ଭୁବନେଶ୍ବର: ଆୟୁର୍ବେଦିକ ଚିକିତ୍ସା ଉପରେ ଭରସା କରୁଥିବା ରୋଗୀଙ୍କ ପାଇଁ କିଣା ହୋଇଛି ୬କୋଟି ଟଙ୍କାର ଔଷଧ। ଗତ ୪ମାସ ଏହାର ପରୀକ୍ଷା ବି ସରିଛି। ହେଲେ ଔଷଧ ବଣ୍ଟା ହୋଇପାରୁନି। ଏପେଟ ରାଜ୍ୟ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ସମେତ ପିଏଚ୍‌ସି ଓ ସିଏଚ୍‌ସିରେ ଔଷଧ ନାହିଁ। ପ୍ରତିଦିନ ରୋଗୀମାନେ ଔଷଧ ପାଇଁ ନିରାଶ ହୋଇ ଫେରୁଛନ୍ତି। ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ଏଭଳି ବିଚିତ୍ର ବ୍ୟବସ୍ଥା ଏବେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପ୍ରାୟ ୬କୋଟିର ଆୟୁର୍ବେଦିକ ଔଷଧ କିଣାଥିଲା। ଏହିସବୁ ଔଷଧ ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟକୁ ବଣ୍ଟନ କରାଯିବ। ଏଥିରେ ୩୦ରୁ ଅଧିକ ପ୍ରକାରର ଔଷଧ କିଣାଯାଇଛି। ଗତବର୍ଷ ଡିସେମ୍ବର ମାସରେ ବିଭିନ୍ନ କମ୍ପାନି ଔଷଧ ଦେବା ଆରମ୍ଭ କରିଥିବା ବେଳେ ଜାନୁଆରି ମାସରେ ପ୍ରକ୍ରିୟା ଶେଷ ହୋଇଥିଲା। ପରବର୍ତ୍ତୀ ସମୟରେ ଆୟୁର୍ବେଦିକ ଔଷଧ ପରୀକ୍ଷାଗାର(ଡିଟିଏଲ୍‌)ରେ ଏହାର ପରୀକ୍ଷା ମଧ୍ୟ କରାଯାଇଛି। ମାତ୍ର ଏହାକୁ ହସ୍ପିଟାଲକୁ ବଣ୍ଟା ନ ଯିବାରୁ କୋଟି କୋଟି ଟଙ୍କାର ଔଷଧ ଡିଟିଏଲ୍‌ ପରିସରରେ ପଡ଼ିରହିଛି। ଏପଟେ କିନ୍ତୁ ଡାକ୍ତରଖାନାରେ ରୋଗୀଙ୍କୁ ଔଷଧ ମିଳୁନାହିଁ।

ମିଳିଥିବା ସୂଚନା ଅନୁସାରେ, ରାଜଧାନୀ ଓ ଏହାର ଆଖପାଖରେ ଥିବା ସାମନ୍ତରାପୁର, ବିଶୁନିଆପଡ଼ା, ବାଲିପାଟଣାସ୍ଥିତ କୁଳିନ୍ତରା ଶାସନ, ବଡ଼ ମାଛପୁର ପ୍ରଭୃତି ଡିସ୍‌ପେନସାରିରେ ଔଷଧ ନାହିଁ। ଅନ୍ୟ ଆଡ଼େ ମଧ୍ୟ ସମାନ ଅବସ୍ଥା। ରାଜ୍ୟରେ ଆୟୁଷ ଚିକିତ୍ସାକୁ ଅବହେଳା କରାଯାଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି। ଗୋଟିଏ ପଟେ କିଣା ଯାଇଥିବା ଔଷଧ ଆୟୁଷ ନିର୍ଦ୍ଦେଶାଳୟ ବାଣ୍ଟି ପାରୁ ନ ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୨ କୋଟି ଟଙ୍କ‌ାର ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଔଷଧ କିଣିବା ଲାଗି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। କୋଟି କୋଟି ଟଙ୍କାର ଯେଉଁ ଆୟୁର୍ବେଦିକ ଔଷଧ କିଣାଯାଇଛି ତହିଁରେ ଅନେକ ଔଷଧର ଅବଧି କମ୍ ରହିଛି। ଏଭଳି ପରିସ୍ଥିତିରେ ଏହାକୁ ରୋଗୀଙ୍କୁ ନ ଦେଇ ଗୋଦାମରେ ପକାଇ ରଖିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆୟୁଷ ଡାକ୍ତରମାନେ ପ୍ରଶ୍ନ କରିଛନ୍ତି।

ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟର ବିତରଣ ଓ ଔଷଧ କ୍ରୟ ଦାୟିତ୍ବରେ ଥିବା ଜୟଶ୍ରୀ ରାଉତଙ୍କୁ ଯୋଗାଯୋଗ କରାଯାଇଥିଲା। ଶ୍ରୀମତୀ ରାଉତ କହିଥିଲେ ଯେ ପୁରୁଣା ଭୁବନେଶ୍ବରସ୍ଥିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟରେ ଔଷଧ ମିଳୁ ନ ଥିବା ସଂପର୍କରେ କୌଣସି ସୂଚନା ନାହିଁ। ଔଷଧ ବିତରଣ ସଂପର୍କରେ ନିର୍ଦ୍ଦେଶକ ଅଧିକ ସୂଚନା ଦେଇପାରିବେ ବୋଲି ସେ କହିଥିଲେ।