ଗୋପାଳପୁରରେ ହେବ ​ଔଷଧ ପାର୍କ

୧୫୦୦କୋଟି ବିନିଯୋଗ ଲକ୍ଷ୍ୟ ୫ ହଜାର ନିଯୁକ୍ତି ସୁଯୋଗ

ଭୁବନେଶ୍ବର : କରୋନା ପରବର୍ତ୍ତୀ ପରିସ୍ଥିତିରେ ରାଜ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଅଣ ଖଣିଜ ଭିତ୍ତିକ ଶିଳ୍ପାୟନ ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛନ୍ତି। ଗତକାଲି ପର୍ଯ୍ୟଟନ ଶିଳ୍ପ ପରେ ଆଜି ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରାଜ୍ୟରେ ବୃହତ ଔଷଧ ପାର୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୋପାଳପୁର ସ୍ଥିତ ଟାଟା ସ୍ବତନ୍ତ୍ର ଆର୍ଥିକ ଅଞ୍ଚଳ ବା ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ଠାରେ ଏହି ପାର୍କ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ହୋଇଛି। ଏଥିପାଇଁ ପାଖାପାଖି ୧୫୦୦ କୋଟି ବିନିେଯାଗ ଅଟକଳ କରାଯାଇଥିବା ବେଳେ ଏହାଦ୍ବାରା ୫ହଜାର ଲୋକ ସିଧାସଳଖ ନିଯୁକ୍ତି ପାଇବେ ବୋଲି ଆକଳନ କରାଯାଇଛି।

ବୈଠକରେ ମୁଖ୍ୟଶାସନ ସଚିବ ରାଜ୍ୟରେ ଔଷଧ ପାର୍କର ସମ୍ଭାବନା ଦୃଷ୍ଟିକୁ ବିଚାରକୁ େନଇ ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ନିର୍ଦେଶ ଦେଇଥିଲେ। ପାର୍କ ପ୍ରତିଷ୍ଠା ପ୍ରସ୍ତାବର ରୂପାୟନ ନିମନ୍ତେ ଏକ କାର୍ଯ୍ୟାନ୍ବୟନ ସଂସ୍ଥା ଗଠନ କରିବାକୁ ବି ସେ ନିର୍ଦେଶ ଦେଇଥିଲେ। ଆସନ୍ତା ୧୫ ଦିନରେ ପ୍ରକଳ୍ପ ପ୍ରସ୍ତାବ ଚୂଡାନ୍ତ କରିବାକୁ କୁହାଯାଇଛି। େଗାପାଳପୁର ସ୍ଥିତ ଟାଟା ଅର୍ଥନୈତିକ ଜୋନ୍ ଠାରେ ଏହି ପାର୍କ ପ୍ରତିଷ୍ଠା ହେଲେ ବନ୍ଦର, ରେଳବାଇ ଓ ଜାତୀୟ ରାଜପଥ ସୁବିଧା ଉପଲବ୍ଧ ହୋଇପାରିବ। ଏଠାରୁ ଭୁବନେଶ୍ବର ଆନ୍ତର୍ଜାତିକ ବିମାନ ବନ୍ଦର ମଧ୍ୟ ମାତ୍ର ଦୁଇଘଣ୍ଟାର ରାସ୍ତା। ଏହାବ୍ୟତୀତ ଗୋପାଳପୁରରେ ଏୟାର ଷ୍ଟ୍ରିପ୍ ରହିଛି, ଯାହା ଭବିଷ୍ୟତ ଗମନାଗମନ ପାଇଁ ସହଯୋଗ କରିପାରେ।

ପ୍ରକଳ୍ପ ସଂପର୍କରେ ସୂଚନା ଦେଇ ଶିଳ୍ପ ସଚିବ ହେମନ୍ତ ଶର୍ମା କହିଥିଲେ, ପାର୍କରେ ଉନ୍ନତମାନର ସାଧାରଣ ଭିତ୍ତିଭୂମି ସୃଷ୍ଟି କରାଯିବ। ସାଧାରଣ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ୍‌, କଠିନ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ଲାଣ୍ଟ୍‌, ମାଲଗୋଦାମ, ସ୍ବତନ୍ତ୍ର ବିତରଣ ବ୍ୟବସ୍ଥା, ଆଧୁନିକ ପରୀକ୍ଷାଗାର, ବୈଷୟିକ ଇନ୍‌କ୍ୟୁବେଟର ଆଦି ସାଧାରଣ ଭିତ୍ତିଭୂମିର ଅଂଶ ହେବ।

ପାର୍କ ପାଇଁ ଯେଉଁ ୧୫୦୦ କୋଟି ଖର୍ଚ୍ଚ ଅଟକଳ କରାଯାଇଛି, ସେଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ସହଯୋଗ ରହିବ। ପାର୍କର ରୂପାୟନ ନିମନ୍ତେ ଇଡ୍‌କୋ ଓ ଟାଟା ଏସ୍‌ଇଜେଡ୍ ମଧ୍ୟରେ ସ୍ପେସାଲ୍ ପରପୋଜ୍ ଭେହିକିଲ୍ (ଏସ୍‌ପିଭି) ବା ସ୍ବତନ୍ତ୍ର ପ୍ରକଳ୍ପ ବାହକ ଗଠନ କରିବା ପାଇଁ ସ୍ଥିର ହୋଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରକଳ୍ପ ପ୍ରସ୍ତାବ ଚୂଡାନ୍ତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଇବା ଲାଗି ମୁଖ୍ୟସଚିବ ନିର୍ଦେଶ ଦେଇଥିଲେ। ଏହି ବୈଠକରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ସଚିବ ଅଶୋକ କୁମାର ମୀନା, ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇପିକଲ୍‌ ପରିଚାଳନା ନିର୍ଦେଶକ ନୀତିନ୍ ଭାନୁଦାସ ଜାଵଲେ ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର