ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରୁ ଔଷଧ ଚୋରି ଘଟଣାର ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି। ବଡ଼ ଡାକ୍ତରଖାନା ରେଜିଷ୍ଟ୍ରାର୍‌ ସଂଗ୍ରାମ ପଣ୍ଡାଙ୍କ ନେତୃତ୍ବରେ ଗଠିତ ହୋଇଥିବା ତଦନ୍ତ କମିଟି ବଡ଼ ଡାକ୍ତରଖାନା ଅଧୀକ୍ଷକଙ୍କୁ ତଦନ୍ତ ରିପୋର୍ଟ ଦେଇଛନ୍ତି। ଭବିଷ୍ୟତରେ ଯେମିତି ଏଭଳି ଘଟଣାର ପୁନରାବୃତ୍ତି ନହେବ ସେ ଦିଗକୁ ତଦନ୍ତରେ ଅଧିକ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି। ସେପଟେ ଏହି ଘଟଣାରେ ବୈଦ୍ୟନାଥପୁର ଥାନା ପୁଲିସ ମଧ୍ୟ ତଦନ୍ତ ଜାରି ରଖିଛି। କିଏ କେଉଁ ଠାରୁ ଔଷଧ ଚୋରି କରିଥିଲା ତା’ର ଖୋଳତାଡ଼ କରୁଛି ପୁଲିସ।
ଗତ ୬ତାରିଖରେ ବଡ଼ ଡାକ୍ତରଖାନା ଫାଣ୍ଡି ପୁଲିସ ଏକ ମୋବାଇଲ୍‌ ଚୋରକୁ ଧରି ଚୋରି ସାମଗ୍ରୀ ଉଦ୍ଧାର କରିବା ପାଇଁ ଯାଞ୍ଚ କରୁଥିଲା। ଏହି ସମୟରେ ପୁରୁଣା ଇନ୍‌ଡୋର୍‌ କୋଠା ଶିଶୁ ବିଭାଗର ଏକ ଭଙ୍ଗା କୋଠରିରୁ ଏକ ବସ୍ତା ଜବତ କରିଥିଲା। ସେହି ବସ୍ତାରେ ୨୫ ପ୍ୟାକେଟ୍‌ ଇଂଜେକ୍ସନ୍‌ ଥିବା ଜଣାପଡ଼ିଥିଲା। ସେହି ଇଂଜେକ୍ସନ୍‌ ଆଣ୍ଟିବାୟୋଟିକ୍‌ (ସେ‌ଫ୍‌ଟ୍ରିଆକ୍ସଜୋନ୍‌ ଆଣ୍ଡ୍‌ ସଲ୍‌ବାକ୍ଟମ୍‌) ବୋଲି ଜଣାପଡ଼ିଥିଲା। ଏହାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହୋଇଥିବା ବେଳେ ତାହା ବଡ଼ ଡାକ୍ତରଖାନା ପାଇଁ ଏକ ଘରୋଇ ସଂସ୍ଥାରୁ କ୍ରୟ କରାଯାଇଥିଲା। ଏହି ଘଟଣାକୁ ନେଇ ବଡ଼ ଡାକ୍ତରଖାନା ଅଧୀକ୍ଷକ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ଘଟଣାରେ କାହାରିକୁ ଗିରଫ କରି ନାହିଁ। ସେପଟେ ବଡ଼ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାର ବିଭାଗୀୟ ତଦନ୍ତ କରିବା ପାଇଁ ୪ଜଣିଆ କମିଟି ଗଠନ କରିଥିଲେ। ରେଜିଷ୍ଟ୍ରାର୍‌ଙ୍କ ନେତୃତ୍ବରେ ଗଠିତ ଏହି କମିଟି ବଡ଼ ଡାକ୍ତରଖାନାରେ ଥିବା ଡ୍ରଗ୍‌ ହାଉସ୍‌ର ସିକ୍ୟୁରିଟି ଗାର୍ଡ଼, ଫାର୍ମାସିଷ୍ଟ୍‌, ଡାଟାଏଣ୍ଟ୍ରି ଅପରେଟର୍‌ଙ୍କ ବୟାନ୍‌ ରେକର୍ଡ଼ କରି ବିଭିନ୍ନ ଦିଗରୁ ତଥ୍ୟ ସଂଗ୍ରହ କରିଥିଲା। ତଦନ୍ତ ସରିବା ପରେ ଏହି କମିଟି ତାଙ୍କର ରିପୋର୍ଟ ଦାଖଲ କରିଛନ୍ତି।