ଖଣ୍ଡଗିରି: ଆଗରେ ଡାକ୍ତରଖାନା, ପଛରେ ବେଆଇନ ମେଡିସିନ୍ ଷ୍ଟୋର୍। ବହୁଦିନ ଧରି ବିନା ଲାଇସେନ୍ସରେ ଔଷଧ ଦୋକାନ ଚାଲିଆସୁଥିବା ବେଳେ ଆଜି ଡ୍ରଗ୍ସ କଣ୍ଟ୍ରୋଲର୍ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଦେକାନରୁ ବିଭିନ୍ନ ଔଷଧ ନମୁନା ସଂଗ୍ରହ କରାଯାଇ ଲାବେରାଟୋରିକୁ ପରୀକ୍ଷା ପାଇଁ ପଠାଯାଇଛି। ଡାକ୍ତରଖାନାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଉପରେ ଏହି ଦୋକାନରୁ ଔଷଧ କିଣିବାକୁ ବାଧ୍ୟ କରାଯାଉଥିଲା।
ସୂଚନା ମୁତାବକ ଆଜି ପୂର୍ବାହ୍ଣରେ କଳିଙ୍ଗନଗର କେ-୩ ପାଇକରାୟପୁରସ୍ଥିତ ପ୍ଲଟ୍ ନମ୍ବର-୧୬୦୪/୨୨୪୯ରେ ଚାଲିଥିବା ଗେଟ୍ ଆଲାଇଭ୍ ହେଲ୍ଥକେୟାର୍ ପଛପଟେ ଖୋଲିଥିବା ମେଡିସିନ୍ ଷ୍ଟୋର୍ରେ ବିଭାଗ ଚଢ଼ଉ କରିଥିଲା। ଅନଧିକୃତ ଭାବରେ ଔଷଧ ଗଚ୍ଛିତ ରଖିବା ଓ ବିକ୍ରୟ କରିବା ଅଭିଯୋଗ ହୋଇଥିଲା। ଆଜି ବିଭାଗର କର୍ମଚାରୀ ରୋଗୀ ବେଶରେ ଆସି ଔଷଧ ମାଗିଥିଲେ। ଦୋକାନ କର୍ମଚାରୀ ଔଷଧ ବଢ଼ାଇବା ମାତ୍ରେ ତାଙ୍କୁ କାବୁ କରିନେଇଥିଲେ। ଚଢ଼ଉରେ ଦୋକାନରୁ ପ୍ରାୟ ୧୦ଲକ୍ଷ ଟଙ୍କାର ଔଷଧ ମିଳିଛି। ଏଥିରେ ଆଣ୍ଟିବାୟୋଟିକ୍, ଇଞ୍ଜେକ୍ସନ ଓ ବିଭିନ୍ନ ଜଟିଳ ରୋଗର ଔଷଧ ରହିଛି। ଗୁଣବତ୍ତା ଯାଞ୍ଚ ପାଇଁ ଛଅଟି ଔଷଧ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱରର ରାଜ୍ୟ ଔଷଧ ପରୀକ୍ଷଣ ଏବଂ ଗବେଷଣା ପ୍ରୟୋଗଶାଳାକୁ ପଠାଯାଇଛି।
ଅଭିଯୁକ୍ତ କମ୍ପାନିର ନିର୍ଦ୍ଦେଶକ ମିହିର କୁମାର ନନ୍ଦଗୋସ୍ୱାମୀଙ୍କୁ ବିଭାଗ ପକ୍ଷରୁ ପଚରାଉଚରା କରାଯାଉଛି। ସେହିଭଳି ଅନଧିକୃତ ଘରୋଇ ଯୋଗାଣକାରୀଙ୍କଠାରୁ ଔଷଧ ଷ୍ଟକ୍ ସଂଗ୍ରହ କରୁଥିବା ନେଇ ଅଭିଯୋଗ ହୋଇଛି। ସଂପୃକ୍ତ ସଂସ୍ଥାଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରାଯାଇଛି।
ଆଇନ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲର୍ ମାମିନା ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବେଆଇନ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ଔଷଧ ଯୋଗାଣକାରୀ, ବିତରକ ଓ ସମ୍ପୃକ୍ତ ଚିକିତ୍ସା ସଂସ୍ଥାଗୁଡ଼ିକର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ଚଢ଼ଉରେ ସର୍କଲ୍-୨ର ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର୍ ସୁଦର୍ଶନ ବିଶ୍ବାଳ, ଡ୍ରଗ୍ ଇନ୍ସପେକ୍ଟର ଚିନ୍ମୟ କୁମାର ଜେନା, ଚନ୍ଦନ କୁମାର ଗିରି, ରବିନା ଦାସ, ରୋଜାଲିନ୍ ସାମଲ, ସଙ୍ଗୀତା ପଟ୍ଟନାୟକ, ଅନନ୍ୟା କୁମାରୀ ଆଇଚ ପ୍ରମୁଖ ସାମିଲ୍ ଥିଲେ।