ମହଜୁଦ ଅଛି ୫ମାସର ଔଷଧ, ଆଉ ୪ ମାସର ଔଷଧ ପାଇଁ ଚେଷ୍ଟା ଜାରି

୨୯୯ ଭେଣ୍ଟିଲେଟର କାର୍ଯ୍ୟକ୍ଷମ, ଆସିବ ୪୨୪, ଅଙ୍ଗନବାଡ଼ି କର୍ମୀ ହେଉଛନ୍ତି ଗାଁର ଶକ୍ତି

ଭୁବନେଶ୍ବର : ରାଜ୍ୟ‌ରେ ଏବେ ୫ ମାସ ପାଇଁ ଅତ୍ୟାବଶ୍ୟକ ଔଷଧ ସାମଗ୍ରୀ ମହଜୁଦ ରହିଛି। ଆହୁରି ୪ ମାସ ପାଇଁ ଔଷଧ ମହଜୁଦ ରଖିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ କ୍ରୟାଦେଶ ଦିଆଯାଇଛି। ଆସନ୍ତା ମାସଠାରୁ ଔଷଧ ମିଳିବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଲେ ଯେ ଗତ ଜାନୁଆରି ୨୭ ତାରିଖରୁ ନିଗମ କୋଭିଡ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। କୋଭିଡ୍‌ ଯୁଦ୍ଧରେ ନି‌ୟୋଜିତ ରାଜ୍ୟରେ ସମସ୍ତ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟ ପ୍ରତି ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ଗତ ଜାନୁଆରି ୩୧ ତାରିଖ ଓ ଆଜିର ମାସ ମଧ୍ୟରେ ଅନେକ ଫରକ ଆସିଛି। ସେତେବେଳେ ରାଜ୍ୟରେ ମାତ୍ର ୧୧୦ଟି ଏନ୍‌-୯୫ ମାସ୍କ ଥିବା ବେଳେ ଏବେ ଏହି ସଂଖ୍ୟା ୭୧ ହଜାରରେ ପହଞ୍ଚିଛି। ସେହିପରି ସର୍ଜିକାଲ ମାସ୍କ ପୂର୍ବରୁ ୨.୫ଲକ୍ଷ ମହଜୁଦ୍‌ ଥିବା ବେଳେ ଏବେ ୧.୧୮ କୋଟି ମହଜୁଦ୍‌ ରହିଛି। ପୂର୍ବରୁ ପିପିଇ (ପର୍ସନାଲ ପ୍ରୋଟେକ୍ସନ ଇକ୍ବିପମେଣ୍ଟ) ମାତ୍ର ୧୨୯ଟି ଥିବା ବେଳେ ଏବେ ତାହା ୬୭,୧୭୬‌ ରହିଛି। ଏହାସହ ୪ଲକ୍ଷ ୧୬ହଜାର ୯୭ ହ୍ୟାଣ୍ଡ ସାନିଟାଇଜର୍‌ ମଧ୍ୟ ଯୋଗାଇ ଦିଆଯାଇଛି। ଏସବୁରେ ଗୁଣାତ୍ମକ ଜିନିଷକୁ ଗୁରୁତ୍ବ ଦିଆଯାଉଛି।

ପୂର୍ବରୁ କିଛି ଗଣମାଧ୍ୟମରେ ସ୍ବାସ୍ଥ୍ୟକର୍ମୀଙ୍କୁ ପୁରୁଣା ମାସ୍କ ଦିଆଯାଉଥିବା ଅଭିଯୋଗ ଆସିଥିଲା। ତେବେ ଏହା ପୁରୁଣା ଷ୍ଟକ୍‌ ରହିଥିଲା ଓ ଏଥିପାଇଁ ସଂପୃକ୍ତ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଷ୍ଟକ୍ ଫେରାଇ ନେବାକୁ କୁହାଯାଇଛି। ସେହିପରି ରାଜ୍ୟରେ ଏବେ ୨୯୯ଟି ଭେଣ୍ଟ‌‌ିଲେଟର୍‌ କାର୍ଯ୍ୟକ୍ଷମ ରହିଛି। ଆଗକୁ ଆହୁରି ୪୨୪ଟି ଭେଣ୍ଟିଲେଟର୍‌ ପାଇଁ କ୍ରୟାଦେଶ ଦିଆଯାଇଛି। ତହିଁରୁ ୫୭ଟି ଭେଣ୍ଟିଲେଟର୍‌ ମିଳିଛି। ଆସନ୍ତା ୬ ସପ୍ତାହ ଭିତରେ ବଳକା ଭେଣ୍ଟିଲେଟର ମିଳିଯିବ ବୋଲି ଆଶା କରାଯାଉଛି।

ଏହାସହ ରାଜ୍ୟରେ ଏବେ ୧୦୦୪ ଅକ୍ସିଜେନ୍ କନସେନଟ୍ରେଟର୍‌ କାର୍ଯ୍ୟକ୍ଷମ ଥିବା ବେଳେ ଆହୁରି ୧୦ ହଜାର ଆଣିବା ପାଇଁ କ୍ରୟାଦେଶ ଦିଆଯାଇଛି ଓ ତହିଁରୁ ୫୮୬ଟି ଏଯାଏ ମିଳି ସାରିଛି। ୭୭୦୦ ନେବୁଲାଇଜର୍‌ ଆଣିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ଔଷଧ ଓ ଯନ୍ତ୍ରପାତି କିଣିବା ଲାଗି ନିଗମର ଯେଉଁ ନିୟମ ରହିଛି, ତାହାକୁ ପାଳନ କଲେ ଆଜି ଅସାଧାରଣ ସମୟରେ ଏସବୁ ପାଇବା ସହଜ ନୁହେଁ। ତେଣୁ ବିଳମ୍ବରେ ଜିନିଷ ଦେଉଥିବା ସପ୍ଲାୟର୍‌ମାନଙ୍କ ଉପରେ ଜରିମାନା କୋହଳ କରାଯିବା ସହିତ ଧାର୍ଯ୍ୟ ସମୟ ଭିତରେ ଜିନିଷ ଦେଲେ ପ୍ରୋତ୍ସାହନ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଲକ୍‌ଡାଉନ୍‌ ପାଇଁ ନିଗମର ଅନୁବନ୍ଧିତ ପରୀକ୍ଷାଗାରକୁ ଔଷଧ ପରୀକ୍ଷା ପଠାଇବା ସମ୍ଭବ ନ ଥିବାରୁ ରାଜ୍ୟ ଡ୍ରଗ୍ ପରୀକ୍ଷାଗାରରେ ଔଷଧ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

‌ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ରାଜ୍ୟରେ କୋଭିଡ୍‌-୧୯ ନେଇ ଅଙ୍ଗନବାଡ଼ି କର୍ମୀମାନେ କିଭଳି ଦିନରାତି କାର୍ଯ୍ୟ କରୁଛନ୍ତି, ତାହା ସଂପର୍କରେ ସୂଚନା ଦେଇଥିଲେ। ଶ୍ରୀମତୀ ଗର୍ଗ କହିଥିଲେ ଯେ ରାଜ୍ୟରେ ୭୨ହଜାର ୫୦୦ ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ଅଙ୍ଗନବାଡ଼ି କର୍ମୀମାନେ ହେଉଛନ୍ତି ଗାଁର ବଳ। କରୋନା ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଥିଲେ ‌ହେଁ ସେମାନଙ୍କ କାର୍ଯ୍ୟ ବନ୍ଦ ହୋଇନାହିଁ। କଠିନ ପରିସ୍ଥିତିରେ ସେମାନେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଉଛନ୍ତି। ଘରକୁ ଘର ବୁଲି ସେମାନେ ଏପ୍ରିଲ ମାସର ଶୁଖିଲା ଖାଦ୍ୟ ପ୍ରଦାନ କରି ସାରିଛନ୍ତି। ତେବେ ଅଣ୍ଡା ନଷ୍ଟ ହୋଇଯିବା କାରଣରୁ ପ୍ରତି ସପ୍ତାହରେ ସେମାନେ ଅଣ୍ଡା ବଣ୍ଟନ କରୁଛନ୍ତି। ପୁଷ୍ଟିସାଧାନ କାର୍ଯ୍ୟ ବାଦ୍ କୋଭିଡ୍‌ ଯୁଦ୍ଧରେ ମଧ୍ୟ ସେମାନେ ସାମିଲ ହୋଇଛନ୍ତି। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ତାଲିମ୍‌ ପ୍ରଦାନ କରାଯାଇଛି। ତାଲିମ୍‌ ନେବା ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ଉପରେ ଗୁରୁତ୍ବ ଦିଆଯାଇଥିଲା। ସେମାନଙ୍କ ଏଭଳି କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁର ଅଙ୍ଗନବାଡି କର୍ମୀ ରମା ସାହୁ ଓ ଦଶମନ୍ତପୁରର ଧନମନ୍ତି ଗଦୱା କିଭଳି ନିଜ ପରିବାରକୁ ପଛରେ ପକାଇ ଗର୍ଭବତୀ ମହିଳା ଓ ଶିଶୁମାନଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି, ସେ ସଂପର୍କରେ ଆଲୋଚନା କରାଯାଇଥିଲା।

ସମ୍ବନ୍ଧିତ ଖବର