ବ୍ରହ୍ମପୁର : ଏମ୍କେସିଜି ବଡ଼ ଡାକ୍ତରଖାନାରୁ ସରକାରୀ ଔଷଧ ବାହାରକୁ ଚାଲାଣ ହେଉଛି। ଖୋଦ୍ ଡାକ୍ତରଖାନାର କର୍ମଚାରୀ ଏଭଳି କାରବାରରେ ସମ୍ପୃକ୍ତ ରହିଛନ୍ତି। ନିର୍ଭୟରେ ଔଷଧ ଭର୍ତ୍ତି ପଲିଥିନ୍ ଧରି ଡାକ୍ତରଖାନାର ୱାର୍ଡରୁ ବାହାରି ଚାଲିଚାଲି ଯାଉଛନ୍ତି। ବଡ଼ ଡାକ୍ତରଖାନା ପରିସରରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍ରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ଏମ୍କେସିଜି କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି। ଏହି ଏତଲା କ୍ରମେ ପୁଲିସ ବଡ଼ ଡାକ୍ତରଖାନାର ଆଟେଣ୍ଡାଣ୍ଟ୍ ମିଟୁ ଦଳବେହେରାଙ୍କୁ ଗତକାଲି ଗିରଫ କରିଛି।
ଏମ୍କେସିଜି ବଡ଼ ଡାକ୍ତରଖାନାରୁ ଔଷଧ ଗାଏବ ହେବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା। ଏପରିକି ଓଟି (ଅପରେସନ୍ ଥିଏଟର୍)କୁ ରୋଗୀ ସମ୍ପର୍କୀୟ ଯାହା ଔଷଧ ଓ ଇଞ୍ଜେକ୍ସନ୍ କିଣି ଦେଉଥିବା ସେଗୁଡ଼ିକ ମଧ୍ୟ ଆଉ ଫେରୁ ନଥିଲା। ବ୍ୟବହାର ପରେ ବଳକା ଔଷଧ ସମ୍ପର୍କରେ କୌଣସି ସୂଚନା ମଧ୍ୟ ଦିଆଯାଉ ନଥିବା ବିଗତଦିନରେ ବହୁ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। ଏବେ ୱାର୍ଡ଼ରୁ ସିଧାସଳଖ ଜଣେ କର୍ମଚାରୀ ରୋଗୀଙ୍କ ପାଇଁ ଆସୁଥିବା ସରକାରୀ ମାଗଣା ଔଷଧ ଚାଲାଣ କରିବା ବେଳେ ଧରାପଡ଼ିଛନ୍ତି। ଏ ଦିଗରେ ଡାକ୍ତରଖାନା କର୍ତ୍ତୃପକ୍ଷ ଠୋସ୍ ପ୍ରମାଣ ପାଇବା ପରେ ତ୍ବରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ସୁପର୍ସ୍ପେସାଲିଟି କୋଠାର ବିଭିନ୍ନ ବିଭାଗରୁ ବାରମ୍ବାର ରୋଗୀଙ୍କ ଔଷଧ ଗାଏବ ଅଭିଯୋଗ ଆସିଥିଲା। ଏ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ ସିସି କ୍ୟାମେରା ଫୁଟେଜ୍ ଯାଞ୍ଚ୍ କରିଥିଲେ। ଯାଞ୍ଚ୍ ପରେ ଜଣେ ଯୁବକ ହାତରେ ଦୁଇଟି ବଡ଼ ପଲିଥିନ୍ ଧରି ଯାଉଥିବା ଦେଖିବାକୁ ମିଳିଥିଲା। ସେ କିଛି ଔଷଧ ଓ ଇଞ୍ଜେକ୍ସନ୍ ଧରି ଯାଉଥିବା ଜଣାପଡ଼ିଥିଲା। ଯୁବକ ଜଣକ ଡାକ୍ତରଖାନାର ଜଣେ ଆଟେଣ୍ଡାଣ୍ଟ୍ ହୋଇଥିବା ବେଳେ ତାଙ୍କ ବିରୋଧରେ ଔଷଧ ଚୋରି ପାଇଁ ଥାନାରେ ଏତଲା ଦିଆ ଯାଇଥିଲା। ସରକାରୀ ଯୋଗାଣ ଔଷଧ କେବଳ ଡାକ୍ତରଖାନାରେ ବ୍ୟବହାର ପାଇଁ ଅନୁମତି ରହିଛି। ସେହି ଔଷଧ ବାହାରେ ବ୍ୟବହାର କରି ହେବ ନାହିଁ କି ବିକ୍ରି କରି ପାରିବେ ନାହିଁ। ଏଣୁ ସେଭଳି ଔଷଧ କିଛି ନର୍ସିଂହୋମ୍କୁ ଚାଲାଣ ହେଉଥିଲା ବୋଲି ପୁଲିସ ସନ୍ଦେହ କରୁଛି। କାରଣ, ଗତ କିଛି ବର୍ଷ ତଳେ ଜିଲ୍ଲା ପ୍ରଶାସନର ଏକ ଟିମ୍ ସହରର ଏକ ନିର୍ଦ୍ଦିଷ୍ଟ ନର୍ସିଂହୋମ୍ରେ ଚଢ଼ଉ କରି ସରକାରୀ ଯୋଗାଣ ଔଷଧ ଜବତ କରିଥିଲା। ଉକ୍ତ ଘଟଣା ପରେ ସରକାରୀ ଔଷଧ ନର୍ସିଂହୋମ୍ ଚାଲାଣର ପ୍ରମାଣ ମିଳିଥିଲା।