ଭୁବନେଶ୍ୱର,(କ୍ଷିତୀଶ ରାୟ): ରାଜ୍ୟରେ ଗୁରୁତର ଅବସ୍ଥାରେ ଥିବା କରୋନା ରୋଗୀଙ୍କ ଜୀବନ ରକ୍ଷା ପାଇଁ ୨ଟି ବଟିକା ଓ ଏକାଧିକ ଇଞ୍ଜେକସନ୍କୁ ଅନୁମତି ମିଳିଛି। କିଛି ଦିନ ତଳେ ରାଜ୍ୟକୁ ଏହି ଜୀବନ ରକ୍ଷାକାରୀ ଔଷଧ ଆସି ପହଞ୍ଚିଥିଲା। ମାତ୍ର କୋଭିଡ ହସ୍ପିଟାଲଗୁଡ଼ିକ ଏହି ଔଷଧ/ଇଞ୍ଜେକସନ୍ ବ୍ୟବହାର କରିବା ନେଇ ଆରମ୍ଭରୁ ସେତେଟା ଆଗ୍ରହ ଦେଖାଇ ନ ଥିଲେ। ଇଞ୍ଜେକସନ୍ର ଯଥେଷ୍ଟ ଦାମ୍, ଚିକିତ୍ସା ପ୍ରୋଟୋକଲ, ଇଣ୍ଡେଣ୍ଟକୁ ସମସ୍ୟା ଦେଖା ଦେଇଥିଲା। ମାତ୍ର ଏହା ଭିତରେ କୋଭିଡ୍ ହସ୍ପିଟାଲ ଏସବୁ ଔଷଧ/ଇଞ୍ଜେକସନ୍ର ଚାହିଦା ବଢ଼ିଥିବା ଲକ୍ଷ୍ୟ କରାଯାଇଛି। ଗୁରୁତର ରୋଗୀଙ୍କ ପାଇଁ ଫାବି ଫ୍ଲୁ, ଡେକ୍ସାମାଥେସୋନ୍ ଓ ଟୋସିଲିଜୁମା ଭଳି ଜୀବନ ରକ୍ଷାକାରୀ ଔଷଧର ମଧ୍ୟ ବ୍ୟବହାର ହେଉଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/07/ganjam-covid-hospital-300x198.jpeg)
ରାଜ୍ୟରେ ଏବେ ୩୫ଟି କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି। ୫୫୭୭ ଶଯ୍ୟା ସହିତ ୩୧୨ଟି ଆଇସିୟୁ ଶଯ୍ୟା ରହିଛି। ତେବେ ଜୁଲାଇ ମାସରେ କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି। କିଛି ଦିନ ତଳେ ରାଜଧାନୀରେ ଥିବା ୨ଟି ପ୍ରମୁଖ କୋଭିଡ୍ ହସ୍ପିଟାଲର ସମସ୍ତ ଆଇସିୟୁରେ ରୋଗୀ ଭର୍ତି ହୋଇ ଯାଇଥିବା ନଜରକୁ ଆସିଥିଲା। ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀର ଗୁରୁତର ରୋଗୀମାନଙ୍କ ପାଇଁ କଟକର ଅଶ୍ବିନୀ ହସ୍ପିଟାଲ୍ରେ ଆଇସିୟୁ ମହଜୁଦ ରଖାଯାଇଥିବା କୁହାଯାଇଥିଲା। କରୋନାରେ ଆକ୍ରାନ୍ତ ହୋଇଥିବା ଗୁରୁତର ରୋଗୀଙ୍କ ପାଇଁ କମ୍ପାନିମାନଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଔଷଧ କିମ୍ବା ଇଞ୍ଜେକସନ୍କୁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ)ଙ୍କ ପକ୍ଷରୁ ଅନମୁତି ଦିଆଯାଇଛି।
ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟକୁ ପ୍ରଥମ ପର୍ଯ୍ୟାୟରେ ଗୋଟିଏ କମ୍ପାନିର ୨୫୦, ପରବର୍ତୀ ସମୟରେ ପ୍ରାୟ ୫ଶହ ଇଞ୍ଜେକସନ୍ ଆସିଥିଲା। ପରେ ଅନ୍ୟ ଏକ କମ୍ପାନିର ପ୍ରାୟ ୧୦୦ଟି ଇଞ୍ଜେକସନ୍ ଓଡ଼ିଶାକୁ ଆସିଥିଲା। ତେବେ ସଂପୃକ୍ତ ଇଞ୍ଜେକସନ୍ର ଦାମ ଅଧିକ ରହିଥିବା କାରଣୁ କୋଭିଡ ହସ୍ପିଟାଲ ଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି ଆଗ୍ରହ ଦେଖାଇ ନ ଥିଲେ। ମାତ୍ର ରାଜଧାନୀର ଏକ କୋଭିଡ୍ ହସ୍ପିଟାଲ ପ୍ରଥମେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଥିଲା। ପରେ ରାଜ୍ୟର ଅନ୍ୟ କୋଭିଡ ହସ୍ପିଟାଲଗୁଡ଼ିକ ଧୀରେ ଧୀରେ ଏଥିପାଇଁ ଆଗ୍ରହ ଦେଖାଇଥିଲେ। ଏବେ ରାଜ୍ୟକୁ ୨ଟି କମ୍ପାନିର ସଂପୃକ୍ତ ଇଞ୍ଜେକସନ୍ ଆସୁଛି। ଆଗାମୀ ଦିନରେ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍ଏମ୍ସିଏଲ) ପକ୍ଷରୁ ଏହାକୁ କିଣାଯିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2020/07/covid-19-accelerating-vaccine-development-and-manufacturing-332719-300x169.jpg)
ଅପରପକ୍ଷେ ଜୀବନ ରକ୍ଷାକାରୀ ସ୍ବତନ୍ତ୍ର ବଟିକାକୁ ସ୍ବଳ୍ପରୁ ମଧ୍ୟମ ଲକ୍ଷଣ ଥିବା କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯିବାର ନିୟମ ରହିଛି। ଏଥିପାଇଁ ପ୍ରଥମେ ରୋଗୀଙ୍କ ଅନୁମତି ନେବା ମଧ୍ୟ ଜରୁରୀ। ପ୍ରଥମେ ରାଜ୍ୟକୁ ୧୨ଶହ ଷ୍ଟ୍ରିପ୍ ଏହି ବଟିକା ଆସିଥିଲା। ସଂପୃକ୍ତ ଇଞ୍ଜେକସନ୍ ଭଳି ବଟିକା ମଧ୍ୟ ବ୍ୟବହାର କରିବା ଲାଗି କୋଭିଡ ହସ୍ପିଟାଲ କର୍ତୃପକ୍ଷ ଭୟ କରିଥିଲେ। ଏଭଳି ପରିସ୍ଥିତିରେ ବହୁତ କମ୍ ସଂଖ୍ୟାରେ ଔଷଧ ଓଡ଼ିଶାରେ ବ୍ୟବହାର ହୋଇଥିଲା। ତେବେ ଏହି ଔଷଧର ଅବଧି ବା ଏକ୍ସପାରି ଡେଟ୍ ଖୁବ୍ କମ୍ ଦିନ ରହିଥିବାରୁ କମ୍ପାନି ପକ୍ଷରୁ ଓଡ଼ିଶାକୁ ଯେତିକି ଷ୍ଟ୍ରିପ୍ ଆସିଥିଲା, ତହିଁରୁ ସିଂହ ଭାଗ ଫେରାଇ ନେଇଥିଲେ। ହେଲେ କିଛିଦିନ ପରେ କୋଭିଡ ହସ୍ପିଟାଲଗୁଡ଼ିକ ଏହାକୁ ବ୍ୟବହାର କରିବା ଲାଗି ଆଗ୍ରହ ଦେଖାଇବା ପରେ ପୁନର୍ବାର କମ୍ପାନି ପକ୍ଷରୁ ଓଡ଼ିଶାକୁ ଏହି ଔଷଧ ଯୋଗାଇ ଦିଆଯାଇଥିଲା। ଏବେ ସୁଦ୍ଧା ପ୍ରାୟ ୫ଶହ ଷ୍ଟ୍ରିପ୍ର ବଟିକା କୋଭିଡ ହସ୍ପିଟାଲମାନେ ନେଇଥିବା ଜଣାପଡ଼ିଛି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ କହିବା କଥା, ଡେକ୍ସାମାଥେସନ୍ ମଧ୍ୟ କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଛି। ଜୁନ୍ ଆରମ୍ଭରେ ରାଜ୍ୟରେ ଔଷଧ ଦୋକାନଗୁଡ଼ିକରେ ୨୦ଲକ୍ଷ ବଟିକା ରହିଥିଲା। ପରବର୍ତୀ ସମୟରେ ରାଜ୍ୟର ବିଭିନ୍ନ ହସ୍ପିଟାଲକୁ ଏହାକୁ ଯୋଗାଣ ହୋଇଥିବା ବେଳେ ଏବେ ୪ଲକ୍ଷ ବଟିକା ରହିଛି। ଏହାସହ ୨ଲକ୍ଷ ଇଞ୍ଜେକସନ୍ ଔଷଧ ଦୋକାନରେ ଷ୍ଟକ୍ରେ ରହିଛି। ସାଧାରଣ ହସ୍ପିଟାଲକୁ ଏହାର ବଟିକା ଓ ଇଞ୍ଜେକସନ୍ ବ୍ୟବହାର କରୁଥିବାରୁ ରାଜ୍ୟବ୍ୟାପୀ ହସ୍ପିଟାଲରେ ଏହା ଉପଲବ୍ଧ କରିବା ପାଇଁ ଯୋଜନା ହୋଇଛି। ଏହାବାଦ୍ ଔଷଧ ନିଗମରେ ଲକ୍ଷାଧିକ ସଂଖ୍ୟାରେ ଡେକ୍ସାମାଥେସନ୍ ଜିଲ୍ଲାସ୍ତରକୁ ଯୋଗାଣ ହୋଇଛି। ତେଣୁ ଡେକ୍ସାମାଥେସନ୍ ବଟିକା ଯଥେଷ୍ଟ ପରିମାଣର ରାଜ୍ୟରେ ଉପଲବ୍ଧ ରହିଛି ବୋଲି ସେ କହିଛନ୍ତି।
ଟୋସିଲିଜୁମା ଇଞ୍ଜେକ୍ସନ୍ର ରାଜ୍ୟରେ ବିଶେଷ ଚାହିଦା ନାହିଁ। ଏହାର ଗୋଟିଏ ଭାଏଲ ପ୍ରାୟ ୩୦ହଜାର ରହିଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକ ଏହାକୁ ବ୍ୟବହାର କରିବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ରାଜଧାନୀର ଏକ କୋଭିଡ୍ ହସ୍ପିଟାଲରେ ଏ ପର୍ଯ୍ୟନ୍ତ ୧୩ଟି ଓ କଟକର କୋଭିଡ୍ ହସ୍ପିଟାଲ ମାତ୍ର ୫ଟି ଟୋସିଲିଜୁମା ଇଞ୍ଜେକସନ୍ ଚିକିତ୍ସା ପାଇଁ ନିଆଯାଇଛି। ତେବେ ଔଷଧ ନିଗମ ପକ୍ଷରୁ ଏହାକୁ କିଣିବା ପାଇଁ ଆଲୋଚନା ହୋଇଛି। ଇଟୋଲିଜୁମା ଇଞ୍ଜେକସନ୍ ରାଜ୍ୟକୁ ଏ ପର୍ଯ୍ୟନ୍ତ ଆସିନାହିଁ। ଖୁବ୍ଶୀଘ୍ର ଏହା ଆସିପାରେ ବୋଲି ସୂଚନା ମିଳିଛି।
ତେବେ ରାଜ୍ୟ ଔଷଧ ନିଗମ ପକ୍ଷରୁ ଏସବୁ ଔଷଧ କେତେ ପରିମାଣର କିଣା ଯିବ ଓ ଏବେ ସୁଦ୍ଧା କେତେ ବଣ୍ଟନ କରାଯାଇଛି ତାହା ସଂପର୍କରେ ପରିଚାଳନା ନିର୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ମତାମତ ଲୋଡ଼ା ଯାଇଥିଲେ ହେଁ ସେ କୌଣସି ଉତ୍ତର ଦେଇ ନ ଥିଲେ।