥାଏ। ଏମାନେ ବର୍ଷକୁ ୬୦ରୁ ୭୦ ଅଣ୍ଡା ଦେଇଥା’ନ୍ତି। ଓୟୁଏଟିର ବରିଷ୍ଠ କୁକ୍କୁଟ ବିଶେଷଜ୍ଞ ଡାକ୍ତର ସୁଶାନ୍ତ ଦାସଙ୍କ ନେତୃତ୍ବରେ ଏକ ଗବେଷଣାଦଳ ଏହି କୁକୁଡ଼ାକୁ ଜାତୀୟ ମାନ୍ୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ ପ୍ରୟାସ ଜାରି ରଖିଛନ୍ତି। ଗବେଷକ ଡାକ୍ତର ଦାସଙ୍କ କହିବା ଅନୁସାରେ, କନ୍ଧମାଳ ଜିଲ୍ଲାରେ ପାଖାପାଖି ଦେଢ଼ଲକ୍ଷରୁ ଅଧିକ ସଂଖ୍ୟାରେ ଏହି କୁକୁଡ଼ା ରହିଛନ୍ତି। ଏମାନଙ୍କର ସଂରକ୍ଷଣ ଏବଂ ସୁରକ୍ଷିତ ପ୍ରଜନନ ପ୍ରତି ଧ୍ୟାନ ଦେବା ଉଚିତ। ଯଦି ଏହି କୁକୁଡ଼ାକୁ ଜାତୀୟ ମାନ୍ୟତା ମିଳେ, ତେବେ ସରକାର ଏହି ପ୍ରଜାତିର ସଂରକ୍ଷଣ ଓ ବଂଶବୃଦ୍ଧି ନିମନ୍ତେ ପ୍ରୟାସ କରିବେ ବୋଲି ସେ କହିଛନ୍ତି। ଭବିଷ୍ୟତରେ ‘ଫୁଲବାଣୀ କୁକୁଡ଼ା’କୁ କନ୍ଧମାଳ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାରେ ଚାଷ କରାଯାଇପାରିଲେ ଓଡ଼ିଶା ଦେଶୀ କୁକୁଡ଼ା ଉତ୍ପାଦନରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ ବୋଲି ଡାକ୍ତର ଦାସ ଆଶାପୋଷଣ କରିଛନ୍ତି।