ଗୋଟିଏ ଫୋନ୍‌ କଲ୍‌ରେ ଘରେ ପହଞ୍ଚିବ ଔଷଧ, ଯାଜପୁର ଟାଉନ ଓ ଯାଜପୁର ରୋଡ୍‌ ଥାନା ପୁଲିସ ସେବା ଯୋଗାଇବେ

ଯାଜପୁରଟାଉନ/ସଦର / ବ୍ୟାସନଗର : ଲକ୍‌ଡାଉନ୍‌ ସମୟସୀମା ମଧ୍ୟରେ ଘରୁ ବାହାରିବାର ଆବଶ୍ୟକତା ନାହିଁ। ଔଷଧ ଦରକାର ତ କେବଳ ଗୋଟିଏ ଫୋନ କଲ୍‌ କରନ୍ତୁ। ଘରେ ଔଷଧ ପହଞ୍ଚାଇ ଦେବ ପୁଲିସ। ଯାଜପୁର ଟାଉନ ଓ ଯାଜପୁରରୋଡ୍‌ ଥାନା ପୁଲିସ ଉଭୟ ଯାଜପୁର ସହର ଓ ବ୍ୟାସନଗର ସହ‌ରରେ ଏହି ସେବା ଯୋଗାଇ ଦିଆଯିବ। ଯାଜପୁର ଏସ୍‌ପି ଏଭଳି ଲୋକାଭିମୁଖୀ ପଦକ୍ଷେପ ନେଇ ପୁଲିସକୁ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରିଛନ୍ତି। କାରଣ ଲକଡାଉନ ସମୟରେ ଜରୁରି ସେବା ଭାବେ ଔଷଧ ପାଇଁ ଲୋକମାନଙ୍କୁ ଘରୁ ବାହାରିବାକୁ ପଡ଼ିଥାଏ। ଏବେ ଔଷଧ ଆପଣଙ୍କ ପାଖରେ ପହଞ୍ଚାଇବ ପୁଲିସ।

ଯାଜପୁର ଜିଲ୍ଲାର ଦୁଇଟି ସହରାଞ୍ଚଳ ଓ ସଂପୃକ୍ତ ଥାନା ଅନ୍ତର୍ଗତ ଅଞ୍ଚଳରେ ଯେପରିକି ଯାଜପୁର ଟାଉନ ଓ ବ୍ୟାସନଗର ଅଞ୍ଚଳରେ ଏହି ସେବା ସ୍ଥାନୀୟ ଥାନା ପକ୍ଷରୁ ଯୋଗାଇ ଦିଆଯିବ। କୌଣସି ଅସହାୟ ତଥା ବରିଷ୍ଠ ନାଗରିକ ଏହାର ସୁବିଧା ନେଇପାରିବେ। ଔଷଧ ଆବଶ୍ୟକ ହେଲେ କଲ କରି ଅର୍ଡର କରିପାରିବେ। ସେଥିପାଇଁ ଦୁଇଟି ଥାନା ଅଞ୍ଚଳ ପାଇଁ ଦୁଇଟି ନମ୍ବର ଜାରି କରାଯାଇଛି। ଯଦି କୌଣସି ଲୋକ ଔଷଧ ନେବାକୁ ଚାହାନ୍ତି ସେମାନେ କଲ କରି ନିଜର ପରିଚୟ ଓ ଠିକଣା ପ୍ରଦାନ କରିବେ। ଯାଜପୁର ଟାଉନ ଥାନା ପାଇଁ ୯୫୫୬୪୪୦୧୯୧ ନମ୍ବର ଓ ଯାଜପୁର ରୋଡ (ବ୍ୟାସନଗର) ଥାନା ଅଞ୍ଚଳ ପାଇଁ ୮୯୮୪୨୨୭୪୭୬ ନମ୍ବର ଡାଏଲ କରିପାରିବେ। ଆପଣଙ୍କୁ ଥାନା କର୍ମଚାରୀଙ୍କ ଜରିଆରେ ଔଷଧ ପ୍ରଦାନ କରାଯିବାକୁ ଉଦ୍ୟମ କରାଯିବ। ଔଷଧ ପାଇବା ପରେ ଆପଣ ଔଷଧର ମୂଲ୍ୟ ପ୍ରଦାନ କରିବେ ବୋଲି ଯାଜପୁର ଏସ୍‌ପି ରାହୁଲ ପିଆର ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧିତ ଖବର