ଛତୁ ଫୁଟିବା ଭଳି ଖୋଲୁଛି ଔଷଧ ଦୋକାନ! ଆପଣ କିଣୁଥିବା ମେଡିସିନ କେତେ ସୁରକ୍ଷିତ?

ବାଲେଶ୍ୱର : ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବାଲେଶ୍ୱରରେ ଛତୁ ଫୁଟିବା ଭଳି ଖୋଲିଛି ମେଡିସିନ ଷ୍ଟୋର । ଯୁଆଡେ ଦେଖିଲେ ଖାଲି ମେଡିସିନ ଷ୍ଟୋର ଦେଖିବାକୁ ମିଳୁଛି । ଜିଲ୍ଲାର ପ୍ରାୟ ୩୦ ପ୍ରତିଶତ ମେଡିସିନ ଷ୍ଟୋର ବିନା ଫାର୍ମାସିଷ୍ଟରେ ଚାଲିଛି। ଜିଲ୍ଲାରେ ଏଲୋପାଥିକ ଓ ହୋମିଓପାଥି ମିଶି ପ୍ରାୟ ୯୨୯ଟି ମେଡିସିନି ଷ୍ଟୋର ରହିଛି। ୨୭୦ ଜଣ ହୋଲସେଲର ରହିଛନ୍ତି। ହେଲେ ପ୍ରାୟ ଅଧିକାଂଶ ଔଷଧ ଦୋକାନ ବେଆଇନ ଭାବେ ଚାଲିଛି।

ସରକାରୀ ନିୟମ କହୁଛି ମେଡିସିନି ଷ୍ଟୋର ଖୋଲିବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ନାଁରେ ଲାଇସେନ୍‌ସ ରହିବା ସହ ଦୋକାନରେ ଖୋଦ୍‌ ଫାର୍ମାସିଷ୍ଟ ଉପସ୍ଥିତ ରହିବେ। କିନ୍ତୁ ବାଲେଶ୍ୱରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଫାର୍ମାସିଷ୍ଟ ଅନ୍ୟତ୍ର ଚାକିରି କରୁଥିବା ବେଳେ ମିଛ ସତ୍ୟପାଠ ଦାଖ କରି ତାଙ୍କ ନାଁରେ ଲାଇସେନ୍‌ସ ବାହାରି ଔଷଧ ବ୍ୟବସାୟୀ ଚାଲିଛି। ଏନେଇ ଫାର୍ମାସିଷ୍ଟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ ଓ ଡ୍ରଗ କଂଟ୍ରୋଲରଙ୍କୁ ଅବଗତ କରାଯାଇଛି। କାର୍ଯ୍ୟାନୁଷ୍ଠାନ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା ଚିକିତ୍ସାଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା କୁହାଯାଉଛି। ରୋଗୀଙ୍କ ଜୀବନ ସହ ଖେଳ ଖେଳୁଥିବା ବେଆଇନ୍‌ ଔଷଧ ଦୋକାନୀଙ୍କ ଉପରେ ନଜର ରଖାଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର